ପୂର୍ବତନ କେନ୍ଦ୍ରମନ୍ତ୍ରୀ ପତ୍ନୀଙ୍କ ଗୁରୁତର ଅଭିଯୋଗ : ପଦକ ସ୍ବର୍ଣ୍ଣ; ତମ୍ବାରେ ନିର୍ମିତ

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ବରୋଧରେ ମାନହାନି ମାକଦ୍ଦମା ରୁଜୁ କରିବେ ଲକ୍ଷ୍ମୀବାଈ

ବ୍ରହ୍ମପୁର : ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ପି.ଶିବଶଙ୍କରଙ୍କ ପତ୍ନୀ ଡ.ଜେ.ଲକ୍ଷ୍ମୀବାଈ ବ୍ରହ୍ମପୁର ଖଲ୍ଲିକୋଟ କ୍ଲଷ୍ଟର‌୍‌ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗତ ୨୦୧୭ରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ସହ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। କିନ୍ତୁ ତାଙ୍କୁ ଦିଆଯାଇଥିବା ସ୍ବର୍ଣ୍ଣ ପଦକରେ ସୁନା ନାହିଁ। ସ୍ବର୍ଣ୍ଣ ପଦକ ପ୍ରଦାନ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ତମ୍ବା ବୋଲି ସେ ଜାଣିଥିଲେ ବୋଲି ଡ.ଲକ୍ଷ୍ମୀବାଈ ଗୁରୁତର ଅଭିଯୋଗ ଆଣିଛନ୍ତି। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ତରଫରୁ ତାଙ୍କୁ ଉପାଧି ପ୍ରଦାନବେଳେ ତାଙ୍କ ପ୍ରତି ଠକେଇ କରାଯାଇ ତାଙ୍କ ସମ୍ମାନ ହାନି କରାଯାଇଛି। ଏଣୁ ସେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କତୃର୍ପକ୍ଷଙ୍କ ବିରୋଧରେ ୧୦ଲକ୍ଷ ଟଙ୍କାର ଏକ ମାନହାନି ମକଦ୍ଦମା ବ୍ରହ୍ମପୁର ସିଭିଲ୍‌ କୋର୍ଟରେ କରିବେ ବୋଲି ତାଙ୍କର ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି। ମାମଲା ରୁଜୁ ନିମେନ୍ତ ଏ ସମ୍ପର୍କିତ ସମସ୍ତ ଦସ୍ତାବିଜ ସେ ଆଜି କୋର୍ଟରେ ଦାଖଲ କରିଥିବା ଓକିଲ ଶ୍ରୀ ପଟ୍ଟନାୟକ କହିଛନ୍ତି। ଡ.ଲକ୍ଷ୍ମୀବାଈଙ୍କ ଅଭିଯୋଗ ପରେ ପ୍ରତିଷ୍ଠା ଦିବସରେ ଅନ୍ୟମାନଙ୍କୁ ଦିଆଯାଇଥିବା ସ୍ବର୍ଣ୍ଣ ପଦକର ମାନକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଗତ ୨୦୧୭ରେ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ତେଲୁଗୁ ଲିଟରେଚର‌୍‌ ପାଇଁ ବିଶ୍ବବିଦ୍ୟାଳୟ ତରଫରୁ ସମ୍ମାନସୂଚକ ଉପାଧି ପ୍ରଦାନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିଲାଗି ଆସିଥିବା ଆବେଦନ ଗୁଡ଼ିକ ମଧ୍ୟରୁ ଡ. ଲକ୍ଷ୍ମୀବାଇଙ୍କ ନାମ ସମ୍ମାନସୂଚକ ଉପାଧି ଓ ସ୍ବର୍ଣ୍ଣ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା। ପ୍ରତିଷ୍ଠା ଦିବସ ଅବସରରେ ଡ. ଲକ୍ଷ୍ମୀବାଇଙ୍କୁ ନିମନ୍ତ୍ରଣ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ତାଙ୍କୁ ସ୍ବର୍ଣ୍ଣ ପ୍ରଦାନ କରାଯାଇଥିଲା।

କିନ୍ତୁ ପରବର୍ତ୍ତୀ ସମ‌ୟରେ ତାହା ସୁନା ନୁହେଁ ବୋଲି ସେ ଜାଣିବାକୁ ପାଇଥିଲେ। ଏପରିକି ସେ ଏକ ଲାବୋରେଟରିରେ ପରୀକ୍ଷା କରିବାରୁ ପଦକଟି ସମ୍ପୂର୍ଣ୍ଣ ତମ୍ବା ବୋଲି ଜଣାପଡ଼ିଥିଲା। ସେ ନେଇ ଡ. ଲକ୍ଷ୍ମୀବାଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ବିଶ୍ବବିଦ୍ୟାଳୟ ତରଫରୁ ତାଙ୍କ ନିକଟରେ କ୍ଷମାପ୍ରାର୍ଥନା କରାଯାଇଥିଲା। ତା’ ସ‌େତ୍ତ୍ବ ବି ତାଙ୍କର ମାନହାନି ଘଟିଥିବା ନେଇ ଡ.ଲକ୍ଷ୍ମୀବାଈ ଅଭିଯୋଗ ଆଣିଛନ୍ତି। ଆସନ୍ତା ୧ ତାରିଖରେ ସେ ବିଶ୍ବବିଦ୍ୟାଳୟ କତୃର୍ପକ୍ଷଙ୍କ ବିରୋଧରେ କୋର୍ଟରେ ମାନହାନି ମକଦ୍ଦମା ରୁଜୁ କରିବେ ବୋଲି ତାଙ୍କ ଓକିଲ ଦୀପକ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି। ଗୁଣପୁରର ଆଇନଜୀବୀ ବ୍ରହ୍ମାନନ୍ଦ ଆଚାରୀ ମଧୢ ଡ.ଲକ୍ଷ୍ମୀବାଈଙ୍କ ତରଫରୁ ମକଦ୍ଦମା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର