ଭୁବନେଶ୍ବର: ଗୁରୁବାର ସନ୍ଧ୍ୟାରେ ରସୁଲଗଡ଼ ଛକସ୍ଥିତ ଏକ ଗ୍ୟାରେଜ୍ ଭିତରୁ ମାଲିକ ତଥା ମେକାନିକ୍ଙ୍କ ମୃତଦେହ ମିଳିଛି। ମୃତକ ହେଲେ ବାଲେଶ୍ବର ନୀଳଗିରି ଅଞ୍ଚଳର ଲକ୍ଷ୍ମୀଧର ଦାସ ଓରଫ ରାଜୁ (୩୦)। ବଡ଼ଭାଇ ରାଜେନ୍ଦ୍ର ଗ୍ୟାରେଜ୍ କ୍ୟାବିନ୍ରୁ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ରାଜୁଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ୟାବିନ୍ ବାହାରୁ ତାଲା ପଡ଼ିଥିବାରୁ ବଡ଼ଭାଇ ରାଜେନ୍ଦ୍ର ସନ୍ଦେହ ପ୍ରକାଶ କରିଛନ୍ତି। ସେହିଭଳି ରାଜୁଙ୍କ କାନ ଓ ଜଙ୍ଘରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି କ୍ୟାବିନ୍ ବାହାରୁ ତାଲା ପକାଇ ପଳାଇଛି ବୋଲି ରାଜେନ୍ଦ୍ର ସନ୍ଦେହ କରିଛନ୍ତି। କିନ୍ତୁ ଏ ନେଇ ମଞ୍ଚେଶ୍ବର ଥାନାରେ କୌଣସି ଅଭିଯୋଗ ହୋଇନାହିଁ।
ବଡ଼ଭାଇ ରାଜେନ୍ଦ୍ରଙ୍କ ଅଭିଯୋଗ ଅନୁସାରେ, ରବିବାର ଦିନ ସେମାନେ ସପରିବାର ଗାଁକୁ ଯାଇଥିଲେ। ବୁଧବାର ଦିନ ରାଜୁ ଏକୁଟିଆ ରସୁଲଗଡ଼ ଫେରି ଆସିଥିଲେ ଏବଂ ଗ୍ୟାରେଜ୍ରେ କାମ ଚାଲିଛି ବୋଲି ଫୋନ୍ କରି ଜଣାଇଥିଲେ। ଆଜି ସେ ଓ ତାଙ୍କ ପରିବାର ରସୁଲଗଡ଼ ଭଡ଼ା ଘରକୁ ଫେରିଥିଲେ। କିନ୍ତୁ ରାଜୁ ଘରେ ନଥିଲେ। ରାଜୁ ଗ୍ୟାରେଜ୍ରେ କାମ କରୁଥିବା ଭାବି ସେ ସେଠାକୁ ଯାଇଥିଲେ। କ୍ୟାବିନ୍ ବାହାର ପଟୁ ତାଲା ପଡ଼ିଥିବାବେଳେ ଗୋଟିଏ ପିଲା କାମ କରୁଥିଲା। ବଡ଼ଭାଇ ରାଜେନ୍ଦ୍ର ତାକୁ ରାଜୁ ବିଷୟରେ ପଚାରିଥିଲେ। ରାଜୁ ଗାଁରୁ ଫେରିବା ପରଠୁ ଗ୍ୟାରେଜ୍କୁ ଆସିନାହାନ୍ତି ବୋଲି ପିଲାଟି କହିଥିଲା। ବଡ଼ଭାଇଙ୍କର ସନ୍ଦେହ ହୋଇଥିଲେ ହେଁ ଜରୁରି କାମ ଥିବାରୁ ସେ ଚାଲିଯାଇଥିଲେ। ସନ୍ଧ୍ୟାରେ ସେ ପୁଣି ଗ୍ୟାରେଜ୍ ଆସି ପିଲାଟିକୁ ପଚାରିଥିଲେ। ପିଲାଟି ସମାନ ଉତ୍ତର ଦେଇଥିଲା। ତେଣୁ ରାଜେନ୍ଦ୍ରଙ୍କର ସନ୍ଦେହ ବଢ଼ିଥିଲା ଏବଂ ସେ କ୍ୟାବିନ୍ କଡ଼କୁ ଯାଇଥିଲେ। ସେଠାରେ ରାଜୁଙ୍କ ଚପଲ ଥିବା ଦେଖି ତାଙ୍କର ସନ୍ଦେହ ଆହୁରି ବଢ଼ିଥିଲା। ସେ ତୁରନ୍ତ ଘରକୁ ଯାଇ କ୍ୟାବିନ୍ର ଅନ୍ୟ ଚାବି ଆଣି ଖୋଲିଥିଲେ। କ୍ୟାବିନ୍ ଭିତରେ ରାଜୁ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେ ତୁରନ୍ତ ଆମ୍ବୁଲାନ୍ସ ଡାକି ରାଜୁଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। ବଡ଼ଭାଇ ରାଜେନ୍ଦ୍ରଙ୍କ କହିବା କଥା, ରାଜୁଙ୍କ ଗୋଟିଏ କାନରୁ ରକ୍ତ ବାହାରି ଶୁଖିଯାଇଛି। ଅନ୍ୟ କାନଟି କଳା ପଡ଼ିଯାଇଛି। ଏ ନେଇ ସେ ମଞ୍ଚେଶ୍ବର ଥାନାକୁ ଜଣାଇବେ ବୋଲି କହିଛନ୍ତି। କିନ୍ତୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇ ନଥିବା ପୁଲିସ କହିଛି।