ସୁନ୍ଦରଗଡ଼: ଭୋଟ ବର୍ଜନ ନକରି ଗଣତନ୍ତ୍ରର ଏ ମହାପର୍ବରେ ସାମିଲ ହେବାକୁ ଜିଲ୍ଲା ପ୍ରଶାସନ ଏମସିଏଲ ବିସ୍ଥାପିତ ୧୪ ଖଣ୍ଡ ଗାଁକୁ ଅନୁରୋଧ କରିଛି । କୋର୍ଟ ଆଦେଶ ସତ୍ତ୍ବେ ୨୦୧୩ ନୀତିରେ କ୍ଷତିପୂରଣ, ଥଇଥାନ, ପୁନର୍ବାସ ଓ ନିଯୁକ୍ତିକୁ ଏମସିଏଲ ଓ ପ୍ରଶାସନ ଦିନ ଗଡ଼ାଇ ଚାଲିଥିବା ଓ ପ୍ରଶାସନ ନିରବ ରହୁଥିବାରୁ ପ୍ରତିବାଦରେ ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ କୋଇଲା ଖଣି ବିସ୍ଥାପିତ ୧୪ ଗାଁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେବା ପରେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ଭବନରେ ଆୟୋଜିତ ପ୍ରଶାସନ-ଏମସିଏଲ- ବିସ୍ଥାପିତଙ୍କ ତ୍ରିପାକ୍ଷିକ ବୈଠକରେ ଏହି ଅନୁରୋଧ କରିଛି ପ୍ରଶାସନ। ତେବେ ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ଅଧିକାର ସୁରକ୍ଷା ମଞ୍ଚର ଦାବିକୁ ପୁଣି ଝୁଲାଇ ରଖିଛି ପ୍ରଶାସନ ଓ କମ୍ପାନି। ବୈଠକରେ ୪ଟି ବିସ୍ଥାପିତ ଗାଁ ତୁମୁଲିଆ, ଝୁପୁରୁଙ୍ଗା, କିରପସିରା, ରତନସରାର ନିଯୁକ୍ତି ସମ୍ପର୍କରେ କୋର୍ଟ ଦେଇଥିବା ଆଦେଶରେ ସ୍ପଷ୍ଟତା ନଥିବା ଦର୍ଶାଇଛି ଏମସିଏଲ। ବିସ୍ଥାପିତ ପରିବାରର ନିଯୁକ୍ତି ତାଲିକା କିଏ ପ୍ରସ୍ତୁତ କରିବ, କ୍ଲେମ୍ କମିସନ ନା ଜିଲ୍ଲା ପ୍ରଶାସନ। ପ୍ରଶାସନ କହୁଛି କ୍ଲେମ୍ କମିସନ କରିବ, କ୍ଲେମ୍ କମିସନ କହୁଛନ୍ତି, ପୁନର୍ବାସ ଓ ଥଇଥାନ ସମ୍ପର୍କିତ କାର୍ଯ୍ୟ ପ୍ରଶାସନ କରିବ। ଏ ସମ୍ପର୍କରେ କୌଣସି ସ୍ପଷ୍ଟ ଆଦେଶ ନଥିବାରୁ ୭ ଦିନ ମଧ୍ୟରେ କୋର୍ଟରୁ ଏକ ସ୍ପଷ୍ଟୀକରଣ ଆଣିବାକୁ ପ୍ରସ୍ତାବ ଦେଇଥିଲା ଏମସିଏଲ। ସେହିପରି ଅନ୍ୟ ୧୦ ଖଣ୍ଡ ବିସ୍ଥାପିତ ଗାଁର ନ୍ୟାଯ୍ୟ ଦାବି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ନୀତି ଅନୁଯାୟୀ ସମ୍ପୂର୍ଣ୍ଣ ରୂପେ ପୁନର୍ବାସ ଓ ଥଇଥାନ ହୋଇ ନଥିବା ପରିବାର ଏକ ତାଲିକା ପ୍ରସ୍ତୁତ କରିବାକୁ ଏମସିଏଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲା ଜିଲ୍ଲା ପ୍ରଶାସନ।

Advertisment

ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ଅଧିକାର ସୁରକ୍ଷା ମଞ୍ଚର ଅଭିଯୋଗ କରିଆସୁଛି, ୩୦ ବର୍ଷର ସଂଘର୍ଷ ସତ୍ତ୍ବେ ଏମସିଏଲ କର୍ତ୍ତୃପକ୍ଷ କି ପ୍ରଶାସନ ବିସ୍ଥାପିତ ୧୪ ଖଣ୍ଡ ଗାଁ ତୁମୁଲିଆ, ଝୁପୁରୁଙ୍ଗା, କିରପସିରା, ରତନସରା, ଗୋପାଳପୁର, ସରଡେଗା, ଟିକିଲିପଡ଼ା, ଗର୍ଜନବାହାଲ, ବାଙ୍ଗୁରକେଲା, କରଲିକଛାର, ସିଆରମାଲ, କୁଲଡା, ବଲିଙ୍ଗା, ବାଙ୍କିବାହାଲ ମଧ୍ୟରୁ କୌଣସି ଗୋଟିଏ ବି ଗାଁକୁ ନୀତି ଅନୁଯାୟୀ ସମ୍ପୂର୍ଣ୍ଣ ରୂପେ ପୁନର୍ବାସ ଓ ଥଇଥାନ କରି ନାହାନ୍ତି। ପ୍ରତିବାଦରେ ଲୋକେ ବହୁବାର ଆନ୍ଦୋଳନ କରିଛନ୍ତି, କିନ୍ତୁ ମିଳିଛି ଖାଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି। ଏଥିପାଇଁ କୋର୍ଟ ବି ଯାଇଛନ୍ତି। ହେଲେ କୋର୍ଟଙ୍କ ଆଦେଶକୁ ବି କମ୍ପାନି ମାନି ନଥିବା ଅଭିଯୋଗ ହୋଇଛି। ଶେଷକୁ ଗତ ୨୦୨୨ ନଭେମ୍ବର ୩ରେ ସର୍ବୋଚ୍ଚ ନ୍ୟାୟାଳୟ ଏମସିଏଲ ବିସ୍ଥାପିତଙ୍କୁ ଗୋଟିଏ ବର୍ଷ ମଧ୍ୟରେ ପୁନର୍ବାସ, ଥଇଥାନ ଓ ୬ ମାସ ମଧ୍ୟରେ ନିଯୁକ୍ତି ଦେବାକୁ ଆଦେଶ ଦେଇଥିଲେ। କିନ୍ତୁ ଦେଢ଼ ବର୍ଷ ବିତିଯିବା ପରେ ବି ଏମସିଏଲ କର୍ତ୍ତୃପକ୍ଷ ଓ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ଏହାର ପ୍ରତିବାଦରେ ମାର୍ଚ୍ଚ ୧୪ ତାରିଖରେ ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ଅଧିକାର ସୁରକ୍ଷା ମଞ୍ଚ ନେତୃତ୍ବରେ ୧୪ଟି ବିସ୍ଥାପିତ ଗାଁର ଲୋକେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭୋଟ ବର୍ଜନର ଚରମପତ୍ର ଦେଇଥିଲେ। ହେଲେ ପ୍ରତିବାଦକୁ ମାସେ ଅତିକ୍ରମ କରିବା ପରେ ବି ଏମସିଏଲ, ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଭୋଟ ବର୍ଜନ ପାଇଁ ଘୋଷଣା କରିଛି ମଞ୍ଚ।

ତେବେ ବୈଠକରେ କୌଣସି ନିଷ୍ପତ୍ତି ହୋଇ ପାରି ନଥିବା ପ୍ରକାଶ କରିଛନ୍ତି ବିସ୍ଥାପିତ ନେତା ରାଜେନ୍ଦ୍ର ନାଏକ। ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ମଞ୍ଚ ବୈଠକ ଡାକି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ (ରାଜସ୍ବ) ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ (ପ୍ରଶାସନ) ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରା, ଏମସିଏଲ ମହାପ୍ରବନ୍ଧକ ପି.ବି ରେଡ୍ଡୀଙ୍କ ସମେତ ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ଅଧିକାର ସୁରକ୍ଷା ମଞ୍ଚର ନେତାମାନେ ଉପସ୍ଥିତ ଥିଲେ।