ଏଣିକି ଅନ୍‌ଲାଇନ୍‌ରେ ମିଳିବ ମୃତ୍ୟୁ ପ୍ରମାଣପତ୍ର, ୟୁନିସେଫ୍ ଦେବ ଆର୍ଥିକ ସହାୟତା

ଭୁବନେଶ୍ବର : ରାଜ୍ୟରେ ପ୍ରାଣ ହରାଉଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ବା ଏମ୍‌ସିସିଡି ହାର ଯଥେଷ୍ଟ କମ୍। ଏପରିକି ଦେଶର ଯେଉଁ କେତୋଟି ରାଜ୍ୟରେ ସବୁଠାରୁ କମ୍ ଏମ୍‌ସିସିଡି କରାଯାଉଛି ତହିଁରେ ଓଡ଼ିଶା ରହିଛି। ଯାହାଫଳରେ ରାଜ୍ୟରେ ବାର୍ଷିକ ଯେତିକି ମୃତ୍ୟୁ ହେଉଛି; ତହିଁରେ କେଉଁ ରୋଗରେ କେତେ ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି ତାହାର କୌଣସି ରେକର୍ଡ ହୋଇପାରୁ ନାହିଁ। ତେଣୁ ରାଜ୍ୟରେ ଏମ୍‌ସିସିଡି ହାରକୁ ବୃଦ୍ଧି କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନଲାଇନ୍‌ ଜରିଆରେ ଏ ସଂପର୍କିତ ତଥ୍ୟ ପ୍ରଦାନ କରିବା ଲାଗି ନିଷ୍ପତ୍ତି ହୋଇଛି। ସରକାରୀ ଓ ଘରୋଇ ହସ୍ପିଟାଲମାନେ ଏଣିକି ଅନଲାଇନ୍‌ରେ ଏହାର ତଥ୍ୟ ପ୍ରଦାନ କରିବେ। ଏହାକୁ କିଭଳି କାର୍ଯ୍ୟକାରୀ ‌କରାଯିବ ସରକାରୀ ସ୍ତରରେ ଏଥିପାଇଁ ବିଚାର ବିମର୍ଶ ଜାରି ରହିଛି।

ରାଜ୍ୟରେ ହସ୍ପିଟାଲସ୍ତରରେ ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ହେଲେ ‌ଏହାର ଏମ୍‌ସିସିଡି ହୋଇପାରୁଛି। ହେଲେ ଅଧିକାଂଶ ହସ୍ପିଟାଲ ଏ ସଂପର୍କିତ ତଥ୍ୟ ସ୍ବାସ୍ଥ୍ୟ ବିଭାଗକୁ ପଠାଇବାରେ ବିଳମ୍ବ କରୁଥିବା ନଜରକୁ ଆସିଛି। ଏହାସହ ଘରେ ପ୍ରାଣ ହରାଉଥିବା ଲୋକଙ୍କ ଏମ୍‌ସିସିଡି ଅତ୍ୟନ୍ତ ନଗଣ୍ୟ। ଦେଶରେ ଗୋଆରେ ଶତ ପ୍ରତିଶତ ଏମ୍‌ସିସିଡି ହେଉଥିବା ବେଳେ ମଣିପୁରରେ ୯୫, ଦିଲ୍ଲୀରେ ୬୦, ତାମିଲନାଡ଼ୁ, ସିକିମରେ ୪୩ ପ୍ରତିଶତ ଲେଖାଏଁ, ମହାରାଷ୍ଟ୍ରରେ ୩୯, କର୍ଣ୍ଣାଟକରେ ଏହାର ହାର ୩୦ ପ୍ରତିଶତ ରହିଛି। ହେଲେ ଓଡ଼ିଶାରେ ଏମ୍‌ସିସିଡି ହାର ରହିଛି ମାତ୍ର ୧୧.୭ ପ୍ରତିଶତ। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟରେ ଏମ୍‌ସିସିଡି ହାରକୁ ବୃଦ୍ଧି କରିବା ଲାଗି ଚିଠି ଜାରି ହୋଇଛି। ତେଣୁ ଏହାକୁ ବୃଦ୍ଧି କରିବା ଲାଗି ହସ୍ପିଟାଲମାନେ ଅନଲାଇନ୍‌ରେ ଏହାର ତଥ୍ୟ ଯେପରି ପଠାଇବେ ସେ ନେଇ ଉଦ୍ୟମ ଆରମ୍ଭ କରାଯାଇଛି। ଏନ୍‌ଆଇସି ପକ୍ଷରୁ ଏହାର ସ୍ବତନ୍ତ୍ର ସଫ୍‌ଟୱେୟାର ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।

