ଭୁବନେଶ୍ୱର : ଗାନ୍ଧୀଙ୍କ କଥା ଘରେ ଘରେ ପହଞ୍ଚିବା ପାଇଁ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ଗାନ୍ଧୀ ମଧ୍ୟ ସାମ୍ବାଦିକ ଥିଲେ। ସମ୍ବାଦପତ୍ର ଜରିଆରେ ଜନଜାଗରଣ ସୃଷ୍ଟି କରିବା ପାଇଁ ସେ ଉଦ୍ୟମ କରୁଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ। ତାଙ୍କର ଦାୟାଦ ଭାବ‌େ ପ୍ରତ୍ୟେକ ସାମ୍ବାଦିକ ଗାନ୍ଧୀ କଥାକୁ ପ୍ରଚାର ପ୍ରସାର କରିବା ଆବଶ୍ୟକ ବୋଲି କହିଛନ୍ତି ଗାନ୍ଧୀବାଦୀ ପ୍ରଚାରକ କୁମାର ପ୍ରଶାନ୍ତ। ଓଡ଼ିଶା ଗସ୍ତ ଅବସରରେ ସ୍କାଉଟ୍‌ ଆଣ୍ଡ ଗାଇଡ୍‌ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଗଣମାଧ୍ୟମ ମୁଖ୍ୟଙ୍କ ସହ ଆଲୋଚନାରେ ସେ ଏହା କହିଛନ୍ତି।

Advertisment

‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ଯୋଗ ଦେଇ କହିଥିଲେ, ଗାନ୍ଧୀଙ୍କ କଥାକୁ ପ୍ରଚାର କରିବା ପାଇଁ କୁମାର ପ୍ରଶାନ୍ତ ଯେଉଁ ଉଦ୍ୟମ କରୁଛନ୍ତି, ତାହା ପ୍ରଶଂସନୀୟ। ଆଜିର ପିଢ଼ି ଏ ସବୁ ଜାଣିବାର ଆବଶ୍ୟକତା ରହିଛି। ବେଳେବେଳେ କୁମାର ପ୍ରଶାନ୍ତଙ୍କ ‘ଗାନ୍ଧୀଙ୍କ କଥା’ ଆମେ ଛାପିବା ବେଳ‌େ କେତେକ ସ୍ତରରୁ ବିରୋଧ ହେଉଛି। ହେଲେ ଆମେ ଛାପୁଛୁ। କିନ୍ତୁ ମୁଦ୍ରିତ ଗଣମାଧ୍ୟମ ଯୁଗର ଅବସାନ ଘଟିବାକୁ ଯାଉଛି। ନୂତନପିଢ଼ି ଏଥିପ୍ରତି ଆଉ ଆକୃଷ୍ଟ ହେଉନାହାନ୍ତି। ତେଣୁ ଗାନ୍ଧୀଙ୍କ କଥା ପ୍ରଚାର ପ୍ରସାର କରିବାକୁ ହେଲେ ନୂଆ ବ୍ୟବସ୍ଥା ସଂପର୍କରେ ଚିନ୍ତା କରିବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍‌ ମନୋରଞ୍ଜନ ମହାନ୍ତି, ଡ. ବିଶ୍ବଜିତ୍‌, ଜୟନ୍ତ ଦାସ, ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। କୁମାର ପ୍ରଶାନ୍ତ ସମସ୍ତଙ୍କୁ ସୂତା ମାଳ ପିନ୍ଧାଇବା ସହ ‘ହିନ୍ଦ୍‌ ସ୍ବରାଜ୍‌’ ପୁସ୍ତକ ପ୍ରଦାନ କରି ଗାନ୍ଧୀଙ୍କ ପରିବାର‌ରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ।