ମେଡିକାଲ ନାମଲେଖା: ପ୍ରୋଭିଜନାଲ ତାଲିକା ପ୍ରକାଶ

ଭୁବନେଶ୍ବର : ଓଡ଼ିଶାର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରଥମ ରାଉଣ୍ଡ୍‌ ପ୍ରୋଭିଜନାଲ ତାଲିକା ପ୍ରକାଶ ପାଇଛି। ଏଥିରେ ପାଖାପାଖି ୧୫୦୦ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ୨୮ ତାରିଖରେ ପ୍ରଥମ ରାଉଣ୍ଡ ଆଲଟ୍‌ମେଣ୍ଟ ତାଲିକା ସହ ଛାତ୍ରଛାତ୍ରୀ ଆଲ୍‌ଟମେଣ୍ଟ ଲେଟର ଡାଉନ୍‌ଲୋଡ୍‌ କରିପାରିବେ। ଅକ୍ଟୋବର ୩୦ରୁ ନଭେମ୍ବର ୪ ମଧ୍ୟରେ ପ୍ରୋଭିଜନାଲ ନାମଲେଖା, ଫି’ ଦାଖଲ ଓଜେଇଇ ସେଲ୍‌ରେ କରାଯିବ। ୨ରୁ ୪ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ। ନଭେମ୍ବର ୬ରେ ଖାଲି ସିଟ୍‌ ତାଲିକା ପ୍ରକାଶ କରାଯିବ।

୭ରୁ ୧୦ ତାରିଖ ମଧ୍ୟରେ ଦ୍ବିତୀୟ ରାଉଣ୍ଡ ପଞ୍ଜୀକରଣ, ୧୨ରେ ରାଜ୍ୟ ମେଧା ତାଲିକା ପ୍ରକାଶ ସହ ୧୨ରୁ ୧୪ ତାରିଖ ମଧ୍ୟରେ ନୂତନ ଭାବେ ପଞ୍ଜୀକୃତ ହୋଇଥିବା ପିଲାମାନେ ଚଏସ୍‌ ଲକିଂ ଓ ଫିଲିଂ କରିପାରିବେ। ନଭେମ୍ବର ୧୬ରେ ଦ୍ବିତୀୟ ରାଉଣ୍ଡ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ ହେବା ସହ ୧୮ ତାରିଖରେ ଦ୍ବିତୀୟ ରାଉଣ୍ଡ ଆଲଟ୍‌ମେଣ୍ଟ ଲେଟର ପ୍ରକାଶ ଏବଂ ୧୯ରୁ ୨୧ ଯାଏ ନାମଲେଖା ହେବ। ୨୧ରୁ ଡିସେମ୍ବର ୩ ମଧ୍ୟରେ ପ୍ରାର୍ଥୀ ନାମଲେଖା ପ୍ରକ୍ରିୟାରୁ ଓହରି ପାରିବେ। ଡିସେମ୍ବର ୬ରେ ସ୍ପଟ୍‌ ରାଉଣ୍ଡ କାଉନସେଲିଂ କରାଯିବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସୂଚନାଯୋଗ୍ୟ ଯେ ୨୦୨୨-୨୩ ଶିକ୍ଷାବର୍ଷରେ ଓଡ଼ିଶାର ୧୨ଟି ମେଡିକାଲ କଲେଜର ୧୭୦୦ ଏମ୍‌ବିବିଏସ୍‌ ଓ ୧୬୩ ବିଡିଏସ୍‌ ସିଟ୍‌କୁ ମିଶାଇ ମୋଟ ୧୮୬୩ ସିଟ୍‌ରେ ନାମଲେଖା କରାଯିବ। ସେଥିମଧ୍ୟରୁ ଓଜେଇଇ ପକ୍ଷରୁ ୧୪୮୧ ଏମ୍‌ବିବିଏସ୍‌ ଓ ୧୫୪ ବିଡିଏସ୍‌ ସିଟ୍‌ ଲାଗି କାଉନସେଲିଂ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର