ଏସ୍‌ସିବିରେ ୪ଜଣିଆ ଏମ୍‌ସିଆଇ ଦଳ

କଟକ : ଏସ୍‌ସିବି ମେଡିକାଲ୍‌ର ବର୍ଦ୍ଧିତ ୧୦୦ ୟୁଜି ସିଟ୍‌ର ଭିତ୍ତିଭୂମି ଯାଞ୍ଚ କରିଛନ୍ତି ଏମ୍‌ସିଆଇର ୪ଜଣିଆ ପ୍ରତିନିଧି ଦଳ। ଏସ୍‌ସିବି ମେଡିକାଲ୍‌ର ୟୁଜି ସିଟ୍‌ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି ପାଇଥିଲାବେଳେ ବର୍ଦ୍ଧିତ ସିଟ୍‌ର ଭିତ୍ତିଭୂମି ପାଇଁ ଏହା ଶେଷ ପରିଦର୍ଶନ ବୋଲି ମେଡିକାଲ୍‌ ସୂତ୍ରରୁ ଜଣାପଡ଼ିଛି। ଏହି ଦଳରେ ପାଟଣା, କୋଲକାତା, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ଡାକ୍ତରମାନେ ସାମିଲ ଥିଲେ। ୪ଜଣିଆ ଦଳ ଅଲଗା ଅଲଗା ବାଣ୍ଟି ହୋଇ ବିଭିନ୍ନ ବିଭାଗ, ଓ୍ଵାର୍ଡ, ଓଟି, ଆଇସିୟୁ, ହଷ୍ଟେଲ୍‌, ଲାଇବ୍ରେରୀ, ପରୀକ୍ଷାଗାର ଇତ୍ୟାଦି ବୁଲି ଦେଖିଥିଲେ। ଆସନ୍ତାକାଲି ମଧ୍ୟ ଏମ୍‌ସିଆଇ ଦଳ ତାହାର ପରିଦର୍ଶନ ଜାରି ରଖିବ ବୋଲି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଏମ୍‌ସିଆଇକୁ ଭୂଆଁ ବୁଲାଇବାକୁ ଅନ୍ୟ ଜିଲ୍ଲା ଓ ମେଡିକାଲ୍‌ କଲେଜର ଡାକ୍ତରଙ୍କୁ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ଏଠାରେ ଅସ୍ଥାୟୀ ଭାବେ ନିଯୁକ୍ତ କରାଯିବ। ଯେପର୍ଯ୍ୟନ୍ତ ଓପିଏସ୍‌ସି ଦ୍ୱାରା ଖାଲି ପଦବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଉକ୍ତ ଡାକ୍ତରମାନେ ଏସ୍‌ସିବିରେ କାର୍ଯ୍ୟ କରିବେ ବୋଲି ସରକାରଙ୍କ ପକ୍ଷରୁ ମେଡିକାଲ୍‌ ଅଧ୍ୟକ୍ଷଙ୍କୁ ଜଣାଇ ଦିଆଯାଇଛି। ଏସ୍‌ସିବି ଅଧ୍ୟକ୍ଷଙ୍କ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ଗତ ଦୁଇ ଦିନ ତଳେ ୮୬ ଜଣିଆ ଡାକ୍ତର ତାଲିକା ସରକାରଙ୍କ ନିକଟକୁ ପଠାଯାଇଥିଲା। ସେଥିମଧ୍ୟରୁ ଅନେକ ଡାକ୍ତର ବିଭିନ୍ନ ମେଡିକାଲ୍‌ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର, ଏସ୍‌ଆର୍‌ ଭାବେ ନିୟୋଜିତ ହୋଇସାରିଥିବା ଜଣାପଡ଼ିଥିଲା। ବଳକା ଡାକ୍ତରଙ୍କ ମଧ୍ୟରୁ ନିହାତି ଆବଶ୍ୟକ ଥିବା ବିଭାଗ ଗୁଡ଼ିକରେ ଅସ୍ଥାୟୀ ରୂପେ ନିଯୁକ୍ତି ଦେବାକୁ ଅନୁମତି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର