କରୋନା ଲଢ଼େଇରେ ଭାଗୀଦାର ହେବା ଏମ୍‌ସିଏଲ୍‌ ପାଇଁ ସମ୍ମାନର ବିଷୟ

ଭୋଳାନାଥ ଶୁକ୍ଳା

ସରକାରଙ୍କ ଦ୍ବାରା କରା ଯାଇଥିବା ନିୟମ ଓ ସ୍ବାସ୍ଥ୍ୟ ପରାମର୍ଶର ଉପଯୁକ୍ତ ଅନୁପାଳନ ସହ ସ‌ମୟୋଚିତ ପଦକ୍ଷେପ ବଳରେ ଜଣେ କରୋନା ବିରୋଧରେ ଲଢ଼ି ବିଜୟୀ ହୋଇପାରିବ। ଏହା ମୋ ଅନୁଭବରୁ ଜାଣି ପାରିଲି। ତେଣୁ ଏହି ଅନୁଭୂତିକୁ ସମସ୍ତଙ୍କ ସହ ବାଣ୍ଟିବା ଉଚିତ ମନେ କରୁଛି।

ପ୍ରାୟ ଦୁଇ ସପ୍ତାହ ପୂର୍ବେ ମତେ ଏକ ରାଜ୍ୟସଭା ସମିତି ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଯିବାକୁ ପଡ଼ିଲା। ସମ୍ବଲପୁରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବା ଯାତ୍ରା କରି ମୁଁ ସେଠାରେ କିଛି ଦିନ ରହିଲି। ଏହି ଯାତ୍ରା ଓ ରହଣି ସମୟରେ ମୁଁ କୋଭିଡ୍-୧୯ର ସମସ୍ତ ନିୟମାବଳି ପାଳନ କରିଥିଲି।

କିନ୍ତୁ ଏଥର କରୋନାରୁ ଦୂରେଇ ରହିବାର ମୋର ସମସ୍ତ ପ୍ରୟାସ ବ୍ୟର୍ଥ ହେଲା। ମୋଠାରେ ସଂକ୍ରମଣର କିଛିଟା ଲକ୍ଷଣ ଦେଖାଗଲା। ମୁଁ ପରୀକ୍ଷା କରାଇବା ପରେ ଅକ୍ଟୋବର ୧୬ରେ ରିପୋର୍ଟ ପଜିଟିଭ୍ ଥିବା ଜଣାପଡ଼ିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ମୋତେ ଭୁବନେଶ୍ବରସ୍ଥିତ ଓଡ଼ିଶା ସରକାରଙ୍କ ଦ୍ବାରା ବିକଶିତ କୋଭିଡ୍-୧୯ ହସ୍‌ପିଟାଲରେ ଭର୍ତ୍ତି କରା ଯାଇଥିଲା। ଗତ ସୋମବାର ମୁଁ ସୁସ୍ଥ ହୋଇ ସକୁଶଳେ ଘରକୁ ଫେରି ଆସିଛି। ଗୋଟିଏ ସପ୍ତାହ ଧରି ଡାକ୍ତରଖାନାରେ ରହି ସେଠାକାର କାର୍ଯ୍ୟ ଶୈଳୀକୁ ନିକଟରୁ ଦେଖିବା ପରେ ମୁଁ ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକାଲ କର୍ମଚାରୀଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଛି। ସେମାନେ ନିଜ ପରିବାରଠୁ ଅଧିକ ରୋଗୀଙ୍କର ଯତ୍ନ ନେଉଥିଲେ। ଚିକିତ୍ସା ହେଉ ବା ସ୍ବାସ୍ଥ୍ୟ ପରୀକ୍ଷା ଅବା ଅନ୍ୟ ଦୈନନ୍ଦିନ କାର୍ଯ୍ୟକୁ ସେମାନେ ଏତେ ସକାରାତ୍ମକ ଢଙ୍ଗରେ କରୁଥିଲେ ଯେ ତାହା ରୋଗୀଙ୍କୁ ଏକ ନୂଆ ଜୀବନ ପାଇଁ ପ୍ରେରିତ କରୁଥିଲା।

ଅପର ପକ୍ଷରେ ଭାରତ ସରକାରଙ୍କ ଦୂରଦର୍ଶୀ ଦୃଷ୍ଟିକୋଣ ଓ ଓଡ଼ିଶା ପ୍ରଶାସନ ଦ୍ବାରା ତାହାର ଉପଯୁକ୍ତ ପ୍ରଣୟନ ଯୋଗୁଁ ରାଜ୍ୟରେ ମହାମାରୀକୁ ଅନେକ ମାତ୍ରାରେ ନିୟନ୍ତ୍ରିତ କରାଯାଇ ପାରିଛି। କୋଭିଡ୍-୧୯ ସହ ଲଢ଼ିବାରେ ଓଡ଼ିଶା ସରକାର ଏକ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ସାଧାରଣ ତଥା ଘରୋଇ କ୍ଷେତ୍ର ସହ ସମସ୍ତ ହିତାଧିକାରୀଙ୍କୁ କୁଶଳତାର ସହ ଏହି ଲଢ଼େଇରେ ସାମିଲ କରି କୋଭିଡ୍-୧୯ ମୃତ୍ୟୁହାର ସର୍ବନିମ୍ନ ରଖିବା ତଥା ଆରୋଗ୍ୟ ହାର ବୃଦ୍ଧି କରିବାରେ ସଫଳ ହୋଇଛନ୍ତି। କରୋନା ବିରୋଧରେ ଲମ୍ବା ଲଢ଼େଇରେ ଓଡ଼ିଶା ସରକାରଙ୍କ ସହ ଭାଗିଦାର ହେବା ମହାନଦୀ କୋଲ୍‌ ଫିଲ୍‌ଡ ଲିମିଟେଡ୍ (ଏମ୍‌ସିଏଲ୍‌) ପାଇଁ ଏକ ସମ୍ମାନର ବିଷୟ। ସରକାର ଏବଂ ଘରୋଇ ସ୍ବାସ୍ଥ୍ୟ ପ୍ରଦାନକାରୀ ସଂସ୍ଥା ସହ ମିଶି ଏମ୍‌ସିଏଲ୍‌ ଭୁବନେଶ୍ବରରେ ୫୨୫ ଶଯ୍ୟା ଓ ତାଳଚେରରେ ୧୫୦ ଶଯ୍ୟା ବିଶିଷ୍ଟ ୨ଟି କୋଭିଡ୍ ହସ୍‌ପିଟାଲ୍‌ ଲୋକଙ୍କ ସେବାରେ ସମର୍ପିତ କରିଛି। ଏହା ବ୍ୟତୀତ ଝାରସୁଗୁଡ଼ା ଜିଲ୍ଲାରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ପ୍ରଯତ୍ନ କେନ୍ଦ୍ର, ସୁନ୍ଦରଗଡ଼ରେ ୨୦ ଶଯ୍ୟା, ଅନୁଗୁଳରେ ୧୫ ଶଯ୍ୟା ଓ ସମ୍ବଲପୁରରେ ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ମଧ୍ୟ କରିଛି।

ସନ୍ତୋଷର ବିଷୟ ଯେ ସେପ୍‌ଟେମ୍ବର ୩୦ ସୁଦ୍ଧା ଭୁବନେଶ୍ବର ଓ ତାଳଚେରର ଦୁଇ ସ୍ବତନ୍ତ୍ର କୋଭିଡ୍ ଡାକ୍ତରଖାନାରେ ୮୨୦୦ରୁ ଅଧିକ କରୋନା ରୋଗୀଙ୍କର ମାଗଣାରେ ଚିକିତ୍ସା କରାଯାଇଛି ଓ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାଛଡ଼ା ଭୂତାଣୁ ସଂକ୍ରମଣ ବିପଦର ଯାଞ୍ଚ ଓ ଅନ୍ୟ ଗତିବିଧି ପାଇଁ ଏମ୍‌ସିଏଲ୍‌ ପକ୍ଷରୁ ୫୩.୮୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

କୋଭିଡ୍ ୧୯ ମହାମାରୀ ସହ ଲଢ଼ିବାରେ ରାଜ୍ୟ ସରକାରଙ୍କ ପ୍ରୟାସ ତଥା ଉନ୍ନତ ଚିକିତ୍ସା ବ୍ୟବସ୍ଥାକୁ ଦେଖିବା ତଥା ନିଜେ ଅନୁଭବ କରିବା ପରେ ମୋ ବିଶ୍ବାସ ଆହୁରି ମଜବୁତ ହୋଇଛି ଯେ ପ୍ରଶାସନର ଉପଯୁକ୍ତ ପଦକ୍ଷେପ ତଥା ସାଧାରଣ ଓ ଘରୋଇ ଉଦ୍ୟୋଗର ମିଳିତ ଉଦ୍ୟମରେ ଆମେ ନିଶ୍ଚିତ ଭାବେ ଏହି ମହାମାରୀକୁ ପରାସ୍ତ କରିବାରେ ସକ୍ଷମ ହେବା।

ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ
ମହାନଦୀ କୋଲ୍‌ଫିଲ୍‌ଡ ଲିମିଟେଡ୍
[email protected]

ସମ୍ବନ୍ଧିତ ଖବର