ଏମସିଏଲ୍ ଜମିହରାଙ୍କୁ କ୍ଷତିପୂରଣରେ ଜାଲିଆତି: କର୍ମଚାରୀଙ୍କ ସମେତ ୩ ଗିରଫ

କ୍ଲେମ କମିସନଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତ ହୋଇଥିଲା ଜାଲ କାଗଜପତ୍ର

ଭୁବନେଶ୍ବର : ମହାନଦୀ କୋଲ୍ ଫିଲ୍‌ଡ୍‌ସ ଲିମିଟେଡ୍ (ଏମସିଏଲ୍) ଜମି ଅଧିଗ୍ରହଣରେ ଜମି ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦରେ କ୍ଲେମ୍ କମିସନଙ୍କ କାର୍ଯ୍ୟାଳୟରୁ ଏକ ସାଂଘାତିକ ଜାଲିଆତି ପଦାକୁ ଆସିଛି। କମିସନଙ୍କ କାର୍ଯ୍ୟା​ଳୟରେ କାର୍ଯ୍ୟରତ ଦୁଇ କର୍ମଚାରୀ ଓ ଜଣେ ଏମସିଏଲ୍ କର୍ମଚାରୀ ଏହି ଜାଲିଆତି କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଏହି ବଡ଼ଧରଣର ଠକେଇ ମାମଲାରେ ଖାରବେଳନଗର ଥାନା ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

ସେମାନେ ହେଲେ, ଏମସିଏଲ୍ କର୍ମଚାରୀ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା କରଲିକଚର ଅଞ୍ଚଳର ତ୍ରିଲୋଚନ ଦଣ୍ଡସେନା(୩୩), କ୍ଲେମ୍ କମିସନଙ୍କ କାର୍ଯ୍ୟାଳୟର ସାମୟିକ କିରାଣି ଭରତପୁରରେ ରହୁଥିବା କଟକ ମାହାଙ୍ଗା ଜଳେଶ୍ବରପୁର ଅଞ୍ଚଳର ସ୍ବାଗତ ପ୍ରକାଶ ବରାଳ(୩୫) ଓ କ୍ଲେମ୍ କମିସନଙ୍କ କାର୍ଯ୍ୟାଳୟରେ ଡେପୁଟେସନ୍‌ରେ ଆସିଥିବା ଏମସିଏଲର ବୈଷୟିକ ଇନ୍ସପେକ୍ଟର ଦୁଷ୍ମନ୍ତ ପଟେଲ(୪୩)। ସେମାନଙ୍କଠାରୁ କିଛି ଜାଲ କାଗଜପତ୍ର ଜବତ କରାଯାଇଛି। ତ୍ରିଲୋଚନ ଠକେଇ ରୢାକେଟ୍‌ର ମୁଖ୍ୟ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଆହୁରି କିଛି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ପୁଲିସ ସୂଚନା ଅନୁସାରେ, ଏମ୍‌ସିଏଲ କୋଇଲା ଖଣି ପାଇଁ କେତେକ ଗାଁର ଜମି ଅଧିଗ୍ରହଣ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ ଅଞ୍ଚଳର ମାଙ୍ଗାସିରା ଧୁରୁଆ ଓ ସମ୍ପର୍କୀୟଙ୍କର ମଧ୍ୟ ଜମି ଅଧିଗ୍ରହଣ ହୋଇଥିଲା। କ୍ଷତିପୂରଣ ବାବଦରେ ସେ ଓ ତାଙ୍କ ସମ୍ପର୍କୀୟମାନେ କ୍ଲେମ କମିସନଙ୍କ ନିକଟରେ ୨୦୧୭ରେ କେସ୍ ଫାଇଲ କରିଥିଲେ। ସିଭିଲ୍ କେସ୍ ନଂ-୩୦୬/୨୦୨୦ରେ ମାମଲା ରୁଜୁ ହୋଇଥିଲା। କେସ୍ ଫାଇଲ ସମ୍ପର୍କରେ ଜାଣିପାରି ମୁଖ୍ୟ ଅଭିଯୁକ୍ତ ତ୍ରିଲୋଚନ ଦଣ୍ଡସେନା କୌଶଳକ୍ରମେ ଆବେଦନକାରୀ ମାଙ୍ଗାସିରାଙ୍କ ସହ ଯୋଗାଯୋଗ କରିଥିଲା। ସେ ଅତି ସହଜରେ ତା’ କାମ କରାଇ ଦେବ ବୋଲି କହିଥିଲା। କ୍ଷତିପୂରଣ ବାବଦରେ କୋଟିଏରୁ ଅଧିକ ଟଙ୍କା ହୋଇଥିବାରୁ ସେ ୨୦ଲକ୍ଷ ଟଙ୍କା ନେବ ବୋଲି କହିଥିଲା। ସହଯୋଗୀଙ୍କ ପାଇଁ ୧୦ ଲକ୍ଷ ଟଙ୍କାରେ ଡିଲ୍ କରିଥିଲା। ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ମାତ୍ରେ ସେ ନେବ ବୋଲି କଥାବାର୍ତ୍ତା ହୋଇଥିଲା। ଜମି ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ଲାଗି ଏମସିଏଲ ପାଇଁ ଅବସ୍ଥାପିତ ଏଡିଏମ୍‌ଙ୍କ ପାଖକୁ ନିର୍ଦ୍ଦେଶ ଯାଇଥାଏ। ଅଭିଯୁକ୍ତ ଓ ସେମାନଙ୍କ ସହଯୋଗୀମାନେ ଜାଲ ନିର୍ଦ୍ଦେଶନାମା ବାହାର କରିବା ସହ କମିସନଙ୍କ ଜାଲ ଦସ୍ତଖତ ବଳରେ ଏହାକୁ ଏଡିଏମଙ୍କ ପାଖକୁ ପଠାଇ ଦେଇଥିଲେ। ଏହାର ଏକ ଫାଇଲ ମଧ୍ୟ ପ୍ରସ୍ତୁତ କରିଦେଇଥିଲେ। ନିୟମ ଅନୁସାରେ ନିର୍ଦ୍ଦେଶନାମା ପାଇବା ପରେ ଏଡିଏମ୍ ଆବେଦନକାରୀ ମାଙ୍ଗାସିରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ କୋଟି ୧୬ ଲକ୍ଷ ୪୩ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ଯେତେବେଳେ କମିସନଙ୍କ ନିକଟକୁ କେସ୍ ଫାଇଲ ଆସିଲା ସେତେବେଳେ କ୍ଷତିପୂରଣ ଦିଆସରିଥିବା ଜଣାପଡ଼ିଥିଲା। ଶୁଣାଣି ପାଇଁ ମାମଲା କମିସନଙ୍କ ନିକଟକୁ ନ ଆସି କେମିତି କ୍ଷତିପୂରଣ ଦିଆଗଲା, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତୁରନ୍ତ ମାଙ୍ଗାସିରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଥିଲା। କିନ୍ତୁ ସେତେବେଳକୁ ଅଭିଯୁକ୍ତମାନେ ୩୦ଲକ୍ଷ ଟଙ୍କା ନେଇ ଯାଇଥିଲେ।

