ବ୍ୟାସନଗର : ଶନିବାର ସକାଳେ ଯାଜପୁରରୋଡ୍ ରେଳ ଷ୍ଟେସନ୍ର ଉତ୍ତରପୂର୍ବ କେବିନ ଫାଟକ(ଗୋପବନ୍ଧୁ ଛକ) ନିକଟରେ ଏକ ମାଲ୍ବାହୀ ଟ୍ରେନ୍ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଯାଜପୁରରୋଡ୍ ରେଳ ଷ୍ଟେସନ୍ରୁ ସିଗନାଲ୍ ପାଇବା ପରେ ମାଲ୍ବାହୀ ଟ୍ରେନ୍ଟି ଛାଡ଼ିଥିଲା। ହେଲେ ଗୋପବନ୍ଧୁ ଛକ ନିକଟ ଫାଟକ ପାର ହେଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଟ୍ରେନ୍ଟି ବ୍ୟାସନଗର ସହରର ଅହମ୍ମଦନଗର ନିକଟରେ ଅଟକି ରହିଥିଲା। ଫଳରେ ଏହି ମାଲ୍ବାହୀ ଟ୍ରେନ୍ର ଡବାଗୁଡ଼ିକ ଷ୍ଟେସନ୍ ପର୍ଯ୍ୟନ୍ତ ଡାଉନ୍ ଲାଇନ୍ରେ ଅଟକି ରହିଥିଲା। ଫଳରେ ଘଣ୍ଟାଏରୁ ଅଧିକ ସମୟ ଧରି ଗୋପବନ୍ଧୁ ଛକ ରେଳଫାଟକ ଖୋଲି ପାରିନଥିଲା। ଏଥିପାଇଁ ପ୍ରବଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଯାଜପୁରରୋଡ୍ ରେଳ ଷ୍ଟେସନ୍ରେ ସାଲିମାର ଏକ୍ସପ୍ରେସ୍ ଟ୍ରେନ୍ ଅଟକି ରହିଥିଲା।
ସେହିପରି ଯଖପୁରା ଷ୍ଟେସନ୍ରେ ଜନଶତାବ୍ଦୀ ଟ୍ରେନ୍ ମଧ୍ୟ ପଡ଼ି ରହିଥିଲା। ଫାଟକ ସମ୍ମୁଖରେ ଅଟକି ରହିଥିବା ଲୋକମାନେ ଅତିଷ୍ଠ ହୋଇପଡ଼ିଥିଲେ। ଗାଡ଼ିମଟର ଭିଡ଼ ହୋଇଯିବାରୁ କେହି ପଛକୁ ମଧ୍ୟ ଫେରି ପାରିନଥିଲେ। ଏହି ସମୟରେ କିଛି ଲୋକ ବିପଦପୂର୍ଣ୍ଣ ଭାବେ ଅଟକି ରହିଥିବା ଟ୍ରେନ୍ ତଳେ ଗଳି ଆରପଟକୁ ଯାଇଥିବା ଦେଖିବାକୁ ମିଳିଥିଲା। ରେଳବାଇ ପୁଲିସ ପହଞ୍ଚି ଟ୍ରେନ୍ ତଳେ ପାର ହେଉଥିବା ଲୋକମାନଙ୍କୁ ଘଉଡ଼ାଇଥିଲେ। ବିଶେଷଜ୍ଞ ଟିମ୍ ପହଞ୍ଚି ମରାମତି କରିବା ପରେ ଟ୍ରେନ୍ଟି ଗନ୍ତବ୍ୟସ୍ଥଳକୁ ଯାଇଥିଲା।