ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ଭରତପୁର ଖଣି ପରିଦର୍ଶନ

୨୮ତାରିଖ ସୁଦ୍ଧା ଏମସିଏଲର ୮୫ କୋଟି, ରାଜ୍ୟର ୧୭ କୋଟି ଓ କେନ୍ଦ୍ରର ୩୮ କୋଟି କ୍ଷତି

ତାଳଚେର : ଆଜି ଏମସିଏଲ୍‌ ସିଏମ୍‌ଡି ଭୋଳାନାଥ ଶୁକ୍ଳା ତାଳଚେର ଭରତପୁର କୋଇଲା ଖଣିର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ କାହିଁକି ଓ କିଭଳି ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେ ସଂପର୍କରେ ସିଏମଡି ଶ୍ରୀ ଶୁକ୍ଳା ଅନୁଧ୍ୟାନ କରିଥିଲେ। ଏହା ପରେ ସେ ଭରତପୁର ଅତିଥି ଭବନଠାରେ ଖଣି ଅଧିକାରୀ ଓ ଶ୍ରମିକ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ପରିସ୍ଥିତିର ସମୀକ୍ଷା କରିଥିଲେ। ମାଟି ଓ କୋଇଲା ତଳେ ଚାପି ହୋଇ ରହିଥିବା ରମେଶ ଦାସଙ୍କ ପରିବାର ସଦସ୍ୟଙ୍କୁ ଭେଟି ଶୀଘ୍ର ତାଙ୍କୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ଖଣି ବନ୍ଦ ଆନ୍ଦୋଳନ ଯୋଗୁଁ ଗତ ୨୮ ତାରିଖ ସୁଦ୍ଧା ଏମସିଏଲ୍‌ର ୮୫ କୋଟି, ରାଜ୍ୟର ୧୭ କୋଟି ଓ କେନ୍ଦ୍ରର ୩୮ କୋଟି କ୍ଷତି ହୋଇଥିବା ଶ୍ରୀ ଶୁକ୍ଳା ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ।

ସାମ୍ବାଦିକମାନଙ୍କ ସହ ଆଲୋଚନା କାଳରେ ଶ୍ରୀ ଶୁକ୍ଳା କହିଥିଲେ, ଦୁର୍ଘଟଣା ବ୍ଲାଷ୍ଟିଂ ପ୍ରଭାବରେ ଘଟି ନାହିଁ, ବରଂ ଏକ କୋଇଲା ଚଟାଣ ଉପରେ ଅନ୍ୟ ଏକ କୋଇଲା ବ୍ୟାରିୟର ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଲା। ଉତ୍ତୋଳନ ହେଉଥିବା ଅଞ୍ଚଳ କୋଇଲା ବ୍ୟାରିୟରଠାରୁ ୧୩୦ ମିଟର ଦୂରରେ ଥିବା ବେଳେ ବ୍ୟାରିୟର ୧୩୦ ମିଟର ଦୂରକୁ ଖସିପଡ଼ିବା ଏକ ଅପ୍ରତ୍ୟାଶିତ ଘଟଣା। ତେବେ ଦୁର୍ଘଟଣାର କାରଣ ଓ ଏଥିପାଇଁ ଦାୟୀ ଅଧିକାରୀଙ୍କୁ ଚିହ୍ନଟ ପାଇଁ ୩ଟି କମିଟି ଗଠନ କରାଯାଇଛି। ଡିଜିଏମଏସ, ଅଭ୍ୟନ୍ତରୀଣ ସୁରକ୍ଷା ସଂଗଠନ ଓ କୋଲ ଇଣ୍ଡିଆ ସ୍ତରରେ ଗଠିତ କମିଟିଗୁଡିକ ଖୁବ ଶୀଘ୍ର ଦୁର୍ଘଟଣାର କାରଣ ସଂପର୍କରେ ଅବଗତ କରାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଶୁକ୍ଳା ସୂଚନା ଦେଇଛନ୍ତି। ଉପସ୍ଥାନ ରେଜିଷ୍ଟର ଓ ବାଇଓମେଟ୍ରିକ ପଦ୍ଧତିକୁ ଅନୁଧ୍ୟାନ କରାଗଲା ପରେ ମୋଟ ୪ ଜଣ ଶ୍ରମିକ ମାଟି ଭିତରେ ପୋତି ହୋଇଥିବାର ସ୍ପଷ୍ଟ ହୋଇଛି। ଅନ୍ୟ କୋଇଲା ଖଣିଗୁଡିକରେ ଯେଭଳି ଭରତପୁର ଭଳି ଦୁର୍ଘଟଣା ନ ଘଟିବ ସେଥିପାଇଁ ସ୍ୱତନ୍ତ୍ର ସୁରକ୍ଷା କମିଟି ଗଠନ କରାଯାଇଛି। ଏହି କମିଟି ବିଭିନ୍ନ ଖଣି ଅଞ୍ଚଳ ପରିଦର୍ଶନ କରି ସମ୍ଭାବ୍ୟ ଦୁର୍ଘଟଣା ସଂପର୍କରେ ସୂଚନା ଦେବେ। ଖଣି ଅଞ୍ଚଳରେ ଦୁର୍ଘଟଣାରେ ମୃତାହତମାନଙ୍କ ପାଇଁ ପ୍ରଶାସନ ଓ ସମସ୍ତ ରାଜନୈତିକ ଦଳଗୁଡିକୁ ନେଇ ସର୍ବସମ୍ମତି କ୍ରମେ ଏକ ନିର୍ଦିଷ୍ଟ କ୍ଷତିପୂରଣ ରାଶି ସ୍ଥିର କଲେ, ଏହାକୁ ଏମସିଏଲ ପାଳନ କରିବ। ଏହାଦ୍ୱାରା ତୁରନ୍ତ ନିର୍ଦ୍ଧାରିତ କ୍ଷତିପୂରଣ ପ୍ରଦାନ କରି ଖଣି ବନ୍ଦ ଆନ୍ଦୋଳନକୁ ଏଡାଇ ଦିଆଯାଇପାରିବ ବୋଲି ଶ୍ରୀ ଶୁକ୍ଳା ପ୍ରକାଶ କରିଥିଲେ। ଏହା ସହିତ ତୁରନ୍ତ ଆନ୍ଦୋଳନ ବନ୍ଦ କରି ଖଣି ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର