ଭୁବନେଶ୍ବରୀ ଖଣି ସମ୍ପ୍ରସାରଣ ଟେଣ୍ଡର୍‌ ବାତିଲ କଲା ଏମ୍‌ସିଏଲ୍‌

ଅନୁଗୁଳ : ମହାନଦୀ କୋଲ୍‌ଫିଲ୍‌ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ତାଳଚେରରେ ଥିବା ଭୁବନେଶ୍ବରୀ ଖୋଲାମୁହଁ କୋଇଲା ଖଣିର ସମ୍ପ୍ରସାରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଏହି ସମ୍ପ୍ରସାରଣ ପାଇଁ ଟେଣ୍ଡର ହୋଇଥିଲେ ମଧ୍ୟ ଶେଷ ସମୟରେ ଏହାକୁ ବାତିଲ୍‌ କରାଯାଇଛି। ଟେଣ୍ଡର ପ୍ରକ୍ରିୟା ନେଇ ରହିଥିବା ସର୍ତ୍ତରେ ପରିବର୍ତ୍ତନ ହେବା କାରଣରୁ ଏହାକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ଏଥିନେଇ ଏମ୍‌ସିଏଲ୍‌ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁସାରେ, ତାଳଚେର ଭୁବନେଶ୍ବରୀ ଖୋଲାମୁହଁ କୋଇଲା ଖଣିର ସମ୍ପ୍ରସାରଣ ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଅର୍କପାଳ-ଏ ଓ ସାକ୍ଷୀଗୋପାଳ-ଏ ବ୍ଲକ୍‌ରୁ କୋଇଲା ଉତ୍ତୋଳନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ବାର୍ଷିକ ୫୦ ମେଟ୍ରିକ ଟନ୍‌ ହିସାବରେ ୧୪ ବର୍ଷ ପାଇଁ ଏଠାରୁ କୋଇଲା ଉତ୍ତୋଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରକଳ୍ପର ଆନୁମାନିକ ମୂଲ୍ୟ ୩୮୨୬.୦୧୪ କୋଟି ଟଙ୍କା ରହିଛି। ଏହି ପ୍ରକଳ୍ପ ପାଇଁ ଗତ ସେପ୍ଟେମ୍ବରରେ ଗ୍ଲୋବାଲ୍‌ ଟେଣ୍ଡର ଆହ୍ବାନ କରାଯାଇଥିଲା। ନଭେମ୍ବରରେ ଏହା ଖୋଲା ଯାଇଥିଲା। ଖୁବଶୀଘ୍ର ଏଠାରେ କାମ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ହଠାତ୍‌ ଏହି ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରି ଦେଇଛନ୍ତି। ଟେଣ୍ଡର ନେଇ ରହିଥିବା ବିଭିନ୍ନ ସର୍ତ୍ତ ପରିବର୍ତ୍ତନ କାରଣରୁ ଏହାକୁ ବାତିଲ କରାଯାଇଥିବା ଏମ୍‌ସିଏଲ୍‌ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ରେ କୁହାଯାଇଛି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଟେଣ୍ଡର ଆଦାନି ଗ୍ରୁପ୍‌ ହାତେଇଥିଲା। ଆଦାନି ଗ୍ରୁପ୍‌ ଏବେ ବିବାଦରେ ପଡ଼ିବା ପରେ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ତରବରିଆ ଭାବେ ଏହାକୁ ବାତିଲ କରିଦେଇଛନ୍ତି।

ସମ୍ବନ୍ଧିତ ଖବର