ଅଭିଯାନରେ ସାମିଲ ହେଲେ ଅଭିନେତା ବାବୁସାନ୍
ଭୁବନେଶ୍ୱର : ଆସନ୍ତା ୨୯ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମିଜିଲ୍ସ-ରୁବେଲା ଟିକାକରଣ ଅଭିଯାନ। ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହେବାକୁ ଯାଉଥିବା ଏହି ଅଭିଯାନରେ ୧ କୋଟି ୨୪ଲକ୍ଷ ଶିଶୁଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଅଭିଯାନକୁ ଶତ ପ୍ରତିଶତ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘନ ଘନ ବୈଠକ କରାଯାଉଛି। ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ ମାଇକ୍ରୋପ୍ଲାନ୍ ପ୍ରସ୍ତୁତ ପାଇଁ ନିର୍ଦେଶ ଦିଆଯାଇଛି।
ତେବେ ଏହି ଅଭିଯାନ ଆରମ୍ଭ ହେବାକୁ ଆଉ ୬ଦିନ ଥିବା ବେଳେ ମାତ୍ର ୧୪ଟି ଜିଲ୍ଲାରୁ ମାଇକ୍ରୋ ପ୍ଲାନିଂ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ନିକଟରେ ପହଞ୍ଚିଥିବା ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ଆହୁରି ଅନେକ ଜିଲ୍ଲା ଏହି ସଂପର୍କୀୟ ତଥ୍ୟ ଦେଇ ନାହାନ୍ତି। ଦୁଇ ଦିନ ସରକାରୀ ଛୁଟି ଥିବାରୁ ଏହି ତଥ୍ୟ ବିଭାଗ ପହଞ୍ଚିବାରେ ଆହୁରି ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ଟିକାକରଣ ଅଭିଯାନର ସଚେତନତା ପାଇଁ କୋଟି କୋଟି ଟଙ୍କାର ବଜେଟ୍ ରହିଥିଲେ ହେଁ ସଚେତନତା ଆଖିଦୃଶିଆ ହୋଇପାରି ନାହିଁ। ଅଭିନେତା ବାବୁସାନ୍ ଏହି ସଚେତନତା ଅଭିଯାନରେ ସାମିଲ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତ ୧୫ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମିଜିଲ୍ସ ରୁବେଲା ପାଇଁ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ଵୟନ ଉପରେ ଗୁରୁତ୍ୱାରୋପ କରି ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ ମାଇକ୍ରୋପ୍ଲାନ୍ ପ୍ରସ୍ତୁତ ପାଇଁ ନିର୍ଦେଶ ଦିଆଯାଇଥିଲା। ପରେ ୨୦ ତାରିଖରେ ସ୍ୱାସ୍ଥ୍ୟ ସଚିବ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ମାଇକ୍ରୋ ପ୍ଲାନିଂରେ ମୁଖ୍ୟତଃ ଟିକାକରଣ ହେବାକୁ ଥିବା ଜିଲ୍ଲାରେ କେତେ ଶିଶୁଙ୍କୁ ଟିକା ଦିଆଯିବ, କେଉଁ କେଉଁ ସରକାରୀ ଓ ବେସରକାରୀ ସ୍କୁଲରେ କେତେ ପିଲା ପଢ଼ୁଛନ୍ତି ଓ କେଉଁ କେଉଁ ଅଧିକାରୀ ଏହି ଅଭିଯାନରେ ସାମିଲ ହେବେ ତାହାର ତଥ୍ୟ ପ୍ରଦାନ କରିବାକୁ ପଡ଼ିଥାଏ। ମାତ୍ର ୧୪ଟି ଜିଲ୍ଲା ଟିକାକରଣ ନେଇ ନିଜର ମାଇକ୍ରୋ ପ୍ଲାନିଂ ବିଭାଗକୁ ପଠାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ଶନିବାର ସୁଦ୍ଧା ୧୪ଟି ଜିଲ୍ଲାରୁ ମିଜିଲ୍ସ ରୁବେଲା ଟିକାକରଣ ନେଇ ମାଇକ୍ରୋ ପ୍ଲାନିଂ ପହଞ୍ଚିଛି। ଏ ପର୍ଯ୍ୟନ୍ତ ଅନେକ ଜିଲ୍ଲା ଏହି ତଥ୍ୟ ପ୍ରଦାନ କରି ନାହାନ୍ତି। ଏବେ ୨ଦିନ ଛୁଟି ଥିବାରୁ ଆସନ୍ତା ୨୪ତାରିଖରେ କେତୋଟି ଜିଲ୍ଲାରୁ ମାଇକ୍ରୋ ପ୍ଲାନିଂ ସମ୍ବନ୍ଧୀୟ ତଥ୍ୟ ପହଞ୍ଚିଛି ତାହା ସ୍ପଷ୍ଟ ହୋଇପାରିବ। ତେବେ ଖୁବଶୀଘ୍ର ଅନ୍ୟ ଜିଲ୍ଲାଗୁଡ଼ିକ ମାଇକ୍ରୋ ପ୍ଲାନିଂ ତଥ୍ୟ ପ୍ରଦାନ କରିବେ ଓ ଏଥିପାଇଁ କୌଣସି ସମସ୍ୟା ହେବ ନାହିଁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ଅପରପକ୍ଷରେ ରାଜ୍ୟରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ଏହି ଟିକାକରଣ ପାଇଁ ୯କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥିରେ ମୁଖ୍ୟତଃ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ, ହୋର୍ଡିଂ ଓ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ରହିଛି। ତେବେ ଏହି ସଚେତନତା ଅଭିଯାନ ମଧ୍ୟ ଆଶାନୁରୂପ ହୋଇ ପାରିନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଏହି ଅଭିଯାନରେ ୧କୋଟି ୨୪ଲକ୍ଷ ପିଲାଙ୍କ ଟିକାକରଣ ପାଇଁ ଆକଳନ କରାଯାଇଛି। କ୍ଷେତ୍ରସ୍ତରୀୟ କାର୍ଯ୍ୟ ୩ଟି ପର୍ଯ୍ୟାୟରେ ଏହି ଟିକାକରଣ ହେବ। ପ୍ରଥମ ପର୍ଯ୍ୟାୟରେ ୨ସପ୍ତାହ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ। ୨ୟ ପର୍ଯ୍ୟାୟରେ ୨ସପ୍ତାହ ଧରି ଗାଁସ୍ତରରେ ଟିକା ଦିଆଯିବ। ୩ୟ ଓ ଅନ୍ତିମ ପର୍ଯ୍ୟାୟରେ ୧ ସପ୍ତାହ ପାଇଁ ବାକି ରହିଥିବା ପିଲାଙ୍କ ଟିକାକରଣ ହେବ। ଛୁଟିଦିନ ବ୍ୟତୀତ ପ୍ରତ୍ୟେକ ବୁଧବାର ଓ ପ୍ରତିମାସ ୯ତାରିଖରେ ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷା ଯୋଜନା ଚାଲୁଥିବାରୁ ଏହି ଦିନ ଟିକାକରଣ ହେବ ନାହିଁ।