ଭୁବନେଶ୍ବର : ବିଗତ କିଛି ବର୍ଷ ହେଲା ଗଣମାଧ୍ୟମ ନିଜର ସମ୍ମାନ ହରାଇବା ଦେଖାଯାଉଛି । ଗଣମାଧ୍ୟମର ମୂଲ୍ୟବୋଧର ଅବକ୍ଷୟ ଦେଖିବାକୁ ମିଳିଛି । ପୁଣି ଗଣମାଧ୍ୟମରେ ପୁଞ୍ଜିପତି ବ୍ୟବସାୟୀଙ୍କ ଅନୁପ୍ରବେଶ ଘଟିଛି । ଏହା ବେଶ ଚିନ୍ତାର ବିଷୟ । ଏପରିସ୍ଥିତିରେ ଐତିହ୍ୟ ସମ୍ପନ୍ନ ସମ୍ବାଦପତ୍ରଗୁଡ଼ିକ ତିଷ୍ଠିରହିବା ଜରୁରି, କାରଣ ସେମାନେ ହିଁ ଉଚ୍ଚ ଗୁଣମାନର ଓ ମୁକ୍ତ ସାମ୍ବାଦିକତାର ଗ୍ୟାରେଣ୍ଟି ଦେଇପାରିବେ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଦି ପ୍ରିଣ୍ଟର ମୁଖ୍ୟ ସଂପାଦକ ଶେଖର ଗୁପ୍ତା।
ସମ୍ବାଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶେଖର ଗୁପ୍ତା କହିଥିଲେ ଯେ, ଓଡ଼ିଶାର ସାମ୍ବାଦିକମାନେ ଭାଗ୍ୟବାନ ଯେ ସେମାନେ ଓଡ଼ିଶାର ଦୁଇଟି ଲିଗାସି ବା ଐତିହ୍ୟ ସମ୍ପନ୍ନ ସମ୍ବାଦପତ୍ରର ଅଂଶ । ଗୋଟିଏ ୪୦ ବର୍ଷ ପୁରୁଣା ହୋଇଥିବାବେଳେ ଅନ୍ୟଟି ୧୦୦ ବର୍ଷରୁ ଅଧିକ ପୁରୁଣା । କାରଣ ବିଶ୍ବର ସବୁଠାରୁ ସୁଦୃଢ ସମ୍ବାଦପତ୍ର ସେଗୁଡ଼ିକ, ଯେଉଁଗୁଡ଼ିକ କି ଗୋଟିଏ ଗୋଟିଏ ଐତିହ୍ୟ ସମ୍ପନ୍ନ ସମ୍ବାଦପତ୍ର। ସେଗୁଡ଼ିକ ଗତକାଲି କିମ୍ବା ୫-୭ ବର୍ଷ ତଳେ ଆରମ୍ଭ ହୋଇନାହାନ୍ତି, ବରଂ ଅନେକ ଦଶନ୍ଧିରୁ ଚାଲିଆସୁଛନ୍ତି । ସେଗୁଡ଼ିକ ପିଢି ପରେ ପିଢି ଚାଲିଆସିଛନ୍ତି । ଭାରତର ପ୍ରମୁଖ ସମ୍ବାଦପତ୍ର ଟାଇମ୍ସ ଅଫ ଇଣ୍ଡିଆ, ହିନ୍ଦୁସ୍ତାନ ଟାଇମ୍ସ, ଇଣ୍ଡିଆନ ଏକ୍ସପ୍ରେସ, ଦି ହିନ୍ଦୁ, ଟ୍ରିବ୍ୟୁନ ଆଦି ଅନେକ ଦଶନ୍ଧି ତଳେ ଆରମ୍ଭ ହୋଇଥିଲେ ଓ ଏପରିକି କେତେକ ୨୦୦ ବର୍ଷ କିମ୍ବା ୧୦୦ ବର୍ଷ ତଳେ ଆରମ୍ଭ ହୋଇଥିଲେ । ଟିଭି ଚ୍ୟାନେଲ ଗୁଡ଼ିକର ଇତିହାସ ବିଶେଷ ପୁରୁଣା ନୁହେଁ, ଏଣୁ ସେମାନେ ଏପର୍ଯ୍ୟନ୍ତ ନିଜର ଲିଗାସି ସୃଷ୍ଟି କରିପାରିନାହାନ୍ତି । ଗୋଟିଏ ଦୁଇଟି ଚ୍ୟାନେଲ ଏକ ଲିଗାସି ତିଆରି କରିବାକୁ ଉଦ୍ୟମ କରିଥିଲା କିନ୍ତୁ ତାହାକୁ ଏକ ବ୍ୟବସାୟିକ ସଂସ୍ଥା ଅଧିଗ୍ରହଣ କରିନେଇଥିଲା । ସେମାନେ ହେଉଛନ୍ତି ଏନଡିଟିଭି ଓ ନେଟଓ୍ବାର୍କ ୧୮ ଗ୍ରୁପ । ଐତିହ୍ୟ ସଂପନ୍ନ ସମ୍ବାଦପତ୍ରଗୁଡ଼ିକ କାଳକ୍ରମେ ଅନୁଷ୍ଠାନରେ ପରିଣତ ହୋଇଥାନ୍ତି ଓ ଅନୁଷ୍ଠାନର ନିଜସ୍ବ ଇତିହାସ, ନିଜସ୍ବ ଶକ୍ତି ଓ ସମ୍ମାନ ରହିଥାଏ । ଏପରିକି ଜଣେ ଏକଛତ୍ରବାଦୀ ଶାସକ ବି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଦୁଇଥର ଚିନ୍ତା କରନ୍ତି । ଏକ ଐତିହ୍ୟ ସଂପନ୍ନ ସମ୍ବାଦପତ୍ର ପଛରେ ଥାଏ ଏକ ମାଲିକ ପରିବାର ଓ ଉକ୍ତ ପରିବାରର ପରମ୍ପରା । ଗଣମାଧ୍ୟମ ଏକ ସୀମିତ ଆକାରର ବ୍ୟବସାୟ ହୋଇଥିଲେ ବି ଏହାର ସମ୍ମାନ ରହିଥାଏ । କିନ୍ତୁ ଆଜି ଗଣମାଧ୍ୟମ ପାଇଁ ସବୁଠାରୁ ବଡ଼ ବିପଦ କଣ ? ବିଗତ ୨୦-୨୫ ବର୍ଷରେ ଦେଖିବାକୁ ମିଳୁଛ ଯେ ଅନେକ ବ୍ୟବସାୟୀ ଓ ପୁଞ୍ଜିପତି ଗଣମାଧ୍ୟମ ସଂସ୍ଥାକୁ କିଣୁଛନ୍ତି । କିନ୍ତୁ ସେମାନଙ୍କ ପାଇଁ ଏହି ବ୍ୟବସାୟଟି ଏକ ଛୋଟ ବ୍ୟବସାୟ ହୋଇଥାଏ ଓ ତାହାର ପ୍ରଦର୍ଶନ ତାଙ୍କ ଉପରେ ବିଶେଷ ପ୍ରଭାବ ପକାଏ ନାହିଁ । ଏକ ପରିବାର ପରିଚାଳିତ ସମ୍ବାଦପତ୍ର ପାଇଁ ସମ୍ବାଦପତ୍ର ହିଁ ସବୁକିଛି ହୋଇଥାଏ । ଗଣମାଧ୍ୟମରେ ପୁଞ୍ଜିପତି ଓ ବ୍ୟବସାୟୀଙ୍କ ପ୍ରବେଶ ଏହି ବ୍ୟବସାୟର ପ୍ରକୃତିକୁ ପ୍ରଭାବିତ କରିଛି ଓ ଏହା ଗଣମାଧ୍ୟମ ପାଇଁ ବିପଦ ।
୫୦-୬୦ ଦଶକର ପୁରୁଣା ହିନ୍ଦୀ ଚଳଚ୍ଚିତ୍ରରେ ସାମ୍ବାଦିକଙ୍କୁ ବେଶ ସମ୍ମାନଜନକଭାବେ ଚିତ୍ରଣ କରାଯାଉଥିଲା । ଗତ ୧୫ ବର୍ଷ ହେଲା ଲୋକମାନେ ଗଣମାଧ୍ୟମ ପ୍ରତି ନିଜର ସମ୍ମାନ ହରାଉଥିବା ଦେଖାଯାଉଛି । କେତେକ କ୍ଷେତ୍ରରେ ସାମ୍ବାଦିକମାନଙ୍କୁ ଅସାଧୁ, ଜୋକର, ଆତଙ୍କବାଦୀଙ୍କ ସହ ହାତମିଳାଇଥିବା ବ୍ୟକ୍ତିଭାବେ ଚିତ୍ରଣ କରାଯାଉଛି । ଏପରିକି ଗତ ୨୦ ବର୍ଷରେ ଏପରି କୌଣସି ଚଳଚିତ୍ର ମୁଁ ଦେଖିନାହିଁ ଯେଉଁଥିରେ ସାମ୍ବାଦିକଙ୍କୁ ଏକ ଭଲଲୋକଭାବେ ଦେଖାଯାଇଥିବ । ଏହା ବେଶ ଚିନ୍ତାର ବିଷୟ । ଏହାର ଏକ କାରଣ ହେଉଛି ନ୍ୟୁଜ ଚ୍ୟାନେଲ । ସେମାନେ ଆଉ ନ୍ୟୁଜ ବୁଲେଟିନ ନ ଦେଖାଇ କିଛିଲୋକଙ୍କୁ ବସାଇ ବିତର୍କ ନାଁରେ ଲଢେଇ କରାଉଛନ୍ତି ।
ଆମ ସମ୍ବିଧାନରେ ଗଣମାଧ୍ୟମର ସ୍ବାଧୀନତା ପାଇଁ କୌଣସି ବିଶେଷ ବ୍ୟବସ୍ଥା ନାହିଁ । କେବଳ ତାହା ସମ୍ବିଧାନର ଧାରା ୧୯(୧)କ (ବାକ ସ୍ବାଧୀନତା) ଦ୍ବାରା ସୁରକ୍ଷାପ୍ରାପ୍ତ । କିନ୍ତୁ ଗଣମାଧ୍ୟମକୁ ନ୍ୟାୟାଳୟ ଓ ଜନମତରୁ ସୁରକ୍ଷା ମିଳିଆସିଛି । କିନ୍ତୁ ବିଗତ କିଛି ବର୍ଷ ହେଲା ଗଣମାଧ୍ୟମ ନିଜର ସମ୍ମାନ ହରାଇବା ଦେଖାଯାଉଛି । ଏପରିକି କୋର୍ଟରୁ ଗଣମାଧ୍ୟମରୁ ସୁରକ୍ଷା ମିଳୁନାହିଁ । ଏହା ବେଶ ଚିନ୍ତାର ବିଷୟ । ସେହି ଦୃଷ୍ଟିରୁ ଏହିପରି(ସମ୍ବାଦ) ଅନୁଷ୍ଠାନ ତିଷ୍ଠିରହିବା ଜରୁରି, କାରଣ ସେମାନେ ହିଁ ଉଚ୍ଚ ଗୁଣମାନର ଓ ମୁକ୍ତ ସାମ୍ବାଦିକାର ଗ୍ୟାରେଣ୍ଟି ଦେଇପାରିବେ ।
ଏହି ଅବସରରେ ମୁଖ୍ୟ ବକ୍ତା ତଥା ବିଶିଷ୍ଟ ପରିବେଶ ସାମ୍ବାଦିକ ଓ ଲେଖକ ଦିନେଶ କୁମାର ଶର୍ମା କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଆଉ ଏକ ଭବିଷ୍ୟତର ଘଟଣା ନୁହେଁ, ବରଂ ବର୍ତ୍ତମାନ ତାହା ଘଟିଚାଲିଛି । ଏହା ସମସ୍ତଙ୍କୁ ପ୍ରଭାବିତ କରୁଛି । ବିଶ୍ବରେ ଚାଲିଥିବା ଯୁଦ୍ଧ ଓ ଯୁଦ୍ଧର ପ୍ରସ୍ତୁତି ମଧ୍ୟ ଏହି ସମସ୍ୟାକୁ ବଢାଇଦେଇଛି । ଅଶୀ ଦଶକରେ ଭୋପାଳ ଗ୍ୟାସ ଦୁର୍ଘଟଣା ଓ ପରେ ପରେ ଚେର୍ଣ୍ଣୋବିଲ ଆଣବିକ କେନ୍ଦ୍ର ଦୁର୍ଘଟଣା ଶିଳ୍ପପ୍ରଦୂଷଣ ଓ ପରିବେଶ ପ୍ରଦୂଷଣକୁ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟକୁ ଆଣିଥିଲା । କିନ୍ତୁ ସେତେବେଳେ ସେସବୁ ସମସ୍ୟାକୁ ସ୍ଥାନୀୟ ବିପଦ ଭାବେ ଦେଖାଯାଉଥିଲା । ୧୯୯୨ରେ ଏହି ସ୍ଥିତିରେ ପରିବର୍ତ୍ତନ ଆସିଥିଲା । ସେବର୍ଷ ରିଓରେ ଏକ ପରିବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ପରିବେଶ ଓ ବିକାଶ ମଧ୍ୟରେ ସମ୍ପର୍କକୁ ଉଲ୍ଲେଖ କରିଥିଲା । ସେତେବେଳେ ଭାରତ ପକ୍ଷରୁ ଏକ ପ୍ରସଙ୍ଗ ଉଠାଯାଇଥିଲା ଯେ ବିକଶିତ ଦେଶମାନେ ହିଁ ଅଙ୍ଗାରକ ନିର୍ଗମନ ପାଇଁ ଅଧିକ ଦାୟୀ । ସେବେଠାରୁ ଏପର୍ଯ୍ୟନ୍ତ ଆମେ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ଭଲଭାବେ ବୁଝିପରିଛୁ ।
ପରିବେଶ ସଂପର୍କିତ ସାମ୍ବାଦିକତାର ଏକ ବଡ଼ ସମସ୍ୟା ହେଲା ସେଥିରେ ଅନେକ ଟେକନଲିକାଲ ଶବ୍ଦ ଥାଏ ଯେଉଁଗୁଡ଼ିକୁ ବୁଝାଇବା କଷ୍ଟକର ହୋଇଥାଏ । ସେଗୁଡ଼ିକୁ କିପରି ସରଳଭାବେ ଦର୍ଶାଇବା ତାହା ଏକ ଚ୍ୟାଲେଞ୍ଜ । ଲୋକଙ୍କ ସେମାନଙ୍କ ଭାଷାରେ ପରିବେଶର ଖବର ପରିବେଶଣ କହିବା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ।
ପୁନଶ୍ଚ ପୃଥିବୀ ଅଧିନରେ ଆୟୋଜନ କରାଯାଉଥିବା ପରିବେଶ ପଞ୍ଚାୟତ ଏକ ଭଲ ପଦକ୍ଷେପ । କାରଣ ଏହା ଦ୍ବାରା ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଂପର୍କରେ ସାଧାରଣ ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇପାରୁଛି ।
ଖବରକାଗଜର ସାମ୍ବାଦିକମାନେ ଭୟଦେଖାଇବା ଛାଡ଼ି କିପରି ଶ୍ରଦ୍ଧାଭାଜନ ହୋଇପାରିବେ ସେଥିପ୍ରତି ଦାୟିତ୍ବବାନ ହେବା ଉଚିତ୍ : ସୌମ୍ୟରଞ୍ଜନ
ଏହି ଅବସରରେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଗୋଟିଏ ବର୍ଷରେ ପରିବର୍ତ୍ତନର ହାଓ୍ବା ବୋହିଯାଇଛି । କେବଳ ଆମର ପରିବର୍ତ୍ତନ ନୁହେଁ, ସମଗ୍ର ଓଡ଼ିଶାର ବି ପରିବର୍ତ୍ତନ ହେଲା- ଆମ ରାଜନୀତିରେ, ଆମ ଚିନ୍ତାଧାରାରେ, ଆମର ସବୁକିଛିରେ । କେହି ଭାବିନଥିଲେ ଯେ ଏପରି ପରିବର୍ତ୍ତନ ହେବ ବୋଲି । ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହୋଇଛି, ସେପରି ପରିବର୍ତ୍ତନ ହେବ ବୋଲି ସେହି ପରିବର୍ତ୍ତନର ହିତାଧିକାରୀମାନେ ବି ଭାବିନଥିଲେ । ଯେଉଁମାନେ ୨୫ ବର୍ଷ ହେଲା ଶାସନ କରୁଥିଲେ ସେମାନେ କେବେ ଭାବିନଥିଲେ ଯେ ତାଙ୍କ ଜୀବନରେ ଏପରି ଦୁର୍ଭାଗ୍ୟ ଆସିବ ବୋଲି । ଗୋଟିଏ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା କଣ ହେବା କଥା ସେ ନେଇ ଏବେ ମଧ୍ୟ ସମସ୍ତେ ଦ୍ବନ୍ଦ୍ବରେ ଅଛନ୍ତି, ଆମ (ଗଣମାଧ୍ୟମ) ଭୂମିକାକୁ ନେଇ କେହି ବିଶ୍ବାସ କରିବା ଅବସ୍ଥାରେ ନାହାନ୍ତି ।
ଗତ ୪୦ ବର୍ଷର ଅଭିଜ୍ଞତାରୁ ମୁଁ ଯାହା ଶିଖିପାରିନଥିଲି, ଗତ ଗୋଟିଏ ବର୍ଷର ଅଭିଜ୍ଞତାରୁ ମୁଁ ଅନେକ କିଛି ଶିଖିପାରିଛି । ଯଦି ଏହି ଘଟଣା ଘଟିନଥାନ୍ତା ମୁଁ ଅନେକ କଥା ଜାଣିପାରିନଥାନ୍ତି । ୪୦ ବର୍ଷ ତଳେ ଯେତେବେଳେ ମୁଁ ସମସ୍ତଙ୍କ ପରାମର୍ଶକୁ ଅମାନ୍ୟକରି ସମ୍ବାଦପତ୍ର ଆରମ୍ଭ କରିଥିଲି ଭାବିନଥିଲି ଯେ ଏତେ ସଫଳତା ପାଇବି ବୋଲି । କିନ୍ତୁ ହୁଏତ ୪୦ ବର୍ଷର ସଫଳତାରେ ବୋଧେ ଆମ ମନରେ ଅଂହକାର ହୋଇଥିଲା କିମ୍ବା ଆଉ କିଛି ଶିଖିବାକୁ ଥିଲା, ତାହା ଗତବର୍ଷର ବିଭ୍ରାଟ ଆମକୁ ଶିଖାଇ ଦେଇଥିଲା । ବୋଧହୁଏ ଈଶ୍ବର ଆମକୁ ଶିଖାଇବାକୁ ଚାହୁଁଥିଲେ ଯେ ଆମେ ‘ଅଳ୍ପପଥ ଅତିକ୍ରମ କରିଛୁ ଓ ବହୁପଥ ବାକି ଅଛି’ ।
ସମ୍ବାଦ ସବୁବେଳେ ନିଜର ସମ୍ପାଦକୀୟ ନୀତିକୁ ସ୍ପଷ୍ଟ କରିଆସିଛି, ଯଦିଏ କେହି ତାହାକୁ ଗ୍ରହଣ କରିବା ସ୍ଥିତିରେ ନଥାନ୍ତି । ମୋର ସମସ୍ୟା ହେଲା ବିଭିନ୍ନ ବୃତ୍ତିରେ ପ୍ରବେଶ କରିବାକୁ ଚେଷ୍ଟା କରିଛି, ସମ୍ପାଦକ ହୋଇଛି ସମ୍ବାଦପତ୍ରର ମାଲିକ ବୋଲି ହୋଇଛି, ପୁଣି ରାଜନୀତିରେ ବିଭିନ୍ନ ଦଳରେ ଯୋଗ ଦେଇଛି । ବିଭିନ୍ନ ବୃତ୍ତିରେ ଥାଇ ମୁଁ ଯେଉଁ କାର୍ଯ୍ୟକ୍ରମ କରିଛି ତାହାକୁ ସମସ୍ତେ ସହଜରେ ଗ୍ରହଣ କରିପାରିନଥାନ୍ତି । ଏଣୁ ଗୋଟିଏ କଥା ଶିଖିଛି ଏକାଧିକ ବୃତ୍ତିରେ ପ୍ରବେଶ କରିବା ବୁଦ୍ଧିମତ୍ତାର କାମ ନୁହେଁ । ଏଣୁ ଏପର୍ଯ୍ୟନ୍ତ ମୁଁ ସମ୍ପାଦକ ପଦ ଗ୍ରହଣ କରିନାହିଁ, କାରଣ ମୁଁ ଲକ୍ଷ୍ୟ କରୁଛି ଯେ ମୋ ଅବର୍ତ୍ତମାନରେ ମୋ ସହଯୋଗୀମାନେ ଏହାକୁ ଭଲଭାବେ ଚଳାଇପାରୁଛନ୍ତି । ସେମାନଙ୍କ ହାତରେ ସମ୍ବାଦ ଅଧିକ ସମୃଦ୍ଧ ଓ ଲୋକପ୍ରିୟ ହୋଇ ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ଜାଗ୍ରତ ପ୍ରହରୀ ହୋଇପାରିବ । ଓଡ଼ିଶାର ସ୍ବାଭିମାନ ଓ ଅସ୍ମିତା କଥା ଉଠାଇ ଆମେ ଏହାକୁ ଏପରି ଲୋକପ୍ରିୟ କରିଦେଇଛୁ ଯେ ସମସ୍ତେ ଅସ୍ମିତାର ଅର୍ଥ ନଜାଣିଲେ ବି ତାହାର କାମ କଣ ତାହା ବୁଝି ପାରିଛନ୍ତି । କିନ୍ତୁ ଓଡ଼ିଆ ସମ୍ବାଦପତ୍ରଟିଏ ନ ବଞ୍ଚିଲେ ଓଡ଼ିଶା ଅସ୍ମିତାର ରକ୍ଷା ହୋଇପାରିବ ନାହିଁ । ଆଜି ପାର୍ଟି ବଡ଼ ନାଁ ମାଟି ପଚାରିଲେ ଅନେକ ପାର୍ଟି( ଦଳ) ବୋଲି କହୁଛନ୍ତି । ଯେଉଁ ଦେଶରେ ମାଟି ଛୋଟ ହୋଇଯାଏ ତାହାର ବିଲୟ ଅବଶ୍ୟମ୍ଭାବୀ । ଓଡ଼ିଶାରେ ମାଟିକୁ ବଡ଼ କରିବାକୁ ହେଲେ ପାର୍ଟିକୁ ଗୌଣ କରିବାକୁ ପଡ଼ିବ।ଏପରି କଲେ ପାର୍ଟିର କୌଣସି କ୍ଷତି ହେବ ନାହିଁ । ଏଣୁ ଆଜି ସମସ୍ତେ ଆସନ୍ତୁ ମାଟି ମନସ୍କ ହେବା । ଏଥିପାଇଁ ଓଡ଼ିଶାର ଲୋକମାନେ ନିଜର ଦାୟିତ୍ବ ପ୍ରତି ସଚେତନ ହେବା ଉଚିତ । ଖବରକାଗଜର ସାମ୍ବାଦିକମାନେ ଭୟଦେଖାଇବା ଛାଡ଼ି କିପରି ଶ୍ରଦ୍ଧାଭାଜନ ହୋଇପାରିବେ ସେଥିପ୍ରତି ଦାୟିତ୍ବବାନ ହେବା ଉଚିତ୍ ।
ଏହି ଅବସରରେ ସମ୍ବାଦର ସଂପାଦକ ତନୟା ପଟ୍ଟନାୟକ କହିଥିଲେ ଯେ ଆସନ୍ତା ୧୨ ବର୍ଷ ପରେ ଯେତେବେଳେ ସମ୍ବାଦକୁ ୫୦ ବର୍ଷ ଓ ଓଡ଼ିଶାକୁ ୧୦୦ ବର୍ଷ ହୋଇଥିବ ଆମେ ପୁନଶ୍ଚ ପୃଥିବୀକୁ ଘରେ ଘରେ ପହଞ୍ଚାଇ ଏକ ଆନ୍ଦୋଳନରେ ପରିଣତ କରିବୁ । ଓଡ଼ିଶାରେ ପ୍ରତି ପରିବାରରେ ପରିବେଶ ଯୋଦ୍ଧା ତିଆରି କରିବାରେ ଆମେ ଆମର ଗୁଣ୍ଡୁଚି ମୂଷା ଭୂମିକା ନିର୍ବାହ କରିବୁ ।
ଆସନ୍ତା ୧୨ ବର୍ଷ ପରେ ଯେତେବେଳେ ସମ୍ବାଦକୁ ୫୦ ବର୍ଷ ଓ ଓଡ଼ିଶାକୁ ୧୦୦ ବର୍ଷ ହୋଇଥିବ ଆମେ ପୁନଶ୍ଚ ପୃଥିବୀକୁ ଘରେ ଘରେ ପହଞ୍ଚାଇ ଏକ ଆନ୍ଦୋଳନରେ ପରିଣତ କରିଥିବୁ । ଓଡ଼ିଶାରେ ପ୍ରତି ପରିବାରରେ ପରିବେଶ ଯୋଦ୍ଧା ତିଆରି କରିବାରେ ଆମେ ଆମର ଗୁଣ୍ଡୁଚି ମୂଷା ଭୂମିକା ନିର୍ବାହ କରିବୁ ।
-ତନୟା ପଟ୍ଟନାୟକ, ସଂପାଦକ, ସମ୍ବାଦ
ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ କହିଥିଲେ ଯେ ଆମେ ସମ୍ବାଦର ୪୦ ତମ ବାର୍ଷିକୀ ଓ କନକ ନ୍ୟୁଜର ୧୫ତମ ବାର୍ଷିକୀ ପାଳନ କରୁଛୁ । ସମ୍ବାଦ ଗ୍ରୁପ ବହୁତ କିଛି କରିସାରିଛି ଓ ଆଗକୁ ବହୁତ କିଛି କରିବାର ଅଛି । ସମ୍ବାଦ ଗ୍ରୁପ କେବଳ ଖବର ପରିବେଷଣ ନୁହେଁ, ଆହୁରି ଅନେକ ଗୁଡ଼ିଏ କ୍ଷେତ୍ରରେ ସମାଜ ପାଇଁ କାମ କରୁଛି । କର୍ପୋରେଟ ଜଗତର ଅବଦାନକୁ ସ୍ବୀକୃତି ଜଣାଇ ସିଇଓ କନକ୍ଲେଭ ଓ ବ୍ରାଣ୍ଡସ ଅଫ ଓଡ଼ିଶା ପ୍ରାଇଡ୍ ଅଫ ଇଣ୍ଡିଆ ସମ୍ମିଳନୀ, ମହିଳା ଉଦ୍ୟୋଗୀଙ୍କ ପାଇଁ ଓଡ଼ିଶା-୫୦, କ୍ରୀଡା କ୍ଷେତ୍ରରେ ଲେଟସ୍ ସଟଲ, ମାଇ ଫାଦର ମାଇ ହିରୋ, ରେଡିଓ ଚୋକୋଲେଟ ପକ୍ଷରୁ ଚକ୍ ଧୁମ କାର୍ଯ୍ୟକ୍ରମ ଆୟୋଜନ କରୁଛୁ । କନକ ନ୍ୟୁଜ ପକ୍ଷରୁ ନ୍ୟୁଜମେକର କାର୍ଯ୍ୟକ୍ରମ, ନିର୍ମାଣ କନକ୍ଲେଭ କାର୍ଯ୍ୟକ୍ରମ ଆୟୋଜନ କରୁଛୁ ।
ସମ୍ବାଦ ପରିବାରର ଅନ୍ୟତମ ପୁରୁଖା ସଦସ୍ୟ ଓ ମାର୍ଗଦର୍ଶକ ତଥା ବିଶିଷ୍ଟ ଲେଖକ ଗୌରହରି ଦାସ ସ୍ବାଗତ ଅଭିଭାଷଣ ଦେବା ସହ ଅତିଥିଙ୍କ ପରିଚୟ ଦେଇଥିଲେ ।