ଭୁବନେଶ୍ବର : ଦେଶର ସର୍ବବୃହତ କୋଇଲା ଉତ୍ପାଦନକାରୀ ସଂସ୍ଥାରେ ପରିଣତ ହୋଇଥିବା ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ ୨୦୨୧-୨୨ ଆର୍ଥିକ ବର୍ଷରେ ନିର୍ଧାରିତ ଲକ୍ଷ୍ୟ ୧୬୩ ନିୟୁତ ଟନ୍‌ଠାରୁ ୧୪% ଅଧିକ ଅର୍ଥାତ ୧୬୮ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଛି। ୨୦୨୨-୨୩ରେ ଏହା ୧୭୬ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ବୋଲି କଂପାନିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଓ ପି ସିଂହ କହିଛନ୍ତି।

Advertisment

ବାର୍ଷିକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ସିଂହ କହିଛନ୍ତି ଯେ ୨୦୨୧-୨୨ ବର୍ଷଟି ଆମ ପାଇଁ ଏକ ମାଇଲଖୁଣ୍ଟ ସ୍ଥାପନ କରିବାର ବର୍ଷ ସାବ୍ୟସ୍ତ ହୋଇଛି। ଆମେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ କୋଇଲା ଉତ୍ପାଦନ କରିଥିବା ବେଳେ ୨୧% ଅଭିବୃଦ୍ଧି ସହ ୧୭୬.୧ ନିୟୁତ ଟନ୍ କୋଇଲା ପଠାଇଛି। ଭୂପୃଷ୍ଠରୁ କଂପାନି ୨୦୭ ନିୟୁତ କ୍ୟୁବିକ୍ ମିଟର ଉପର ସ୍ତର ହଟାଇଛି। ଏହା କଂପାନିର ଉତ୍ପାଦନ ବଢ଼ାଇବାରେ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ପୁଞ୍ଜି ବ୍ୟୟ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଯେ ୨୦୨୧-୨୨ରେ ଆମେ ୩,୭୦୦ କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖିଥିଲୁ। କିନ୍ତୁ, ଶେଷରେ ୧୦୦ କୋଟି ଟଙ୍କା ଅଧିକ ଅର୍ଥାତ ୩,୮୦୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ ହାସଲ କରିଛୁ। ୨୦୨୨-୨୩ ଆର୍ଥିକ ବର୍ଷରେ ୩,୯୦୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିବାକୁ ଲକ୍ଷ୍ୟ ରଖିଛୁ।

ଆଗାମୀ ଦିନରେ କୋଇଲା ଚାହିଦା ବୃଦ୍ଧି ପାଇବ ବୋଲି ଆକଳନ କରିବା ସହ ସେ କହିଛନ୍ତି ଯେ ପ୍ରତିଟି ଶିଳ୍ପ କ୍ଷେତ୍ରର ଇନ୍ଧନ ଆବଶ୍ୟକତା ପୂରଣ କରିବା ଲାଗି ଆମେ ସବୁ ପ୍ରକାର ଉଦ୍ୟମ କରୁଛୁ। ଅଣ-ବିଦ୍ୟୁତ କ୍ଷେତ୍ର ଲାଗି କୋଇଲା ଯୋଗାଣରେ ରହିଥିବା ସମସ୍ୟା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଆନ୍ତର୍ଜାତିକ ବଜାରରେ କୋଇଲା ବହୁତ ମହଙ୍ଗା ହୋଇଯାଇଛି। ତେଣୁ ସବୁ ଶିଳ୍ପ ସଂସ୍ଥା କୋଲ୍ ଇଣ୍ଡିଆରୁ କୋଇଲା ନେବାକୁ ଚାହୁଛନ୍ତି। ସେହି ଚାହିଦା ପୂରଣ କରିବା ଲାଗି ଆମେ ଉଦ୍ୟମ କରୁଛୁ। ଏକ୍ଷେତ୍ରରେ ଯେଉଁ କିଛି ଅଭାବ ରହିଛି ତାହା ଦୂର କରିବା ଲାଗି ଆମେ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି। ଏଥି ସହିତ ସେ ଆଶା ପ୍ରକଟ କରିଛନ୍ତି ଯେ ଆସନ୍ତା ୧-୨ ବର୍ଷ ଭିତରେ କୋଇଲା ଆମଦାନି ନଗଣ୍ୟ ସ୍ତରକୁ ହ୍ରାସ ପାଇବ। ଏମ୍‌ସିଏଲ୍‌ ରାଜକୋଷକୁ ପ୍ରାୟ ୧୩ ହଜାର କୋଟି ଟଙ୍କାର ଯୋଗଦାନ ପ୍ରଦାନ କରିଛି। ସେଥିରୁ ୨୫୦୦ କୋଟି ଟଙ୍କା ହେଉଛି କୋଇଲା ରୟାଲ୍‌ଟି। କର୍ପୋରେଟ୍ ଟିକସ, କ୍ଷତିପୂରଣ, ଜିଏସ୍‌ଟି ଓ ଡିଏମ୍ଏଫ୍‌ ପାଣ୍ଠିକୁ ମଧ୍ୟ କଂପାନି କୋଟି କୋଟି ଟଙ୍କା ପ୍ରଦାନ କରିଛି। କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌)ରେ କଂପାନି ୧୮୭ କୋଟି ଟଙ୍କା ବିନିଯୋଗ କରିଛି। ଏହି ଅବସରରେ ଏମ୍‌ସିଏଲ୍‌ର ନିର୍ଦେଶକ (ଅର୍ଥ) କେ ଆର୍‌ ବାସୁଦେବନ, ‌ନିର୍ଦେଶକ (କାର୍ମିକ) କେଶବ ରାଓ, ନିର୍ଦେଶକ (ବୈଷୟିକ) ଏସ୍ କେ ପାଲ୍‌ ପ୍ରମୁଖ ସାମିଲ ହୋଇଥିଲେ।