ପୁଲିସ ତଦନ୍ତରୁ ଜଣାପଡ଼ିଛି, ମାଙ୍ଗାସିରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ ସେ ତ୍ରିଲୋଚନର ବ୍ୟାଙ୍କ ଆକାଉଣ୍ଟକୁ ତୁରନ୍ତ ୨୦ ଲକ୍ଷ ଟଙ୍କା ଟ୍ରାନ୍ସଫର୍‌ କରିଥିଲେ। ସ୍ବାଗତ ବରାଳକୁ ୧୦ଲକ୍ଷ ଟଙ୍କା ଦେଇଥିଲେ। ତ୍ରିଲୋଚନକୁ ମିଳିଥିବା ଟଙ୍କାରୁ ଅଭିଯୁକ୍ତ ଦୁଷ୍ମନ୍ତକୁ ୫ ଲକ୍ଷ ଟଙ୍କା, ସ୍ବାଗତ ବରାଳକୁ ୩ ଲକ୍ଷ ଟଙ୍କା ଦେଇଥିବା ବେଳେ ଅଫିସ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ପୁଲିସ ଜାଣିବାକୁ ପାଇଛି। ତ୍ରିଲୋଚନର ବ୍ୟାଙ୍କ ଆକାଉଣ୍ଟକୁ ପୁଲିସ ଅଚଳ କରିଥିବା ବେଳେ ସେଥିରେ ୧ ଲକ୍ଷ ୧୬ ହଜାର ଟଙ୍କା ରହିଛି ବୋଲି ଜଣାପଡ଼ିଛି।
ପୁଲିସ୍‌ ତଦନ୍ତ ଚଳାଇବା ସହିତ ଗିରଫ ଅଭିଯୁକ୍ତମାନଙ୍କୁ ଆଜି ଅପରାହ୍ନରେ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର