ଓଲିଉଡ୍‌ରେ ବି ‘#ମି ଠୁ’ : ମୁହଁ ଖୋଲିଲେ ଅଭିନେତ୍ରୀ ଏଲି ପାଢ଼ୀ

ଭୁବନେଶ୍ବର : ‘# ମି ଠୁ’କୁ ନେଇ ଉଠୁଛି ପଡ଼ୁଛି ବଲିଉଡ୍‌। ଜଣଙ୍କ ପରେ ଜଣେ ବଲିଉଡ ଅଭିନେତ୍ରୀ ମୁହଁ ଖୋଲୁଥିବା ବେଳେ ଏବେ ଓଲିଉଡ୍‌ରେ ‘# ମି ଠୁ’ର ପ୍ରଥମ ଝଲକ ଦେଖିବାକୁ ମିଳିଛି। ଜଣାଶୁଣା ଟେଲି ଅଭିନେତ୍ରୀ ଏଲି ପାଢ଼ୀଙ୍କୁ ଓଡ଼ିଆ ସିନେମାରେ ଅଭିନୟ ପାଇଁ ଦୁଇ ଜଣ ପ୍ରଯୋଜକ କ‌େମ୍ପ୍ରାମାଇଜ୍‌ କରିବାକୁ ପ୍ରସ୍ତାବ ଦେଇଥିବା ନେଇ ସେ ଗଣମାଧ୍ୟମରେ ବୟାନ ଦେବା ପରେ ଓଲିଉଡ୍‌ରେ ହଇଚଇ ସୃଷ୍ଟି ହୋଇଛି।

ଅଭିନେତ୍ରୀ ଏଲି କହିଛନ୍ତି ପ୍ରଥମ ଫିଲ୍ମ ‘ଏ ମିଳନ ଯୁଗ ଯୁଗର’ ସଫଳତା ପରେ ଗୋଟିଏ ପରେ ଗୋଟିଏ ସିନେମା ଅଫର ଆସିଥିଲା। ଯେଉଁ ପ୍ରଯୋଜକମାନେ ଅଫର୍‌ ଦେବା ଆରମ୍ଭ କଲେ ସେ‌ମାନେ କେହି ବି ପ୍ରଫେସନାଲ ନୁହଁନ୍ତି। ବରଂ ନୂଆ ନୂଆ ପ୍ରଯୋଜକ ହୋଇଥା’ନ୍ତି। ବ୍ୟବସାୟରୁ ଆସି ପ୍ରଯୋଜନା କରିବାକୁ ମନ ବଳାଇଥାନ୍ତି। ସେମାନଙ୍କ ପାଖରେ ଅଧିକ ପଇସା ଥାଏ। ତେଣୁ ସେମାନେ ନିଜ ଫିଲ୍ମର ନାୟିକା ନୁହେଁ ବରଂ ଅଫ୍‌ସ୍କ୍ରିନ୍‌ରେ ନାୟିକା କରିବାକୁ ଚାହୁଁଥିଲେ। ଏଭଳି ଦୁଇ ପ୍ରଯୋଜକଙ୍କ ସିନେମା ଅଫର ଆସିଥିଲା। କଥା କହିବା ଶୈଳୀରେ ସେମାନେ ଆକୃଷ୍ଟ କରିବାକୁ ଲାଗିପଡ଼ିଥିଲେ। ଫୋନ୍‌ରେ ବହୁ ସମୟ ଧରି କଥା ହେଉଥିଲେ। ମୋତେ ଲାଗିଲା ସେମାନେ ମନ୍ଦ ଉଦ୍ଦେଶ୍ୟ ନେଇ କଥା ହେଉଛନ୍ତି। ତେଣୁ ଉକ୍ତ ସିନେମାକୁ ଗ୍ରହଣ କରିନଥିଲି। ଉକ୍ତ ଦୁଇଟି ଚଳଚ୍ଚିତ୍ର ରିଲିଜ୍‌ ‌େହାଇସାରିଛି।

ଏଲି ଦୁଇ ଜଣ ପ୍ରଯୋଜକଙ୍କ ସଂପର୍କରେ ସୂଚନା ଦେଇଥିଲେ ମଧ୍ୟ ଏଲି ସେମାନଙ୍କ ନାମ ଗୋପନ ରଖିଥିଲେ। କେବଳ ଏତିକି ସୂଚନା ଦେଇଥିଲେ, ସମ୍ପୃକ୍ତ ପ୍ରଯୋଜକ ଦୁଇ ଜଣ ଏବେ ଆଉ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ନାହାନ୍ତି। ଗୋଟିଏ ଦୁଇଟି ସିନେମା ପରେ ଆଉ ସେମାନଙ୍କୁ ଦେଖିବାକୁ ମିଳୁନି ‌ବୋଲି ସ୍ପଷ୍ଟ କରିଛନ୍ତି।

ଏବେ ପ୍ରଶ୍ନ ଉଠୁଛି ଏହି ଦୁଇ ପ୍ରଯୋଜକ କିଏ? ଯେଉଁମାନେ କି ଓଡ଼ିଆ ସି‌େନମାରେ କଳଙ୍କ ଲଗାଇବାକୁ ଆଗେଇ ଆସିଥିଲେ। ଆଉ ଏବେ ଇଣ୍ଡଷ୍ଟ୍ରି ଛାଡ଼ି ଚାଲିଯିବା ପଛର କାରଣ କ’ଣ? ଏଲିଙ୍କ ବଦଳରେ ଯେଉଁ ଅଭିନେତ୍ରୀଙ୍କୁ ନେଇ ସମ୍ପୃକ୍ତ ପ୍ରଯୋଜକ ସିନେମା କରିଥିଲେ ସେମାନଙ୍କ ସହ କିଛି ଖରାପ ସମ୍ପର୍କ ରଖିନାହାନ୍ତି ତ? ବଲିଉଡ‌ରେ ‘# ମି ଠୁ’ ଅଭିଯାନରେ ସାମିଲ ହେଉଥିବା ଅଭିନେତ୍ରୀମାନେ ପ୍ରଯୋଜକଙ୍କ ନାଁ କହୁଥିବା ବେଳେ ଏଲି କ’ଣ ପାଇଁ ନାମ ଗୋପନ ରଖିଲେ? ତାଙ୍କୁ ଭୟଭୀତ କରାଯାଇନି ତ?

ଏଲି ଆହୁରି କହିଛନ୍ତି ବର୍ତ୍ତମାନ ସମୟରେ ଅଭିନୟ କ୍ଷେତ୍ରକୁ ଆସୁଥିବା ଝିଅମାନେ ଶୀଘ୍ର ଶୀର୍ଷରେ ପହଞ୍ଚିବାକୁ ଲାଗିପଡ଼ିଛନ୍ତି। ଏଥିପାଇଁ ଖରାପ ପନ୍ଥା ଆପଣାଉଛନ୍ତି। ଏଥିରୁ ନିଜକୁ ଦୂରେଇ ରଖନ୍ତୁ। ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ମିଳିବ। ‌େଯଉଁଠି ପ୍ରଯୋଜକ କିମ୍ବା ଅଭିନେତା ଖରାପ କରିବାକୁ ଉଦ୍ୟମ କରୁଛନ୍ତି ସେଠାରେ ସଙ୍ଗେ ସଙ୍ଗେ ମୁହଁ ଖୋଲିବା ଦରକାର। ଫଳରେ ଖରାପ ଲୋକ ଓଲିଉଡ଼କୁ ଆସିବା ପୂର୍ବରୁ ବହୁଥର ଚିନ୍ତା କରିବେ। ଅଭି‌େନତ୍ରୀ ଯଦି ନିଜ ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେଣୁ ତୁରନ୍ତ ମୁହଁ ଖୋଲନ୍ତୁ। ସେମାନଙ୍କ ସିନେମା ବଏକଟ୍‌ କରନ୍ତୁ ବୋଲି ଏଲି ଆହ୍ବାନ ଦେଇଛନ୍ତି।

ଏଲିଙ୍କ ପରେ ଆଉ ଜଣେ ଟେଲି ଅଭିନେତ୍ରୀ ନିଜର ନାମ ଗୋପନ ରଖି କହିଛନ୍ତି ଓଲିଉଡ୍‌ର ଜଣେ ନାମକରା ଅଭିନେତା ତଥା ପ୍ରଯୋଜକ ତାଙ୍କୁ ହିରୋଇନ୍‌ ପାଇଁ ସୁଯୋଗ ଦେଇଥିଲେ। ରାଜିନାମାପତ୍ରରେ ଦସ୍ତଖତ କରିବା ପରେ ସିନେମାର ମହୁରତ ଓ ତିନି ଦିନର ସିଡ୍ୟୁଲ କାମ କରିବା ପରେ ତାଙ୍କୁ କମ୍ପ୍ରମାଇଜ୍‌ କରିବାକୁ ବାଧ୍ୟ କରିଥିଲେ। ପ୍ରଯୋଜକଙ୍କ ଏଭଳି ହାବଭାବ ଜାଣିବା ପରେ ଅଭିନେତ୍ରୀ ଆଉ ‌ସୁଟିଂକୁ ଯାଇ ନଥିଲେ। ଏହାକୁ ନେଇ ପ୍ରଯୋଜକ ଜଣକ ତାଙ୍କୁ ହତ୍ୟା ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର