ଅନୁଗୁଳ : ତାଳଚେର ଏରିଆରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍‌ସିଏଲ୍‌ କୋଇଲା ଉତ୍ପାଦନର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରି ପାରୁନାହିଁ। ବର୍ଷେ, ଅଧେ ନୁହେଁ; କ୍ରମାଗତ ୧୦ ବର୍ଷ ହେଲା ଏମ୍‌ସିଏଲ୍‌ ତାଳଚେରରେ ଏହି ଲକ୍ଷ୍ୟ ହାସଲରେ ଫେଲ୍ ମାରି ଚାଲିଛି। କଳାହୀରା କୋଇଲାର ବ୍ୟାପକ କଳାବେପାର ସାଙ୍ଗକୁ ଅଧିକାରୀମାନଙ୍କ ପରିଚାଳନାଗତ ଅପାରଗତା ଯୋଗୁଁ ଏଭଳି ପରିସ୍ଥିତି ଲାଗି ରହିଥିବା ତଥ୍ୟାଭିଜ୍ଞ ମହଲ ମତବ୍ୟକ୍ତ କରୁଛନ୍ତି। ଫଳରେ ଅସାଧୁ ଅଧିକାରୀ ଓ କୋଇଲା ମାଫିଆଙ୍କୁ ନେଇ ପରିଚାଳିତ ରାକେଟ୍‌ କୋଟି କୋଟି ଟଙ୍କା ରୋଜଗାର କରି ମାଲାମାଲ୍‌ ହେଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷ ଆଶାନୁରୂପ ରାଜସ୍ବ ପାଇବାରୁ ବଂଚିତ ହେଉଛି।

Advertisment

publive-image Deccan Chronicle

ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ତଥ୍ୟ ଅନୁସାରେ, ଏମ୍‌ସିଏଲ୍‌ ତାଳଚେର ଏରିଆରେ ୨୦୧୦-୧୧ ମସିହାରେ ୭୫.୨ ନିୟୁତ ଟନ୍ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ମାତ୍ର ୫୨.୦ ନିୟୁତ ଟନ୍ ଉତ୍ପାଦିତ ହୋଇପାରିଥିଲା। ସେହିପରି ୨୦୧୧-୧୨ ଆର୍ଥିକବର୍ଷରେ ୫୯.୬ ନିୟୁତ ଟନ୍ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ୫୩.୮ନିୟୁତ ଟନ୍, ୨୦୧୨-୧୩ ଆର୍ଥିକବର୍ଷରେ ୬୩.୫ ନିୟୁତ ଟନ୍ ସ୍ଥଳେ ୬୧.୧ ନିୟୁତ ଟନ୍, ୨୦୧୩-୧୪ ଆର୍ଥିକବର୍ଷରେ ୭୩.୩ ନିୟୁତ ଟନ୍ ଜାଗାରେ ୬୩.୯ ନିୟୁତ ଟନ୍, ୨୦୧୪-୧୫ ଆର୍ଥିକବର୍ଷରେ ୭୬.୯ ନିୟୁତ ଟନ୍ ଜାଗାରେ ୭୧.୦ନିୟୁତ ଟନ୍, ୨୦୧୫-୧୬ ଆର୍ଥିକ ବର୍ଷରେ ୯୨.୯ ନିୟୁତ ଟନ୍ ଜାଗାରେ ୭୧.୦ ନିୟୁତ ଟନ୍, ୨୦୧୬-୧୭ ଆର୍ଥିକ ବର୍ଷରେ ୧୦୫.୬ ନିୟୁତ ଟନ୍ ଉତ୍ପାଦନର ଲକ୍ଷ୍ୟ ଥିବାବେଳେ ୭୯.୯ ନିୟୁତ ଟନ୍ ଉତ୍ପାଦିତ ହୋଇଥିଲା। ସେହିପରି ୨୦୧୭-୧୮ ଆର୍ଥିକବର୍ଷରେ ୮୮.୮ ନିୟୁତ ଟନ୍ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୮୧.୮ ନିୟୁତଟନ୍, ୨୦୧୮-୧୯ ଆର୍ଥିକ ବର୍ଷରେ ୯୨.୮ନିୟୁତ ଟନ୍ ଲକ୍ଷ୍ୟ ଥିବାବେଳେ ୮୨.୦ ନିୟୁତ ଟନ୍ ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ୯୮.୬ ମିଲିୟନ ଟନ୍ ଲକ୍ଷ୍ୟ ଥିବାବେଳେ ୮୦.୬ ନିୟୁତ ଟନ୍ ଉତ୍ପାଦିତ ହୋଇପାରିଥିଲା। କ୍ରମାଗତ ଦଶନ୍ଧି ଧରି ଟାର୍ଗେଟ ହାସଲରେ ଏହି ବିଫଳତା ଅଧିକାରୀମାନଙ୍କର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ ଯେ, ତାଳଚେରର ହିଙ୍ଗୁଳା, ବଳରାମ, ଭରତପୁର, ଅନନ୍ତ, ଜଗନ୍ନାଥ, ଲିଙ୍ଗରାଜ, ଭୁବନେଶ୍ବରୀ ଆଦି ଖୋଲାମୁହଁ କୋଇଲା ଖଣି ରହିଛି। ‌ଖଣିଗୁଡ଼ିକରେ ଅପର୍ଯ୍ୟାପ୍ତ କୋଇଲା ମହଜୁଦ ରହିଛି। ଉତ୍ପାଦନ ଲକ୍ଷ୍ୟ ହାସଲ ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବ୍ୟାପକ ରାଜସ୍ବ ମିଳନ୍ତା। କେବଳ ସେତିକି ନୁହେଁ, ଜିଲ୍ଲା ଖଣିଜ ପାଣ୍ଠିକୁ ଅଧିକ ଅର୍ଥ ଆସିବା ସହିତ ଜିଲ୍ଲାରେ ଅନେକ ଉନ୍ନୟନ କାର୍ଯ୍ୟ ‌ମଧ୍ୟ ହୋଇପାରନ୍ତା। ମାତ୍ର ଏମ୍‌ସିଏଲ୍‌ର ଅଧିକାରୀ ଓ ଖଣି ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଖଣିଗୁଡ଼ିକରୁ ବ୍ୟାପକ କୋଇଲା ଚୋରି ହେଉଛି। ଅଧିକାରୀ ଓ ମାଫିଆମାନେ ବେଶ୍ ମାଲାମାଲ ହେଉଥିବାବେଳେ ସରକାରଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି।