ମେଡିକାଲ ନାମଲେଖା: ସରକାରୀ କଲେଜ ପ୍ରଥମ ପସନ୍ଦ

ପ୍ରଥମ ରାଉଣ୍ଡ୍‌ ପରେ ୩୩୯ ସିଟ୍‌ ଖାଲି, ଆଜିଠୁ ଦ୍ବିତୀୟ ରାଉଣ୍ଡ୍‌ ପାଇଁ ପଞ୍ଜୀକରଣ

ଭୁବନେଶ୍ବର : ମେଡିକାଲ କଲେଜଗୁଡ଼ିକର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ପ୍ରଥମ ରାଉଣ୍ଡ ନାମଲେଖା ଶେଷ ହୋଇଛି। ତା’ପରେ ବି ୩୩୯ଟି ସିଟ୍‌ ଖାଲି ରହିଛି। ସରକାରୀ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ଯେଉଁଥିପାଇଁ ୧୦ଟି ସରକାରୀ କଲେଜରେ ହାତଗଣତି ସିଟ୍‌ ବଳକା ରହିଥିବା ବେଳେ ଘରୋଇ କଲେଜରେ ଅଧିକ ସିଟ୍‌ ଖାