ସର୍ବୋଚ୍ଚ ନ୍ୟାୟାଳୟରେ ଅଟକିଛି ଏମସିଏଲ୍  ବିସ୍ଥାପିତଙ୍କ ଭାଗ୍ୟ

କ୍ଷତିପୂରଣ, ଥଇଥାନ ଓ ପୁନର୍ବାସ ମାମଲା

ସୁନ୍ଦରଗଡ଼: ହେମଗିରସ୍ଥିତ ମହାନଦୀ ଖୋଲା ମୁହଁ କୋଇଲା ଖଣି (ଏମସିଏଲ) ବିସ୍ଥାପିତଙ୍କ କ୍ଷତିପୂରଣ ସହ  ଥଇଥାନ ଓ ପୁନର୍ବାସକୁ ନେଇ କମ୍ପାନି ମନମାନୀ କରୁଥିବା ଅଭିଯୋଗ ରହିଛି। ଏ ନେଇ ବିସ୍ଥାପିତ ବିଭିନ୍ନ ସମୟରେ ପ୍ରତିବାଦ, ଧାରଣା ଦେବା ସହ ନ୍ୟାୟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।  ଏହିକ୍ରମରେ ମାମଲାର ବିଚାର ଚାଲିଥିବା ବେଳେ ୨୦୨୧ ନଭେମ୍ବର ୧୭ ତାରିଖରେ ନ୍ୟାୟାଳୟ ଏହାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏହା ମଧ୍ୟରେ ୪ ମାସ ବିତିଯାଇଛି।  ରାୟ ଅପେକ୍ଷାରେ ଥିବା ବିସ୍ଥାପିତ ଆଶା, ଆଶଙ୍କାରେ ଦିନ କାଟୁଛନ୍ତି।

ସୂଚନାଯୋଗ୍ୟ,  ଏମସିଏଲ ୧୫ ଖଣ୍ଡ ଗ୍ରାମକୁ ୧୯୮୭ ମସିହାରେ କୋଲବିଅରିଂ ଆଇନ ଅନୁଯାୟୀ, କିଣାବିକାରେ ରହିତାଦେଶ ଜାରି କରି ବହୁ ବର୍ଷ ଧରି କ୍ଷତିପୂରଣ ନଦେବାରୁ ଗୋପାଳପୁର ଗ୍ରାମର ମାଥିଆସ ଓରାମ ୨୦୦୩ ମସିହାରେ ଉଚ୍ଚ ନ୍ୟାୟାଳୟଙ୍କ ଆଶ୍ରୟ ନେଇଥିଲେ ଓ ନ୍ୟାୟାଳୟ ୨୦୦୭ ମସିହାରେ ବିସ୍ଥାପିତଙ୍କ ସପକ୍ଷରେ ଆଦେଶ କରି ନିଯୁକ୍ତି କ୍ଷତିପୂରଣ ଆଦି ପ୍ରଦାନ ପାଇଁ ଏମସିଏଲକୁ ଆଦେଶ କରିଥିଲେ । ଏହା ବିରୁଦ୍ଧରେ  ଏମସିଏଲ ୨୦୦୭ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇଥିଲା ।

୨୦୧୦ ମସିହାରେ  ମାମଲାରେ  ସର୍ବୋଚ୍ଚ ନ୍ୟାୟାଳୟ ଏମସିଏଲ ବିସ୍ଥାପିତଙ୍କ ସପକ୍ଷରେ ରାୟ ଦେଇ ୨୦୦୬ ନୀତି ଓ ୧୮୯୪ ଜମି ଅଧିଗ୍ରହଣ ଆଇନରେ ଗୋପାଳପୁର ଗ୍ରାମକୁ ମଡେଲ ଭାବେ ନେଇ ୬ ମାସ ମଧ୍ୟରେ ସର୍ଭେ ଓ ଦୁଇ ମାସ ମଧ୍ୟରେ ନିଯୁକ୍ତି କ୍ଷତିପୂରଣ ଓ ଥଇଥାନ, ପୁନର୍ବାସ ପାଇଁ କହିବା ସହ ଅନ୍ୟ ୧୫ ଖଣ୍ଡ ଗ୍ରାମ ସରଡେଗା, ଟିକିଲିପଡା, ବଲିଙ୍ଗା, ବାଙ୍କିବାହାଲ, ଗର୍ଜନବାହାଲ, ବାଙ୍ଗୁରକେଲା, କୁଲଡା, କର୍ଲିକଛାର, ସିଆରମାଲ, ଝୁପୁରଙ୍ଗା, ତୁମଲିଆ, କିରିପସିରା, ରତନସରା ଓ ଲାଲମା ସଂରକ୍ଷିତ ଜଙ୍ଗଲକୁ ମଧ୍ୟ ସେହିପରି କ୍ଷତିପୂରଣ ଓ ଥଇଥାନ, ପୁନର୍ବାସ ସୁବିଧା ଦେବାକୁ ଆଦେଶ କରିଥିଲେ।

କିନ୍ତୁ  ସର୍ବୋଚ୍ଚ ନ୍ୟାୟାଳୟ   ଆଦେଶକୁ ଅବମାନନା କରି ଏମସିଏଲ ବାଙ୍ଗୁରକେଲା ଗ୍ରାମର କିଛି ପରିବାରର ଜମି ଅନ୍ୟ କମ୍ପାନୀରେ ଯିବ କହି ଯୋଗ୍ୟଲୋକଙ୍କୁ ନିଯୁକ୍ତି ନଦେବା , କ୍ଳେମ୍ସ କମିଶନଙ୍କ ଆଦେଶ ଓ ଓଡ଼ିଶା ଥଇଥାନ ପୁନର୍ବାସ ନୀତି  ୨୦୦୬ ସଂଶୋଧନକୁ ଏମସିଏଲ ନମାନି ବିସ୍ଥାପିତ ପରିବାର ୧୮ ବର୍ଷରୁ ଉର୍ଦ୍ଧ୍ବ ପୁଅଝିଅ ଓ ନାତିମାନଙ୍କୁ ନିଯୁକ୍ତି ନଦେଇ ବାରମ୍ବାର ପୁନର୍ବିଚାର ପାଇଁ କୋର୍ଟରେ ଆବେଦନ କରିବା, ଥଇଥାନ ଓ ପୁନର୍ବାସ ସଠିକ ଭାବେ କରାଯାଉ ନଥିବା,  ୧୯୯୫ ମସିହାରେ ଟିକିଲିପଡ଼ା ଓ ସରଡେଗା ଗ୍ରାମକୁ ବିସ୍ଥାପିତ କରିଥିବା ସତ୍ତ୍ବେ ସ୍ଥାୟୀ ଜମିପଟ୍ଟା ଓ ବିସ୍ଥାପିତ ସାର୍ଟିଫିକେଟ ପ୍ରଦାନ କରିନଥିବା, ତୁମୁଲିଆ ଓ ଅନ୍ୟ ଗ୍ରାମଗୁଡ଼ିକୁ ସମୟ ସୀମା ମଧ୍ୟରେ ନିଯୁକ୍ତି ଦେବା ଏବଂ ୨୦୧୩ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବା, ଝୁପୁରୁଙ୍ଗା ଗ୍ରାମକୁ ନୂତନ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ, ରତନସରା ଓ କିରିପସିରା ଗ୍ରାମକୁ ନୂତନ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ ସହ ନିଯୁକ୍ତି ଓ ପୁନର୍ବାସ ପ୍ରଦାନ କରିବା, କ୍ଷତିପୂରଣ ପାଇଥିବା ଗୋପାଳପୁର ଓ ଅନ୍ୟ ଗ୍ରାମଗୁଡ଼ିକୁ ସମ୍ପୂର୍ଣ୍ଣ ବିସ୍ଥାପିତ ନକରିବା ପର୍ଯ୍ୟନ୍ତ ଓଡ଼ିଶା ଥଇଥାନ ଓ ପୁନର୍ବାସ ନୀତି  ୨୦୦୬ ଅନୁସାରେ ପ୍ରତି ବର୍ଷ ଜାନୁଆରୀ ମାସରେ ସଂଶୋଧିତ  କରି ପ୍ରତ୍ୟେକ ୧୮ ବର୍ଷ ପୁଅଝିଅ ଓ ନାତିଙ୍କୁ ନିଯୁକ୍ତି ପ୍ରଦାନ କରିବା, ପୁନର୍ବାସ ପାର୍ଶ୍ବରେ ପ୍ରତି ପରିବାରକୁ ୧୦ ଡିସିମିଲ ଜମିପଟ୍ଟା ପ୍ରଦାନ ସହ ଘର ତିଆରି ପାଇଁ   ୧୪ ଲକ୍ଷ ଟଙ୍କା ଦେବାକୁ ଆବେଦନ ହୋଇଥିଲା। କିନ୍ତୁ ଏମସିଏଲର ମନମୁଖୀ କାର୍ଯ୍ୟ ଓ ବାରମ୍ବାର ପୁନର୍ବିଚାର ଆବେଦନ ଯୋଗୁଁ ବହୁ ବର୍ଷ ଧରି ବିସ୍ଥାପିତମାନେ ନ୍ୟାୟ ପାଇପାରି ନଥିବା ଅଭିଯୋଗ ହୋଇଥିଲା।

୨୦୧୮ ପର୍ଯ୍ୟନ୍ତ ଗୋପାଳପୁର, ସରଡେଗା, ଟିକିଲିପଡା, ବଲିଙ୍ଗା, ବାଙ୍କିବାହାଲ, ଗର୍ଜନବାହାଲ, ବାଙ୍ଗୁରକେଲା, କୁଲଡା, କର୍ଲିକଛାର ଓ ସିଆରମାଲ ଗ୍ରାମଗୁଡ଼ିକୁ ନିଯୁକ୍ତି କ୍ଷତିପୂରଣ ପ୍ରଦାନ କରିଥିବା ବେଳେ କିଛି ପରିବାରକୁ ପୁନର୍ବାସ କରିଥିଲେ । କିନ୍ତୁ ଆଉ ୪ଟି ଗ୍ରାମ ଝୁପୁରୁଙ୍ଗା, ତୁମୁଲିଆ ଓ କିରିପସିରା ଗ୍ରାମକୁ ବଞ୍ଚିତ କରାଯାଇଥିଲା।  କିରିପସିରା ଓ ରତନସରା ଗ୍ରାମକୁ କୋଲଇଣ୍ଡିଆ ଅନ୍ୟ କୋଲବ୍ଲକ ସହ ଆବଣ୍ଟନ କରିଥିବା କହି ଏମସିଏଲ ନିଯୁକ୍ତି ଓ ପୁନର୍ବାସ ପାଇଁ ମନା କରିଥିବା ବେଳେ କିରିପସିରା ଗ୍ରାମ ସର୍ଭେ ପରେ କ୍ଳେମ୍ସ କମିଶନଙ୍କ କ୍ଷତିପୂରଣ ନେଇ ଜନଶୁଣାଣି ନୋଟିସ ଗ୍ରହଣ କରିନଥିଲେ ।

ରତନସରା ମଧ୍ୟ ସର୍ଭେକୁ ବିରୋଧ କରିଥିଲେ । ୧.୯.୨୦୧୫ ମସିହାରୁ କୋଲବିଅରିଂ ଅଞ୍ଚଳରେ ନୂତନ ଜମି ଅଧିଗ୍ରହଣ ଆଇନ ୨୦୧୩ ଲାଗୁହେବା ପରେ ନୂତନ ଜମି ଅଧିଗ୍ରହଣ ଲାଗୁ କରିବା ପାଇଁ କ୍ଳେମ୍ସ କମିଶନଙ୍କ ଠାରେ ଝୁପୁରୁଙ୍ଗା ଓ କିରିପସିରା ମାମଲା ଦାଏର କରିଥିଲେ । କିନ୍ତୁ କ୍ଳେମ୍ସ କମିଶନରେ  ପିଟିସନ ଖାରଜ ହୋଇଯାଇଥିଲା। ଏହା ପରେ ଝୁରୁରୁଙ୍ଗା ଗ୍ରାମବାସୀ ସହ ରତନସରା, କିରପସିରା, ଟିକିଲିପଡ଼ା ସରଡେଗା  ସର୍ବୋଚ୍ଚ ନ୍ୟାୟାଳୟରେ   ନୂତନ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ ପାଇଁ ମାମଲା ଦାଏର କରିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ମାମଲା ଲଢ଼ୁଥିଲେ।

ସମ୍ବନ୍ଧିତ ଖବର