ଓଡ଼ିଶାରେ ଏମ୍‌ସିସିଡି ହାର ୧୧.୭ ପ୍ରତିଶତ
ଏଣିକି ରାଜ୍ୟବ୍ୟାପୀ ଜନ୍ମ/ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବ ସ୍ବାସ୍ଥ୍ୟ ବିଭାଗ

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସହରାଞ୍ଚଳରେ ଏମ୍‌ସିସିଡି ହାର ଅଧିକ ଥିବା ବେଳେ ଗ୍ରାମାଞ୍ଚଳରେ ଏହା ଯଥେଷ୍ଟ କମ୍। ଘରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଥିବା ‌ରୋଗୀଙ୍କ ପାଇଁ ଆଗକୁ ସ୍ବାସ୍ଥ୍ୟ ସୁପରଭାଇଜର କିମ୍ବା ଆୟୁଷ ଡାକ୍ତରଙ୍କ ଜରିଆରେ ଏମ୍‌ସିସିଡି କରା‌ଯିବା ଉପରେ ସରକାର ବିଚାର କରୁଛନ୍ତି। ଯଦି ସରକାର ଏହାକୁ ମଞ୍ଜୁରୀ ଦିଅନ୍ତି; ତାହାଲେ ଗ୍ରାମାଞ୍ଚଳରେ କୌଣସି ଲୋକଙ୍କ ମୃତ୍ୟୁ ହେଲେ ସ୍ଥାନୀୟ ଅଙ୍ଗନବାଡ଼ି/ଆଶା କର୍ମୀ ଏ ସଂପର୍କରେ ସୂଚନା ଦେବା ପରେ ତାଙ୍କର ଏମ୍‌ସିସିଡି କରାଯିବ। ଯାହାଫଳରେ ସଂପୃକ୍ତ ବ୍ୟକ୍ତି ଜଣକ କେଉଁ ରୋଗରେ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରିବ। ଏହାସହ ଅନ୍‌ଲାଇନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ହସ୍ପିଟାଲମାନେ ସିଧାସଳଖ ବିଭାଗକୁ ଏସ୍‌ସିସିଡି ସଂପର୍କରେ ସୂଚନା ଦେଇପାରିବେ। ତେବେ ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ଏଥିପାଇଁ ତାଲିମ୍‌ର ଆବଶ୍ୟକତା ରହିଛି। ଏଥିପାଇଁ ୟୁନିସେଫ୍‌ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏମ୍‌ସିସିଡି କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ପ୍ରତ୍ୟେକ ଜିଲ୍ଲାରେ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ଜିଲ୍ଲାୱାରୀ ଏହାର ତଥ୍ୟ ସଂଗ୍ରହ କରିବେ।

ସେହିପରି ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍ ପାଇଁ ରହିଥିବା ଅଲଗା ଅଲଗା ବ୍ୟବସ୍ଥାର ମିଶ୍ରଣ କରାଯାଇଛି। ସହରାଞ୍ଚଳରେ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ଅନ୍ୟ ସ୍ଥାନରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଥିଲା। ଇ-ମ୍ୟୁନିସିପାଲଟିକୁ ପରିଚାଳନା କରୁଥିବା ଗୃହ ଓ ନଗର ଉନ୍ନୟନ ବିଭାଗ ଏବେ ଏହାକୁ ପରିଚାଳନା କରିବାକୁ ଚାହୁଁ ନ ଥିବା ଜଣାପଡ଼ିଛି। ତେଣୁ ଏବେ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ଭାବେ ରାଜ୍ୟବ୍ୟାପୀ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍ ପ୍ରଦାନ କରିବ। ତେବେ ଏହା କାର୍ଯ୍ୟକାରୀ ହେବା ଲାଗି ଆଉ କିଛିମାସ ଲାଗିପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର