ଜେଏସ୍‌ଡବ୍ଲୁ ପ୍ରକଳ୍ପ ପାଇଁ ମାପଚୁପ୍‌: ଢିଙ୍କିଆ ନିକଟରେ ପୁଲିସ-ଗ୍ରାମବାସୀ ଛକାପଞ୍ଝା

ଜଗତସିଂହପୁର: ନୂଆବର୍ଷ ଆରମ୍ଭରୁ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଆଜି ମାହାଳ ଗାଁରେ ପାନ ବରଜ ମାପଚୁପ ଓ ଉଚ୍ଛେଦ ସମୟରେ ତିନି ଜଣ ଢ଼ିଙ୍କିଆବାସୀ ନିଜ ପଟୁ ଏଥି‌‌ରେ ସାମିଲ ହୋଇଛନ୍ତି। ସେମାନେ ନିଜ ନିଜ ପାନ ବରଜ ଉଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି। ମାତ୍ର ଏହି ପାନ ବରଜ ମାପଚୁପ ଚାଲିଥିବା ବେଳେ ଢ଼ିଙ୍କିଆ ନିକଟରେ ପୁଲିସ-ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ପୁଲିସକୁ ଗାଁରେ ପୂରାଇ ନ ଦେବା ପାଇଁ ଢ଼ିଙ୍କିଆବାସୀ କରିଥିବା ଫାଟକ ନିକଟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ମୁତାବକ, ଢ଼ିଙ୍କିଆର ତିନି ଜଣ ହିତାଧିକାରୀ ପ୍ରେମାନନ୍ଦ ଦାସ, ଅରକ୍ଷିତ ମଲ୍ଲିକ ଓ ଧୀରେନ୍ଦ୍ର ସ୍ବାଇଁ ନିଜ ପଟୁ ସ୍ଥାନୀୟ ତହସିଲ ପ୍ରଶାସନ ଓ କମ୍ପାନିର ଅଧିକାରୀମାନଙ୍କ ଉପସ୍ଥିତିରେ ପାନ ବରଜ ମାପଚୁପ କରାଇଛନ୍ତି। ଦୀର୍ଘ ଦିନ ଧରି ଏହି ପ୍ରକଳ୍ପକୁ ବିରୋଧ କରୁଥିବା ଢ଼ିଙ୍କିଆ ଗାଁର ଲୋକମାନଙ୍କ ମଧ୍ୟରୁ ଏହି ତିନି ଜଣ ବରଜ ମାପଚୁପ କରାଇବା ଘଟଣାକୁ ନେଇ କମ୍ପାନି ଓ ପ୍ରଶାସନ ଉତ୍ସାହିତ ହୋଇପଡ଼ିଛନ୍ତି। ଆଗାମୀ ଦିନରେ ଏହି ଅଞ୍ଚଳରେ ଥିବା ଅନ୍ୟ ବରଜ ଗୁଡ଼ିକୁ ଅଧିଗ୍ରହଣ କରିବାକୁ ଲୋକମାନେ ସହମତି ପ୍ରଦାନ କରିଛନ୍ତି। ଆଜି ପାଟଣା ଗାଁରେ ୧୮ଟି ପାନ ବରଜ ମାପଚୁପ କରାଯାଇଛି। ଏହାସହ ତିନି ଗାଁରେ ମୋଟ୍ ୨୩ଟି ପାନ ବରଜ ମାପଚୁପ କରାଯାଇଛି।

ଆଜି ସୁଦ୍ଧା ୧୨୧ଟି ପାନବରଜ ମାପଚୁପ କରାଯାଇଛି। ଏରସମା ତହସିଲଦାରଙ୍କ ନେତୃତ୍ବରେ ୩ଟି ଟିମ୍ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। କିନ୍ତୁ ମାପଚୁପ ଚାଲିଥିବା ବେଳେ ପୁଲିସ-ଢ଼ିଙ୍କିଆ ଗ୍ରାମବାସୀଙ୍କୁ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ମାପଚୁପ ସମୟରେ ଢ଼ିଙ୍କିଆବାସୀ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା କରାଯାଇଥିଲା। ଏହା ପୂର୍ବରୁ ପୁଲିସ ଗାଁ ନିକଟରେ ପହଞ୍ଚି ଯାଇଥିଲା। ଗାଁ ସୀମା‌ରେ ପୁଲିସକୁ ପୂରାଇ ନ ଦେବା ପାଇଁ କରାଯାଇଥିବା ଫାଟକ ନିକଟରେ ପୁଲିସ ଜଗି ରହିଥିଲା। ସେପଟେ ଗାଁକୁ ପୁଲିସ ପ୍ରବେଶ ଆଶଙ୍କାରେ ଢ଼ିଙ୍କିଆ ଗ୍ରାମବାସୀ ମଧ୍ୟ ଫାଟକର ନିକଟକୁ ଆସିଥିଲେ। ଫଳରେ ଫାଟକର ଉଭୟ ପାର୍ଶ୍ବରେ ପୁଲିସ-ଗ୍ରାମବାସୀ ପରସ୍ପରକୁ ଛକି ରହିଥିଲେ। ସେପଟେ ପାଟଣାରେ ପାନ ବରଜ ମାପଚୁପ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର