ଭୁବନେଶ୍ବର : ଗଣମାଧ୍ୟମ ବର୍ତ୍ତମାନ ଖରାପ ସମୟ ଦେଇ ଗତି କରୁଛି। ଏହାକୁ ଅସ୍ବୀକାର କରିହେବ ନାହିଁ। ରାଜନୈତିକ ଦଳମାନଙ୍କ ସ୍ବାର୍ଥରେ ଗଣମାଧ୍ୟମ ପ୍ରଭାବିତ ହେଉଛି। ରାଜନୈତିକ ଦଳମାନେ ଗଣମାଧ୍ୟମଗୁଡ଼ିକର ଆର୍ଥିକ ସ୍ଥିତିର ଫାଇଦା ଉଠାଉଛନ୍ତି। ତେଣୁ ଆଜି ଗଣମାଧ୍ୟମ ସାଧାରଣ ଜନତାଙ୍କ ବିଶ୍ବାସଭାଜନ ହୋଇପାରୁନାହିଁ। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ସହଯୋଗରେ କିଟ୍ ପକ୍ଷରୁ ଆୟୋଜିତ ଜି୨୦-ୟୁଥ୍ ୨୦ର ମିଡିଆ ସେସନ୍‌ରେ ଏଭଳି ମତ ରଖିଛନ୍ତି ‘ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲା।

Advertisment

‘ସୁନ୍ଦର ବିଶ୍ବ ଗଠନରେ ଯୁବଶକ୍ତି’ ଶୀର୍ଷକ ଆଲୋଚନାଚକ୍ରରେ ସେ ଆହୁରି କହିଛନ୍ତି ଯେ ଯୁବ ସଶକ୍ତୀକରଣ ଓ ମହିଳା ସଶକ୍ତୀକରଣ କେବଳ ଏକ ରାଜନୈତିକ ସ୍ଲୋଗାନ। ଭୋଟ୍‌ ହାତେଇବାର ଏକ ମାଧ୍ୟମ। ମହିଳା ଓ ଯୁବ ସଶକ୍ତୀକରଣ କହିବା ଅର୍ଥ ସେମାନଙ୍କୁ ନ୍ୟୁନ ବୋଲି ବିଚାର କରିବା ସହିତ ସମାନ। ଦେଶର ୬୫ ପ୍ରତିଶତ ଯୁବଶକ୍ତିର ସଦୁପଯୋଗ କରିବା ସହିତ ସେମାନଙ୍କୁ ଜିଡିପିରେ ସାମିଲ କରିବାକୁ ହେବ। ଏଥିପାଇଁ ଯୁବପିଢ଼ିଙ୍କୁ ପ୍ରଥମେ ଭାରତକୁ ଜାଣିବା ଜରୁରି। ସେମାନେ ଭାରତର ବିବିଧତାସମ୍ପନ୍ନ ବିଭବଶାଳୀ ଐତିହ୍ୟ ବିଷୟରେ ଜାଣିବା ଉଚିତ ବା ସେମାନଙ୍କୁ ଜଣାଯିବା ଉଚିତ ବୋଲି ଶ୍ରୀ ଚାୱଲା କହିଥିଲେ। ପରିବେଶ ସୁରକ୍ଷା ନାଁରେ ସମୁଦ୍ର କୂଳରେ ଇକୋ-ଟୁରିଷ୍ଟଠାରୁ ଆରମ୍ଭ କରି ଅରୁଣାଚଳପ୍ରଦେଶରେ ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ଯୋଜନାକୁ ବିରୋଧ ହେଉଥିବା ଘଟଣାକୁ ସେ ଏହି ଅବସରରେ ସମାଲୋଚନା କରିଛନ୍ତି। ଏଭଳି ବ୍ୟକ୍ତି ବା ସଂସ୍ଥାମାନଙ୍କୁ ସେ ଇକୋ-ଟେରୋରିଷ୍ଟ୍‌ ବୋଲି କହିଛନ୍ତି। ଷ୍ଟାର୍ଟଅପ୍‌ କଥା କହି ଯୁବକମାନଙ୍କ ମଧ୍ୟରେ ମିଥ୍ୟା ଆଶା ସୃଷ୍ଟି କରାଯାଉଛି ବୋଲି ସେ ମତ ଦେଇଛନ୍ତି।

ଏହି ଅବସରରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଗଣମାଧ୍ୟମ ଭାଙ୍ଗିବାରେ ନୁହେଁ, ଗଢ଼ିବାରେ ବିଶ୍ବାସ କରେ। ଗଣମାଧ୍ୟମ ସମସ୍ୟା ସହିତ ସମାଧାନର ରାସ୍ତା ଦେଖାଏ। ତେବେ ଗଣମାଧ୍ୟମ ଆଜି ବହୁଧା ବିଭାଜିତ ହେବା ଏକ ବଡ଼ ଚ୍ୟାଲେଞ୍ଜ। ଆଜି କିଛି ବ୍ୟକ୍ତି ଇତିହାସ ବଦଳାଇବାରେ ଲାଗିଛନ୍ତି। କିନ୍ତୁ ଇତିହାସ ବଦଳାଇବା ଅପେକ୍ଷା ନୂଆ ଇତିହାସ ରଚନା କରିବା ବଡ଼ କଥା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

‘ସମାଜ’ ସମ୍ପାଦକ ଏବଂ ପ୍ରକାଶକ ନିରଞ୍ଜନ ରଥ କହିଛନ୍ତି ଯେ ସୁନ୍ଦର ଦୁନିଆ ସୃଷ୍ଟି କେବଳ ଯୁବକଙ୍କ ଦ୍ବାରା ସମ୍ଭବ। ‘ଧରିତ୍ରୀ’ ସମ୍ପାଦକ ତଥାଗତ ଶତପଥୀ କହିଥିଲେ ଯେ କୌଣସି ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧି, କପାଳରେ ତିଳକ ଲଗାଇ ଗୁଣ୍ଡା ଭଳି ଆଚରଣ ପ୍ରଦର୍ଶନ କରୁଥିବା ଯୁବକମାନଙ୍କଠାରୁ ସୁନ୍ଦର ବିଶ୍ବ ଗଠନ ଆଶା କରାଯାଇନପାରେ। ଭାରତର ବିବିଧତାରେ ସୁନ୍ଦରତା ରହିଛି ବୋଲି ଆଜିର ଯୁବପିଢ଼ିଙ୍କୁ ବୁଝାଇବା ଜରୁରି। ସୂଚନା କମିସନର୍‌ ସୁଶାନ୍ତ ମହାନ୍ତି କହି‌ଲେ ଯେ ଦେଶର ବିକାଶରେ ଯୁବକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସେମାନେ ବୁଝିବା ବା ସେମାନଙ୍କୁ ଉପଯୁକ୍ତ ଫୋରମ୍‌ରେ ବୁଝାଇବା ଆବଶ୍ୟକ। ସତ୍ୟଜିତ ରାୟ ଫିଲ୍ମ ଏବଂ ଟେଲିଭିଜନ୍‌ ପ୍ରତିଷ୍ଠାନର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ କହିଛନ୍ତି ଯେ ବର୍ତ୍ତମାନର ଯୁବପିଢ଼ି ଖୁବ୍‌ଶୀଘ୍ର ନିରାଶ ହୋଇ ଚରମ ପଦକ୍ଷେପ ଗ୍ରହଣ କରୁଛନ୍ତି, ଏହା ବଡ଼ ଦୁର୍ଭାଗ୍ୟଜନକ। କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଆଇଆଇଏମ୍‌ସିର ମୁଖ୍ୟ ମୃଣାଳ ଚାଟାର୍ଜୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଜାତୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଧିତ କରାଯାଇଥିଲା।