ଖାଉଟି ଅଭିଯୋଗର ଆଶୁ ସମାଧାନ ପାଇଁ କାର୍ଯ୍ୟକରିବ ମିଡିଏସନ୍‌ ସେଲ୍‌

ସେଲ୍‌ ବିଲ୍ଡିଂ ଓ ଆସବାବପତ୍ର ଖର୍ଚ୍ଚ ବହନ କରିବ କେନ୍ଦ୍ର
ଜାନୁଆରି ଶେଷସୁଦ୍ଧା ସବୁ ଖାଉଟି ଅଦାଲତ ପଦବି ପୂରଣ

ଭୁବନେଶ୍ୱର : ଖାଉଟି ଅଭିଯୋଗର ଆଶୁ ପ୍ରତିବିଧାନ ପାଇଁ ଏଣିକି କାର୍ଯ୍ୟ କରିବ ମିଡିଏସନ୍‌ ସେଲ୍‌। କେନ୍ଦ୍ର ସରକାରଙ୍କ ନୂଆ ଖାଉଟି ଅଧିକାର ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ମିଡିଏସନ୍‌ ସେଲ୍‌ ପାଇଁ ସ୍ବତନ୍ତ୍ର ବିଲ୍ଡିଂ ନିର୍ମାଣ, କମ୍ପ୍ୟୁଟର୍‌ ଓ ଅନ୍ୟ ଆସବାବପତ୍ର କିଣା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ଏଥିପାଇଁ କେନ୍ଦ୍ରରୁ ପ୍ରସ୍ତାବ ମିଳିବା ପରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲା ଖାଉଟି ଅଦାଲତଗୁଡ଼ିକ ସମ୍ପର୍କରେ ରିପୋର୍ଟ ମାଗିଛି। ଏହାସିହତ ଜିଲ୍ଲା ଓ ରାଜ୍ୟ ଖାଉଟି ଅଦାଲତଗୁଡ଼ିକରେ ଖାଲି ପଡ଼ିଥିବା ପଦବିଗୁଡ଼ିକୁ ଆସନ୍ତା ଜାନୁଆରି ସୁଦ୍ଧା ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖାଉଟି ସୁରକ୍ଷା ଆଇନ ୧୯୮୬ ବଦଳରେ କେନ୍ଦ୍ର ସରକାର ୨୦୧୯ରେ ନୂଆ ଖାଉଟି ସୁରକ୍ଷା ଆଇନ ଆଣିଛନ୍ତି। ନୂଆ ଆଇନ ଚଳିତ ବର୍ଷ ଜୁଲାଇ ୨୦ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି। ଆଇନର ନୂଆ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ଅଭିଯୋଗର ପ୍ରତିବିଧାନ ପାଇଁ ଜିଲ୍ଲା ଓ ରାଜ୍ୟସ୍ତରରେ ମଧ୍ୟସ୍ଥି ବ୍ୟବସ୍ଥା ରହିବ। ଏଥିପାଇଁ ଜଣେ ଉପଭୋକ୍ତା ଆର୍ଥିକ କ୍ଷତିଗ୍ରସ୍ତ ହୋଇଥିବା କମ୍ପାନି ବିରୋଧରେ ଖାଉଟି ଅଦାଲତର ଆଶ୍ରୟ ନେଇପାରିବେ। ପରେ ସମ୍ପୃକ୍ତ କମ୍ପାନିକୁ ଜିଲ୍ଲା ଉପଭୋକ୍ତା ଅଧିକାର ସୁରକ୍ଷା ଫୋରମର ମିଡିଏସନ୍‌ ସେଲ୍‌ ପକ୍ଷରୁ ନୋଟିସ କରାଯିବ। ନୋଟିସ ମୁତାବକ କମ୍ପାନି କର୍ତ୍ତୃପକ୍ଷ ହାଜର ହେବା ପରେ ସମ୍ପୃକ୍ତ ଅଭିଯାଗକାରୀ ସନ୍ତୁଷ୍ଟ ହେଲାଭଳି ଅଭିଯୋଗର ଆପୋଷ ସମାଧାନ କରାଯିବ। ଫଳରେ ତ୍ବରିତ୍‌ ଅଭିଯୋଗ ପ୍ରତିବିଧାନ ହୋଇପାରିବ।

ରାଜ୍ୟର ୩୦ଟି ଜିଲ୍ଲାରେ ୩୧ ଜିଲ୍ଲା ଉପଭୋକ୍ତା ଅଭିଯୋଗ ପ୍ରତିବିଧାନ ଫୋରମ୍‌ ରହିଛି। ସେହିପରି ରାଜ୍ୟ ସ୍ତରରେ ଗୋଟିଏ ରାଜ୍ୟ ଉପଭୋକ୍ତା ଅଭିଯୋଗ ପ୍ରତିବିଧାନ କମିସନ ଅଛି। ଜିଲ୍ଲା ଉପଭୋକ୍ତା ପ୍ରତିବିଧାନ ଫୋରମ୍‌ରେ ସଭାପତିଙ୍କୁ ମିଶାଇ ମୋଟ ୩ ଜଣ ସଦସ୍ୟ ରହିଥିବାବେଳେ ରାଜ୍ୟସ୍ତରରେ ସଭାପତିଙ୍କ ସମେତ ୪ ଜଣ ସଦସ୍ୟ ରହିବେ। ଅଧିକାଂଶ ଜିଲ୍ଲା ସ୍ତରରେ ଥିବା ଖାଉଟି ଅଦାଲତରେ ସଦସ୍ୟ ପଦବି ଖାଲିପଡ଼ିଛି। ପଦବି ପୂରଣ ପାଇଁ ୨୦୨୦ ଅଗଷ୍ଟ ମାସରେ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଏବେଯାଏ ଜିଲ୍ଲା ସ୍ତରରେ ଥିବା ସମସ୍ତ ଖାଉଟି ଅଦାଲତଗୁଡ଼ିକରେ ପଦବିଗୁଡ଼ିକ ପୂରଣ ହୋଇନାହିଁ। ଏ ନେଇ ଗତମାସ ୧୪ ତାରିଖରେ କେନ୍ଦ୍ର ଖାଦ୍ୟ ସଚିବ ସମସ୍ତ ରାଜ୍ୟର ଖାଦ୍ୟ ଓ ଖାଉଟି କଲ୍ୟାଣ ସଚିବଙ୍କ ସହିତ ଭିଡିଓ କନଫରେନ୍‌ସିଂ ଜରିଆରେ ଆଲୋଚନା କରିଥିଲେ। ୨୦୨୧ ଜାନୁଆରି ସୁଦ୍ଧା ସମସ୍ତ ପଦବି ପୂରଣ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପ୍ରତି ଜିଲ୍ଲାରେ ଥିବା ଖାଉଟି ଅଦାଲତ କୋଠା ରହିଛି। ଜିଲ୍ଲା ସ୍ତରରେ ଥିବା ଖାଉଟି ଅଦାଲତରେ ମିଡିଏସନ୍‌ ସେଲ୍‌ ଖୋଲିବା ପାଇଁ ପର୍ଯ୍ୟାପ୍ତ ସୁବିଧା ନଥିଲେ ଏଥିପାଇଁ ୧ ହଜାର ବର୍ଗଫୁଟ୍‌ ସ୍ଥାନରେ ବିଲ୍ଡିଂ ନିର୍ମାଣ, ଟେବୁଲ, ଚେୟାର୍‌ ପରି କ୍ୟାପିଟାଲ୍‌ ଆସେଟ୍‌ସ୍‌ (ପୁଞ୍ଜିଗତ ସମ୍ପତ୍ତି) ବାବଦରେ କେନ୍ଦ୍ର ସରକାର ଅର୍ଥ ବହନ କରିବେ।

ସମ୍ବନ୍ଧିତ ଖବର