ଭୁବନେଶ୍ୱରରେ ଦିବ୍ୟାଙ୍ଗ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଉଦ୍ୟମ ଚାଲିଛି

ଦିବ୍ୟାଙ୍ଗଙ୍କ ପୁନଃଥଇଥାନ ସମ୍ପର୍କିତ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର : ଦିବ୍ୟାଙ୍ଗମାନେ ମଧ୍ୟ ସମାଜର ମୁଖ୍ୟସ୍ରୋତର ଅନ୍ତର୍ଭୁକ୍ତ । ସେମାନଙ୍କ ପ୍ରତି ସମାଜରେ ଥିବା ଭିନ୍ନ ଧାରଣାକୁ ଦୂର କରିବା ଦିଗରେ ଗଣମାଧ୍ୟମ ସକ୍ରିୟ ଭୂମିକା ଗ୍ରହଣ କରିବା ଉଚିତ ବୋଲି ‘ଭାରତର ପୁନଃଥଇଥାନ ପରିଷଦ’ ପୂର୍ବାଂଚଳ ଶାଖା-୧ ପକ୍ଷରୁ ଏଠାରେ ଆୟୋଜିତ ଏକ ‘ଗଣମାଧ୍ୟମ କର୍ମଶାଳା’ରେ ବକ୍ତାମାନେ ପରାମର୍ଶ ଦେଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗମାନଙ୍କ ସ୍ୱାସ୍ଥ୍ୟ ବିଜ୍ଞାନ ସମ୍ପର୍କିତ ଏକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ପ୍ରତିଷ୍ଠା କରିବାକୁ ଉଦ୍ୟମ ଚାଲିଥିବା ନେଇ ଏହି ଅବସରରେ ସୂଚନା ଦିଆଯାଇଛି ।

ସ୍ଥାନୀୟ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପରିସରରେ ପରିଷଦ ପକ୍ଷରୁ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ସାଇନ୍ସ (ଆଇଏଚଏସ) ସହଯୋଗରେ ଆୟୋଜିତ ଏହି ଦିନିକିଆ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ଆମ ଓଡ଼ିଶା’ ସମ୍ପାଦକ ସ୍ୱରାଜ ମିଶ୍ର କହିଥିଲେ ଯେ, ଦିବ୍ୟାଙ୍ଗମାନଙ୍କ ସଂପର୍କରେ ଖବର ପରିବେଷଣ ସମୟରେ ଗଣମାଧ୍ୟମ ସମ୍ବେଦନଶୀଳ ହେବା ଉଚିତ । ଦିବ୍ୟାଙ୍ଗଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ସୁବିଧାସୁଯୋଗ ସମ୍ପର୍କରେ ଖବର ପରିବେଷଣ ସହିତ ସେମାନଙ୍କ ସମସ୍ୟାକୁ ଉଚିତ କର୍ତ୍ତୃପକ୍ଷଙ୍କ ନିକଟରେ
ଉପସ୍ଥାପନ କରିବାରେ ଗଣମାଧ୍ୟମ ସକ୍ରିୟତାର ସହିତ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଆଇଏଚଏସ ନିର୍ଦ୍ଦେଶିକା ଶ୍ରୀମତୀ ନଳିନୀ ମହାନ୍ତି ଦିବ୍ୟାଙ୍ଗ ପୁନଃଥଇଥାନ ଆଇନ -୨୦୧୬ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଦିବ୍ୟାଙ୍ଗମାନଙ୍କ ସ୍ୱାସ୍ଥ୍ୟ ବିଜ୍ଞାନ ସମ୍ପର୍କିତ ଏକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ପ୍ରତିଷ୍ଠା କରିବାକୁ ଆଇଏଚଏସ ଉଦ୍ୟମ କରୁଛି । ଏହା ସାକାର ହେଲେ ସମଗ୍ର ଭାରତବର୍ଷରେ ଏହା ଏ ଧରଣର ଏକମାତ୍ର ବିଶ୍ୱବିଦ୍ୟାଳୟ ହେବ ।

ଆଇଏଚଏସର ମୁଖ୍ୟ ତଥା ପୁନଃଥଇଥାନ ପରିଷଦ ପୂର୍ବାଂଚଳ ଶାଖା-୧ର ସଂଯୋଜକ ପ୍ରଫେସର ସତ୍ୟ ନାରାୟଣ ମହାପାତ୍ର ଏହି କର୍ମଶାଳାରେ ସଭାପତିତ୍ୱ କରି ଦିବ୍ୟାଙ୍ଗମାନଙ୍କ କଲ୍ୟାଣ ପାଇଁ ଭାରତ ସରକାର ଓ ଓଡ଼ିଶା ସରକାର ଚଳାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ସେ କହିଥିଲେ ଯେ, ଗଣମାଧ୍ୟମ ହିଁ ଦିବ୍ୟାଙ୍ଗମାନଙ୍କ ପ୍ରତି ସମାଜରେ ଥିବା ଭିନ୍ନ ଧାରଣାକୁ ଦୂରେଇପାରିବ । ଦିବ୍ୟାଙ୍ଗ ପୁନଃଥଇଥାନ ଆଇନ -୨୦୧୬ରେ ବିଭିନ୍ନ ପ୍ରକାରର ଶାରୀରିକ ଭିନ୍ନକ୍ଷମତା ସଂପର୍କରେ ବିସ୍ତୃତ ବିବରଣୀ ରହିଥିବା ସେ ଦର୍ଶାଇଥିଲେ। କର୍ମଶାଳାରେ ଅଂଶଗ୍ରହଣ କରିଥିବା ସାମ୍ବାଦିକମାନେ ଏହି ଅବସରରେ ଅନୁଷ୍ଠିତ ପ୍ରଶ୍ନୋର କାର୍ଯ୍ୟକ୍ରମରେ ନିଜ ନିଜର ମତ ରଖିବା ସହିତ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଲୋଡ଼ିଥିଲେ ।

ସମ୍ବନ୍ଧିତ ଖବର