ଏମ୍‌ସିଏଲ୍‌କୁ ୪ ପୁରସ୍କାର

ସମ୍ବଲପୁର : କୋଲ ଇଣ୍ଡିଆ ଅଧିନସ୍ଥ ରାଷ୍ଟ୍ରାୟତ୍ତ କୋଇଲା କମ୍ପାନି ମହାନଦୀ କୋଲଫିଲ୍‌ଡ ଲିମିଟେଡ୍ (ଏମ୍‌ସିଏଲ୍) ଜନ ସଂପର୍କ କାର୍ଯ୍ୟ ପାଇଁ ୪ଟି ଉତ୍କର୍ଷ ପୁରସ୍କାର ଲାଭ କରିଛି। ଭାରତୀୟ ଜନ ସଂପର୍କ ପରିଷଦ (ପିଆର୍‌ସିଆଇ) ଆନୁକୂଲ୍ୟରେ ଶନିବାର ଜୟପୁରରେ ଆୟୋଜିତ ୧୩ତମ ବିଶ୍ବ ଯୋଗାଯୋଗ ଉତ୍ସବ (ଗ୍ଲୋବାଲ କମ୍ୟୁନିକେସନ କନ୍‌କ୍ଲେଭ) ଅବସରରେ ଆୟୋଜିତ ୯ମ ପିଆର୍‌ସିଆଇ ଉତ୍କର୍ଷ ସମ୍ମାନ କାର୍ଯ୍ୟକ୍ରମରେ ଏମ୍‌ସିଏଲ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଭାଗର ଏ୧ ଅଫିସ ସୁପରିଟେଣ୍ଡେଣ୍ଟ ମାନସ ରଂଜନ ପଟ୍ଟନାୟକ ଏବଂ ବରିଷ୍ଠ ଅନୁବାଦକ ଚିତ୍ତରଂଜନ ନାହାକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ନିର୍ବାଚନ କମିସନର୍‌ ସୁନୀଲ ଅରୋରାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସାଂସଦ ଏଚ୍‌କେ ଦୁଆ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଏମ୍‌ସିଏଲ୍‌ର ଦୁର୍ନୀତି ବିରୋଧରେ ଲଢ଼େଇ ସଂପର୍କିତ ରେଡିଓ ବିଜ୍ଞାପନକୁ ସ୍ବର୍ଣ୍ଣ, ଶିଶୁମାନଙ୍କ ସୃଜନଶୀଳତା ଆଧାରିତ ଟେବୁଲ କ୍ୟାଲେଣ୍ଡର ଓ ମହାତ୍ମା ଗାନ୍ଧୀଙ୍କ ଜନସେବା ସଂପର୍କିତ ବିଜ୍ଞାପନ କାଂସ୍ୟ ପୁରସ୍କାର ପାଇଥିଲା। କାର୍ଯ୍ୟସ୍ଥଳରେ ସଚ୍ଚୋଟତା ଉପରେ କାର୍ଟୁନ ବାର୍ତ୍ତା ଜରିଆରେ ପ୍ରସ୍ତୁତ କାନ୍ଥ କ୍ୟାଲେଣ୍ଡର ସ୍ବତନ୍ତ୍ର ପ୍ରଶଂସା ପୁରସ୍କାର ପାଇଥିଲା। ଯୋଗାଯୋଗ ଓ ଜନସଂପର୍କ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ଏମ୍‌ସିଏଲ୍‌ ଜନସଂପର୍କ ବିଭାଗ ନିୟମିତ ବିଭିନ୍ନ ଜାତୀୟସ୍ତରର କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇ ଆସୁଛି। ୯ମ ପିସିଆର୍‌ଆଇ ଉତ୍କର୍ଷ ପୁରସ୍କାର କାର୍ଯ୍ୟକ୍ରମରେ ୨୦୦ ସରକାରୀ, ପବ୍ଲିକ ଓ ପ୍ରାଇଭେଟ୍‌ ସେକ୍ଟର ଅନୁଷ୍ଠାନ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର