ପତ୍ର ଓ ଫୁଲରୁ ତିଆରି ଆର୍ଟିମିସିନିନ୍‌ ସାଜିବ ମହୌଷଧି

ସ୍ତନ କର୍କଟ ଗବେଷଣା କ୍ଷେତ୍ରରେ ଓଡ଼ିଆ ବୈଜ୍ଞାନିକଙ୍କ କୃତିତ୍ୱ

ଚନ୍ଦ୍ରଶେଖରପୁର: ସ୍ତନ କର୍କଟ ଯୋଗୁ ବର୍ତ୍ତମାନ ଅନେକଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଛି। ଏହି ରୋଗ ପୂର୍ବପରି ଆଉ କେବଳ ଧନୀ ରାଷ୍ଟ୍ରମାନଙ୍କର ମୁଣ୍ଡବ୍ୟଥାର କାରଣ ହୋଇ ରହିନାହିଁ। ନାରୀମାନଙ୍କର ମୃତ୍ୟୁର କାରଣ ସାଜୁଥିବା ଏହି ଦୁରାରୋଗର ନିରାକରଣ ପାଇଁ ଜଣେ ଓଡ଼ିଆ ବୈଜ୍ଞାନିକ ଏକ ନୂତନ ଔଷଧ ଉଦ୍ଭାବନ କରିଛନ୍ତି। ଇଆର୍‌ଆର୍‌ବିଟା ଅଣୁ (ମଲିକୁଲ) ଏବଂ ଆରଟିମିଣିଆ ଆନୁଆଁ ନାମକ ଏକ ବୃକ୍ଷର ପତ୍ର ଓ ଫୁଲରୁ ପ୍ରସ୍ତୁତ ଆର୍‌ଟିମିସିନିନ୍‌ ସ୍ତନ କର୍କଟରୁ ଆରୋଗ୍ୟ କରିବାରେ ସଫଳ ହେବ ବୋଲି ସେ ଦାବି କରିଛନ୍ତି। ଭାରତ ସରକାରଙ୍କ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌)ର ସ୍ତନ କର୍କଟ ଗବେଷଣାଗାରର ମୁଖ୍ୟ ଭାବରେ କାର୍ଯ୍ୟରତ ଡ. ସନ୍ଦୀପ କୁମାର ମିଶ୍ର ଏହି ନୂତନ ନିର୍ଯ୍ୟାସ ଆବିଷ୍କାର କରିଛନ୍ତି। ଏସ୍‌ଟ୍ରୋଜେନ୍‌ ହରମୋନ୍‌ର ଅମାନିଆ ପଣର ଏକ ମୁଖ୍ୟ ସଂକେତ ହେଉଛି ସ୍ତନ କର୍କଟର ମୁଖ୍ୟ କାରଣ। ଉଲ୍ଲେଖଯୋଗ୍ୟଯେ ଏହି ହର୍‌ମୋନକୁ ଗ୍ରହଣ କରୁଥିବା ରିସ୍‌ପେଟର ଅଣୁରେ ପରିବର୍ତ୍ତନ ଯୋଗୁଁ ଏହି ପରିସ୍ଥିତି ଉପୁଜିଥାଏ। ମାତ୍ର ଡ. ମିଶ୍ରଙ୍କ ଦ୍ୱାରା ଆବିଷ୍କୃତ ଏହି ଔଷଧ ଉକ୍ତ ରୋଗର ମୁକାବିଲାରେ ସଫଳ ହେବା ନେଇ ଡ. ମିଶ୍ର ସିଦ୍ଧାନ୍ତରେ ପହଞ୍ଚି ପାରିଛନ୍ତି। ଏହି ଔଷଧରେ ବ୍ୟବହୃତ ଇଆର୍‌ଆର୍‌ବିଟା ଅଣୁ (ମଲିକୁଲ)କୁ ନିକଟରେ ଡ. ମିଶ୍ର ଆବିଷ୍କାର କରିଥିଲେ। ଏହି ଅଣୁ ଏବଂ ପତ୍ର ଓ ଫୁଲର ସମ୍ମିଶ୍ରଣରେ ଏପରି ଔଷଧ ପ୍ରସ୍ତୁତ ହୋଇପାରିଛି।

ଏହି ଦୁଇ ଆବିଷ୍କାର ପରସ୍ପର ସଂଗତରେ ସ୍ତନ କର୍କଟର କୋଷିକା ଗୋଟିଏ ଅଙ୍ଗରୁ ଅନ୍ୟ ଅଙ୍ଗକୁ ରୋକାଯାଇପାରିବା ନେଇ ବିଭିନ୍ନ ଉପାୟରେ ପ୍ରମାଣିତ କରିଛନ୍ତି ଡ. ମିଶ୍ର। ତାଙ୍କର ଏହି ଆବିଷ୍କାର ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ନେଚର ଗ୍ରୁପ୍‌ ଅଫ୍‌ ଜର୍ଣ୍ଣାଲ୍‌ର ‘ବ୍ରିଟିଶ୍‌ ଜର୍ଣ୍ଣାଲ୍‌ ଅଫ୍‌ କ୍ୟାନ୍‌ସର’ରେ ପ୍ରକାଶିତ ହୋଇସାରିଛି। ଏହାସହିତ ଅନ୍ୟ ଏକ ପ୍ରତିଷ୍ଠିତ ଗବେଷଣାଲବ୍ଧ ଲେଖା ପ୍ରକାଶ ପାଉଥିବା ‘ବିଏମ୍‌ସି କ୍ୟାନ୍‌ସର’ରେ ପ୍ରକାଶନ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛି। ଏହି ଔଷଧର ଉପଯୋଗ କରି ସ୍ତନ କର୍କଟକୁ ଭଲ କରିବା ନିମନ୍ତେ ଡ. ମିଶ୍ର ବିଭିନ୍ନ କର୍କଟ ରୋଗର କ୍ଲିନିକାଲ୍‌ ପରୀକ୍ଷଣ କରିବା ପାଇଁ ଏମ୍‌ସରେ କାର୍ଯ୍ୟରତ ଡ. ପ୍ରଫେସର ଦିଲ୍ଲୀପ୍‌ କୁମାର ପରିଡ଼ା ଏବଂ ଡ. ପ୍ରଫେସର ମନୋଜ କୁମାର ମହାନ୍ତିଙ୍କ ସହାୟତାରେ ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ଏହି ଔଷଧ ପୀଡ଼ିତାଙ୍କୁ ଭଲ କରିପାରିବା ନେଇ ଡ. ମିଶ୍ର ଦୃଢ଼ ବିଶ୍ୱାସ ରଖିଛନ୍ତି। ଜୀବବିଜ୍ଞାନ ପ୍ରତିଷ୍ଠାନରେ ଯୋଗଦେବା ପୂର୍ବରୁ ଡ. ମିଶ୍ର ଆମେରିକା ଟେକ୍‌ସାସ୍‌ରେ ଥିବା ପ୍ରତିଷ୍ଠିତ ଏମ୍‌.ଡି ଆଣ୍ଡରସନ୍‌ କ୍ୟାନ୍‌ସର ଚିକିତ୍ସାଳୟରେ ଫାକଲ୍‌ଟି ଭାବରେ କାର୍ଯ୍ୟରତ ଥିଲେ। ତାଙ୍କର ବହୁ ଗବେଷଣାଲବ୍ଧ ଆଲେଖ୍ୟ ଅନ୍ତର୍ଜାତୀୟସ୍ତରରେ ପ୍ରତିଷ୍ଠିତ ଗବେଷଣା ପତ୍ରିକାଗୁଡ଼ିକରେ ପ୍ରକାଶିତ ହୋଇଛି। ଏହା ସହିତ ଡ. ମିଶ୍ର ଆମେରିକା ଓ ସୁଇଜର୍‌ଲ୍ୟାଣ୍ଡ୍‌ରୁ କର୍କଟ ରୋଗ ଉପରେ ପ୍ରକାଶିତ ଗବେଷଣା ମୂଳକ ପତ୍ରିକାର ସମ୍ପାଦନା ମଧ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର