ଭୁବନେଶ୍ବର: କୋର୍ଟରେ ମାମଲାଗୁଡ଼ିକୁ ବହୁ ବର୍ଷ ଧରି ନ ଗଡ଼ାଇ ମଧ୍ୟସ୍ଥତା ମାଧ୍ୟମରେ କିପରି ଏହାର ଶୀଘ୍ର ସମାଧାନ କରାଯାଇପାରିବ ସେ ନେଇ ଆଜିଠାରୁ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଆରମ୍ଭ ହୋଇଛି ଦ୍ବିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ ଏହାକୁ ଉଦ୍‌ଘାଟନ କରି କହିଛନ୍ତି, ମଧ୍ୟସ୍ଥତାକୁ ଆଇନଗତ ମାନ୍ୟତା ମିଳିବା ଦ୍ବାରା ଏହା ବିକଳ୍ପ ଉପାୟରେ ନ୍ୟାୟ ପ୍ରଦାନ କରିବାର ଏକ ବିଶ୍ବସନୀୟ ବ୍ୟବସ୍ଥା ପାଲଟିଛି। ମଧ୍ୟସ୍ଥତା ଆଇନ, ୨୦୨୩ ଉପରେ ଗୁରୁତ୍ବାରୋପ ‌କରି ସେ କହିଥିଲେ, ଏହି ଆଇନ ସହଭାଗିତା, ସମାନତା, ସୁଲଭ ନ୍ୟାୟ ନିଶ୍ଚିତ କରୁଛି। କୋର୍ଟରେ ଦୀର୍ଘ ବର୍ଷ ଧରି ଚାଲିଥିବା ମାମଲାଗୁଡ଼ିକୁ କମାଇବାରେ ଏହା ସହାୟକ ହୋଇଛି। ଏହାକୁ ସମସ୍ତେ ପ୍ରୋତ୍ସାହିତ କରିବା ଦରକାର। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ରାଜ୍ୟପାଳ ହରିବାବୁ କମ୍ଭମପାଟି ତାଙ୍କ ଅଭିଭାଷଣରେ କହିଥିଲେ, ମଧ୍ୟସ୍ଥତା କେବଳ ବିବାଦ ସମାଧାନ ପାଇଁ ନୁହେଁ, ବରଂ ବିଶ୍ୱାସ ଗଠନ କରିବା, ସମ୍ପର୍କକୁ ସୁରକ୍ଷିତ ରଖିବା ଏବଂ ସାମାଜିକ ସମନ୍ୱୟ ସୃଷ୍ଟି କରିବା ଦରକାର। ଓଡ଼ିଶା ଏପରି ଏକ ଐତିହାସିକ କାର୍ଯ୍ୟକ୍ରମ ଆୟୋଜନ କରିବା ଗର୍ବର ବିଷୟ। ଏହି କାର୍ଯ୍ୟକ୍ରମ ସାରା ଦେଶରେ ଆଲୋଚନା ଓ ସହମତିର ସଂସ୍କୃତିକୁ ସୁଦୃଢ଼ କରିବ। ମଧ୍ୟସ୍ଥତା ହେଉଛି ଏକ କାଳଜୟୀ ଅଭ୍ୟାସ, ଯେଉଁଥିରେ ଆଲୋଚନା ଓ ସହମତି ଭିତ୍ତିରେ ବିବାଦକୁ ଦୂର କରିବା ସହ ସମ୍ପର୍କକୁ ସୁଦୃଢ଼ କରିଥାଏ। ବିବାଦର ନିରପେକ୍ଷ ଏବଂ ସ୍ଥାୟୀ ସମାଧାନ ମଧ୍ୟ ପ୍ରଦାନ କରିଥାଏ।

Advertisment

ଆରମ୍ଭ ହେଲା ‘ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା’ ସମ୍ମିଳନୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନ୍ୟାୟିକ ସଂସ୍କାର ଏବଂ ବିକଳ୍ପ ଉପାୟରେ ବିବାଦର ସମାଧାନ ନେଇ ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ମଧ୍ୟସ୍ଥତା ସମ୍ମିଳନୀ ଭାରତର ନ୍ୟାୟ ପ୍ରଦାନ ବ୍ୟବସ୍ଥାର ମୂଳ ଆଧାରକୁ ଆହୁରି ସୁଦୃଢ଼ କରିବ। ଏହାଦ୍ବାରା ଦକ୍ଷତା, ଅନ୍ତର୍ଭୁକ୍ତି ଏବଂ ଆଇନଗତ ପ୍ରକ୍ରିୟାରେ ବିଶ୍ୱସନୀୟତା ସୁନିଶ୍ଚିତ ହେବ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମଧ୍ୟସ୍ଥତା ବିବାଦ ନୁହେଁ, ସହମତିଭିତ୍ତିକ ଆଲୋଚନାର ଏକ ସେତୁ। ଏହା ମୁଖ୍ୟତଃ ୪ଟି ଉପାଦାନ ଉପରେ ନିର୍ଭର କରେ। ଯଥା ପ୍ରଭାବଶାଳୀ ସକାରାତ୍ମକ ଆଲୋଚନା, ଗୋପନୀୟତା, ନିୟନ୍ତ୍ରଣ ଓ ସୃଜନଶୀଳତା। ଏହି ୪ଟି ଉପାଦାନ ଏକ ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ପାଇଁ ଅତ୍ୟନ୍ତ ମୂଲ୍ୟବାନ। କାରଣ, ଏହା ସେମାନଙ୍କୁ ନ୍ୟାୟପୂର୍ଣ୍ଣ, ଉଚିତ ଏବଂ ସମନ୍ୱିତ ସମାଧାନ ପ୍ରଦାନ କରିପାରିବ। ସେହିପରି ମଧ୍ୟସ୍ଥତା ମାଧ୍ୟମରେ ଯଦି କୌଣସି ବିବାଦର ସମାଧାନ ହୋଇପାରୁଛି ତେବେ ଏହା କୋର୍ଟକୁ ଆଶ୍ୱସ୍ତି ପ୍ରଦାନ କରିବ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହାଦ୍ବାରା ଲୋକମାନେ ଶୀଘ୍ର ଓ ସହଜରେ ନ୍ୟାୟ ପାଇପାରିବେ।  ମଧ୍ୟସ୍ଥତାକୁ କେବଳ ଏକ ପ୍ରକ୍ରିୟା ଭାବେ ନୁହେଁ, ବରଂ ଏକ ଆନ୍ଦୋଳନ ଭାବେ ଦେଖାଯିବା ଉଚିତ। ଏହା ଶାନ୍ତି, ସଦ୍‌ଭାବନା ଏବଂ ନ୍ୟାୟ ପାଇଁ ଏକ ଆନ୍ଦୋଳନ ପାଲଟିବ। ଏହି ସମ୍ମିଳନୀରେ ଯେଉଁ ସୁପାରିସ ଆସିବ ତାକୁ ଆଇନ ବିଭାଗ ପକ୍ଷରୁ ରେକର୍ଡ କରାଯା‌ଇ ତୁରନ୍ତ ମୋ ପାଖକୁ ପଠାଇବେ। ସରକାର ଏପରି ଭାବରେ କାର୍ଯ୍ୟ କରିବା ଉଚିତ ଯାହା ମଧ୍ୟସ୍ଥତା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ବୃଦ୍ଧି କରିବ ଏବଂ ପ୍ରକ୍ରିୟାଗୁଡ଼ିକୁ ଦକ୍ଷତାର ସହ ଏବଂ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ କହିଥିଲେ, ମଧ୍ୟସ୍ଥତା ସେବାକୁ ବିସ୍ତାର କରିବା ପାଇଁ ଓଡ଼ିଶା ଠିକ୍ ଭାବେ ପଦକ୍ଷେପ ନେଉଛି। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟସ୍ଥତାକୁ ଦେଶବ୍ୟାପୀ ପ୍ରୋତ୍ସାହିତ କରିବାରେ ନ୍ୟାୟପାଳିକା ଓ ସରକାରଙ୍କ ମିଳିତ ପ୍ରୟାସକୁ ପ୍ରଶଂସା କରିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି, ବିଭିନ୍ନ ରାଜ୍ୟର ମୁଖ୍ୟ ବିଚାରପତି ଏବଂ ବିଚାରପତିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଓଡ଼ିଶାର ଆଡଭୋକେଟ୍‌ ‌ଜେନେରାଲ ପିତାମ୍ବର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିଥିଲେ। ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଧନ୍ୟବା‌ଦ ଦେଇଥିଲେ।