ବାରିପଦା/କେନ୍ଦୁଝର: ଆଜି ଏକ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାରିପଦା ଛଉ ପଡ଼ିଆରେ ଅନୁଷ୍ଠିତ ବିକାଶ ଉତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁଝରରୁ ନେଇ ଆସିବାକୁ ଥିବା ହେଲିକପ୍ଟରରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତକୁ ବାତିଲ କରି କେନ୍ଦୁଝରରୁ ସଡ଼କ ପଥରେ ଭୁବନେଶ୍ବର ଫେରି ଯାଇଛନ୍ତି। 

Advertisment

ବାରିପଦାରେ ଆୟୋଜିତ ସମାବେଶରେ ଏ ସମ୍ପର୍କରେ ସୂଚନା ଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ; ମୁଖ୍ୟମନ୍ତ୍ରୀ ଆଜି ମଧ୍ୟାହ୍ନ ୧୨ଟା ୫୦ ମିନିଟ୍‌ରେ କେନ୍ଦୁଝରରୁ ଅଗଷ୍ଟା ୧୦୯-ଭିଟି ହେଲିକପ୍ଟରରେ ବାହାରି ୧ଟା ୩୦ ମିନିଟ୍‌ରେ ବାରିପଦା ପୁଲିସ ପଡ଼ିଆରେ ଅବତରଣ କରିବାକୁ ପ୍ରାକ୍‌ ପ୍ରସ୍ତୁତି ହୋଇଥିଲା। କିନ୍ତୁ କେନ୍ଦୁଝରର କାର୍ଯ୍ୟକ୍ରମ ବିଳମ୍ବ ହେବାରୁ ମୁଖ୍ୟମନ୍ତ୍ରୀ ପ୍ରାୟ ୩ଟା ୦୫ ମିନିଟ୍‌ରେ ବାରିପଦାରେ ପହଞ୍ଚିବାକୁ ପୁନଃ ସମୟ ନିର୍ଘଣ୍ଟ ହୋଇଥିଲା। ହେଲେ, ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣ ବେଳେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। କିଛି ବଡ଼ ଅଘଟଣ ଘଟିବା ପୂର୍ବରୁ ଏହାର ଜରୁରୀ ଅବତାରଣ କରାଯାଇଥିଲା। ପ୍ରଭୁ ଜଗନ୍ନାଥ, ମା’ ଅମ୍ବିକା ଓ ମା’ ତାରିଣୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧାର କରିଦେଲେ। ଏଭଳି ପରିସ୍ଥିତିରେ ଥାଇ ବି ହେଲିକପ୍ଟରରୁ ଓହ୍ଲାଇବା ମାତ୍ରେ, ଶ୍ରୀ ମାଝୀ ଫୋନ୍‌ କରି ଏ ସମ୍ପର୍କରେ ଅବଗତ କରିଥିଲେ ଏବଂ ସଡ଼କ ପଥରେ ବାରିପଦା ଆସିବେ ବୋଲି କହିଥିଲେ।  ହେଲେ, ସୁରକ୍ଷା ଓ ସମୟ ଦୃଷ୍ଟିରୁ ଏହା ସମ୍ଭବ ହୋଇନଥିଲା ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ମୟୂରଭଞ୍ଜରେ ଆଉ ଏକ ସଭା କରିବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର। ଏପଟେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବାରିପଦାରେ ଆୟୋଜିତ ସଭାସ୍ଥଳରେ ବି ଏକ ଅଘଟଣ ଘଟିଥିଲା। ସଭା ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ସଭାସ୍ଥଳରେ ନିଆଁ ଲାଗି ଯାଇଥିଲା। ହେଲେ ଉପସ୍ଥିତ ଅଗ୍ନିଶମ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରି ନେଇଥିଲେ। ଅତ୍ୟଧିକ ଉତ୍ତାପ ଯୋଗୁଁ ଦୁଇଟି ବିଦ୍ୟୁତ୍‌ ତାର ଯୋଡ଼ିହୋଇ ନିଆଁ ଲାଗିଥିଲା ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।

କେନ୍ଦୁଝରରୁ ସଡ଼କ ପଥରେ ଭୁବନେଶ୍ବର ଫେରିଲେ
‘ପ୍ରଭୁ ଜଗନ୍ନାଥ, ମା’ ଅମ୍ବିକା ଓ ତାରିଣୀଙ୍କ କୃପାରୁ ବର୍ତ୍ତିଗଲେ’

କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନିଆ କେନ୍ଦୁଝର ଗସ୍ତ ସାରି ବାରିପଦା ଯିବାର କାର୍ଯ୍ୟସୂଚୀ ଥିଲା। ଆଜି କେନ୍ଦୁଝରରେ ସରକାରଙ୍କ ୧୦୦ ଦିନ ପୂର୍ତ୍ତି କାର୍ଯ୍ୟକ୍ରମ ଶେଷ କରି ଶ୍ରୀ ମାଝୀ ରାଇସୁଆଁସ୍ଥିତ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଥିଲେ। ସେ ହେଲିକପ୍ଟରରେ ବସିଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାହା ଉଡ଼ିପାରି ନଥିଲା। ଏ ସମ୍ପର୍କରେ ଜା‌ଣିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହେଲିକପ୍ଟରରୁ ଓହ୍ଲାଇ ପଡ଼ିଥିଲେ। ସେଠାର ଥିବା ବିଶ୍ରାମଗୃହରେ ୨୦ ମିନିଟ ବସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ବର ନିଆଯିବାର ବ୍ୟବସ୍ଥା ହୋଇଥିଲା। ଅପରାହ୍‌ଣ ପ୍ରାୟ ସାଢ଼େ ୫ଟା ସମୟରେ ଶ୍ରୀ ମାଝୀ କାର୍‌ ଯୋଗେ ସ୍ବତନ୍ତ୍ର କାରକେଡ୍‌ରେ ଭୁବନେଶ୍ବର ଫେରିଯାଇଥିଲେ। ବିଭିନ୍ନ ସ୍ଥାନରେ ରାଜପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଅଚଳ ହେଲିକପ୍ଟରଟି ଏୟାରଷ୍ଟ୍ରିପ୍‌ରେ ରହିଥିବା ଦେଖିବାକୁ ମିଳିଥିଲା।