ଏମ୍‌ସିଏଲ୍‌ ଖଣି ଅଞ୍ଚଳର ଯନ୍ତ୍ରଣା: କୋଇଲା ଧୂଳିଧୂଆଁରେ କଲବଲ ଜନଜୀବନ

ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

ସୁନ୍ଦରଗଡ଼ : ୨୬ ବର୍ଷର ଏମ୍‌ସିଏଲ୍‌। ଲାଭ ଓ ଲୋଭ ଦେଖାଇ ଗୋଟିଏ ପରେ ଗୋଟିଏ କୋଇଲା ଖଣି ଖୋଳି ଚାଲିଥିବା ଏହି କମ୍ପାନି ହେମଗିରକୁ କେବଳ ବିସ୍ଥାପନ, ପ୍ରଦୂଷଣ ଓ ଦୁର୍ଘଟଣାରେ କଲବଲ କରିଚାଲିଛି। ପରିବେଶ ମଞ୍ଜୁରିର କଡ଼ା ସର୍ତ୍ତ ଗାଁ ମଧ୍ୟ ଦେଇ କୋଇଲା ପରିବହନ ନକରିବା ଓ ଏଥିପାଇଁ ଏମ୍‌ସିଏଲ୍‌ ସ୍ବତନ୍ତ୍ର କରିଡର ବା ବାଇପାସ୍‌ ରାସ୍ତା ନିର୍ମାଣ କରିବା, ବିଶେଷ କରି ଖଣି କାର୍ଯ୍ୟ ଓ ଖଣିଜ ଦ୍ରବ୍ୟ ପରିବହନରେ ବ୍ୟବହୃତ ରାସ୍ତାରେ ୨୪ ଘଣ୍ଟିଆ ପାଣି ସିଞ୍ଚନ, ଧୂଳିର ନିରାକରଣ ପାଇଁ ଖଣି ସୀମାରେ ୭୫ ମିଟର ସବୁଜ ବଳୟ ସୃଷ୍ଟିକୁ ସମ୍ପୂର୍ଣ୍ଣ ଅବମାନନା କରି ଏମ୍‌ସିଏଲ୍‌ କୋଇଲା ପରିବହନ କରି ଜନଜୀବନକୁ ଧୂଳିଧୂଆଁରେ ପୋତି ପକାଉଥିବା ବେଳେ କୋଇଲା ବୋଝେଇ ଗାଡ଼ି ଦୁର୍ଘଟଣା ଅନେକ ପରିବାରର ମୁରବି ଓ ଉପାର୍ଜନକ୍ଷମଙ୍କ ଜୀବନ ନେଇଛି ଅଥବା ପଙ୍ଗୁ ହୋଇ ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ଏ ସ୍ଥିତିରେ ୨୦୨୧ ଜାନୁଆରିରେ ଏମ୍‌ସିଏଲ୍‌ ବିରୋଧରେ ସ୍ବର ତେଜୀୟାନ କରିଥିଲେ ସ୍ଥାନୀୟ ବିସ୍ଥାପିତ ଓ ପ୍ରଭାବିତ ଲୋକେ। ହେଲେ ପ୍ରଶାସନ ସେ ସ୍ବରସବୁକୁ ଚାପି ଦେଇଥିଲା। ଆନ୍ଦୋଳନକାରୀଙ୍କୁ ପଠାଇ ଦେଇଥିଲା ଜେଲ୍‌। ଏହା ସତ୍ତ୍ବେ ବିସ୍ଥାପିତ, ପ୍ରଭାବିତ ଅଞ୍ଚଳବାସୀଙ୍କ ଯନ୍ତ୍ରଣା ସରୁନାହିଁ। ସାଧାରଣ ଜନଜୀବନ ପ୍ରଦୂଷଣର କଳାବଳୟ ଭିତରେ ରୁନ୍ଧି ହୋଇଚାଲିଛି। ଏପରିକି ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ସ୍ଥିତିରେ ଶୀଘ୍ର ସୁଧାର ଆସିବ ବୋଲି ଅଞ୍ଚଳବାସୀ ଆଶା ବାନ୍ଧିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ କେବଳ ନିୟମ ବା ମାର୍ଗଦର୍ଶିକା ଜାରି କରି ଚୁପ୍‌ ବସିଯାଇଛି। ଆଉ ଏପଟେ ଏମ୍‌ସିଏଲ୍‌ ପୂର୍ବପରି ସର୍ତ୍ତ ଉଲ୍ଲଂଘନ ପୂର୍ବକ କୋଇଲା ପରିବହନ କରି ଧୂଳିଧୂଆଁରେ ପ୍ରଭାବିତ ଅଞ୍ଚଳର ଜନଜୀବନକୁ କଲବଲ କରି ଚାଲିଛି।

ଅଭିଯୋଗ ଅନୁସାରେ, କୋଇଲା ପରିବହନ ହେଉଥିବା ବାଙ୍କିବାହାଲ-ଟପରିଆ ସମେତ ସମସ୍ତ ସାଇଡିଂ ରାସ୍ତା ଓ ଗାଁଗୁଡ଼ିକ କୋଇଲା ଧୂଳିଧୂଆଁରେ ଅଣନିଃଶ୍ବାସୀ ହୋଇପଡ଼ିଛି। ଅତ୍ୟଧିକ କୋଇଲା ଗୁଣ୍ଡ ଉଡ଼ି ଅଞ୍ଚଳବାସୀଙ୍କ ଚାଷଜମି, କୂଅ, ପୋଖରୀ, ଘର ଭିତରେ ପଶି ଖାଦ୍ୟ ପଦାର୍ଥ ତଥା ଘରର ଯାବତୀୟ ଜିନିଷକୁ ନଷ୍ଟ କରିଚାଲିଛି। ଅଞ୍ଚଳର ପାଣି, ପବନ କଳା ଜହର ପାଲଟିଯାଇଛି। କେବଳ ସେତିକି ନୁହେଁ, ଅଞ୍ଚଳର ଚାଷୀଙ୍କ ବର୍ଷକର କଷ୍ଟକମାଣି ଧାନ ଓ ବାଡ଼ି ପରିବାକୁ ବି ଖାଇ ଦେଇଛି କୋଇଲା। କୋଇଲା ଗୁଣ୍ଡ ଉଡ଼ି ବାଙ୍କିବାହାଲରୁ ଟପରିଆ ୨୬ କିଲୋମିଟର ରାସ୍ତାରେ ପଡ଼ୁଥିବା ଗାଁ ଚନ୍ଦରପୁର, ଗଇକନପାଲି, ସମରପେଣ୍ଡା, କନ୍ଦାଡୋଡ଼ା, ଚକରା, ଲୁଆବାହାଲ, ବେଲଢିପା, ବିଲେଇମୁଣ୍ତା, ମୁଣ୍ଡେରକ୍ଷେତ, ଛତାବର, ବଲବସପୁର, ପୋଡ଼ାଝରିଆ, ରତନସରା, ରତନପୁର, ନକଟିଦେଉଳ, ଗୋପାଳପୁର, ହଲଦୀବାହାଲ, ସିଆରମାଲ, ତୁମଲିଆର ରାସ୍ତା କଡ଼ ଅଧ କିଲୋମିଟର ପରିବ୍ୟାପ୍ତ ଜମିରେ କଳା ଆସ୍ତରଣ ମାଡ଼ି ଧାନର ରଙ୍ଗକୁ ବି କଳା କରି ଦେଇଛି। ତାକୁ ବିରୋଧ କରି ଜନଶକ୍ତି ବିକାଶ ପରିଷଦର ନେତୃତ୍ବରେ ପ୍ରଭାବିତ ୯ଟି ପଞ୍ଚାୟତର ସାଧାରଣ ଜନତା ୨୦୨୧ ଜାନୁଆରି ୧୯ରୁ ୨ ମାସ ଧରି ଧାରଣା ଦେଇଥିଲେ। ଏହା ପରେ ବ୍ୟାପକ ଗିରଫଦାରି କରି ଲୋକଙ୍କ ସ୍ବରକୁ ଚାପି ଦେଇଥିଲା ଜିଲ୍ଲା ପ୍ରଶାସନ, ପୁଲିସ ଓ ଏମ୍‌ସିଏଲ୍‌। ଏପରିକି ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୩ ସ୍କୁଲ ପିଲା ଓ ୪ ଅଙ୍ଗନବାଡ଼ି ଛୁଆ ଥାନାରେ ଅଟକ ରହିବା ପରି ଏକ ସମ୍ବେଦନଶୀଳ ଘଟଣା ବି ଏଠାରେ ଦେଖିବାକୁ ମିଳିଥିଲା। କିନ୍ତୁ ଲୋକେ ଏ ଯାଏଁ ନ୍ୟାୟ ପାଇନାହାନ୍ତି। ଏବେ ବି ବାଙ୍କିବାହାଲରୁ ଟପରିଆ ରାସ୍ତାରେ ଥିବା ଗାଁଗୁଡ଼ିକ ଧୂଳିଧୂଆଁ ଓ ଦୁର୍ଘଟଣାରେ ଛଟପଟ ହେଉଛି।

ଏପରିକି ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ଜିଲ୍ଲା ପ୍ରଶାସନ କୋଇଲା ପରିବହନ କାରଣରୁ ଶୋଚନୀୟ ସ୍ଥିତିରେ ଥିବା ବାଙ୍କିବାହାଲ- ଟପରିଆ ରାସ୍ତା ନିର୍ମାଣ, ସମୟଭିତ୍ତିକ ପରିବହନ କଟକଣା, ୨୪ ଘଣ୍ଟିଆ ପାଣି ସିଞ୍ଚନ, କ୍ଷତିଗ୍ରସ୍ତ ଫସଲର ଆକଳନ ପୂର୍ବକ କ୍ଷତିପୂରଣ ପ୍ରଦାନ, ରାସ୍ତାକଡ଼ରେ ଥିବା ବିଦ୍ୟାଳୟ, ଅଙ୍ଗନବାଡ଼ି ଗୃହକୁ ପ୍ରଦୂଷଣମୁକ୍ତ ପାଇଁ କରିଥିବା ଚୁକ୍ତି ମଧ୍ୟ ପାଳନ ହେଉନାହିଁ। କିନ୍ତୁ ପ୍ରଶାସନ ଏମ୍‌ସିଏଲ୍‌ ଓ ପରିବହନକାରୀଙ୍କ ସ୍ବାର୍ଥକୁ ଜଗି ଏଥିପ୍ରତି ନିରବ ରହୁଥିବା ଜନଶକ୍ତି ବିକାଶ ପରିଷଦ ଅଭିଯୋଗ କରିଛି। ଏହା ମଧ୍ୟରେ ବିଶେଷଜ୍ଞ ମୂଲ୍ୟାଙ୍କନ ସମିତି (ଇଏସି) ଗାଁ ରାସ୍ତା ମଝିରେ ଓ ବିଦ୍ୟାଳୟ, ଅଙ୍ଗନବାଡ଼ି, ଡାକ୍ତରଖାନା ପାର୍ଶ୍ବ ଦେଇ କୋଇଲା ପରିବହନ ନକରିବା, ସବୁଜ ପରିବେଶ ସୃଷ୍ଟି ପାଇଁ ୮୫ ହେକ୍ଟର ଜମିରେ ବୃକ୍ଷରୋପଣ ଆଦି ସର୍ତ୍ତରେ ପୁଣି କୁଲଡା ଓ ଗର୍ଜନବାହାଲର ସମ୍ପ୍ରସାରଣ ପାଇଁ ଅନୁମତି ଦେଇଛି। ସର୍ତ୍ତାନୁସାରେ ତୁରନ୍ତ ପ୍ରଭାବିତ ଅଞ୍ଚଳକୁ ପ୍ରଦୂଷଣ ଓ ଦୁର୍ଘଟଣାମୁକ୍ତ କରାନଗଲେ ଜନଶକ୍ତି ବିକାଶ ପରିଷଦ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର