ଏମ୍‌ସିଏଲ୍‌ ଅଧୀନରେ ପଡ଼ି ରହିଥିବା ଜମିକୁ ଚାଷୀଙ୍କୁ ଫେରାଇବା ଘଟଣା : ନିଜର ଦୋଷ ଲୁଚାଇବାକୁ ମୁଖ୍ୟମନ୍ତ୍ରୀ ଏଭଳି ନୀତି ଆପଣାଉଛନ୍ତି-ବିଜେପି

ଭୁବନେଶ୍ବର : ଚଳିତମାସ ୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍‌ସିଏଲ୍ ଅଧୀନରେ ପଡ଼ି ରହିଥିବା ଜମିକୁ ଚାଷୀଙ୍କୁ ଫେରାଇବା ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ରାଜ୍ୟ ବିଜେପି। ମୁଖ୍ୟମନ୍ତ୍ରୀ ନିଜର ଦୋଷ ଲୁଚାଇବାକୁ ଏଭଳି ନୀତି ଆପଣାଉଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।

ରାଜ୍ୟ ବିଜେପି ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନବୀନ ସରକାର ଶିଳ୍ପ ସଂସ୍ଥାମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଚାଷୀଙ୍କଠାରୁ ହଜାର ହଜାର ଏକର ଜମି ଶିଳ୍ପସଂସ୍ଥା ହାତକୁ ଟେକି ଦେଇଛନ୍ତି। ‌ସେଥିରୁ ଅଧାରୁ ଅଧିକ ଜମି ବ୍ୟବହାର ନ ହୋଇ ଶିଳ୍ପସଂସ୍ଥାଙ୍କ ପାଖରେ ପଡ଼ି ରହିଛି। ଜମି ଅଧିଗ୍ରହଣ ଆଇନ ୨୦୧୩କୁ ଅପବ୍ୟବହାର କରି ରାଜ୍ୟ ସରକାର ୩୦ହଜାର ୯ଶହ ଏକର ଚାଷ ଜମିକୁ ୫୪ଟି ବଡ଼ ଶିଳ୍ପାନୁଷ୍ଠାନକୁ ପ୍ରଦାନ କରିଥିଲେ। ସେଥିରୁ ୧୪ହଜାର ୨ଶହ ୯୬ଏକର ଚାଷ ଜମି ‘ପବ୍ଲିକ୍ ପର୍ପୋଜ କ୍ଲଜ୍’ ଜରିଆରେ ଅଧିଗ୍ରହଣ କରିଥିଲେ। ସେହିପରି ୭ହଜାର ୨୫ଏକର ଜମିକୁ ‘ଏମରଜେନ୍ସି ପ୍ରୋଭିଜନ୍’ ଆଳ କରି ହାତେଇବା ସହିତ ଚାଷୀକୂଳକୁ ଠକିଥିଲେ। ଏମ୍‌ଜିଏମ୍‌ ଷ୍ଟିଲ୍, ମୋନେଟ ପାୱାର ଓ ମୋନେଟ ଏନର୍ଜି ଭଳି ଘରୋଇ ସଂସ୍ଥାମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଆବଶ୍ୟକତାଠାରୁ ଅଧିକ ୧ହଜାର ୩ଶହ ୨୪ଏକର ପ୍ରଦାନ କରିଥିଲେ। ଏ ସମସ୍ତ ଜମି ୬ମାସ ମଧ୍ୟରେ ବ୍ୟବହାର କରିବା ଜରୁରୀ ଥିଲେ ହେଁ ୬ବର୍ଷ ପରେ ଏ ପର୍ଯ୍ୟନ୍ତ ୧୬୮୨୮ ଏକର ଜମି ବ୍ୟବହାର ‌ନ ହୋଇ ପଡ଼ି ରହିଛି। ନିଜ ଦୋଷ ପଦାରେ ପଡ଼ି ଥିବାରୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଏଭଳି ଅପପ୍ରୟାସ କରିଛନ୍ତି। କେତେ ଜମି ଚାଷୀଙ୍କଠାରୁ ଛଡ଼େଇ ଆଣି ଶିଳ୍ପସଂସ୍ଥାଙ୍କ ହାତରେ ଟେକି ଦେଇଛନ୍ତି ରାଜ୍ୟ ସରକାର ଏକ ‌ଶ୍ବେତପତ୍ର ପ୍ରଦାନ କରି ହିସାବ ଦିଅନ୍ତୁ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ସମ୍ବନ୍ଧିତ ଖବର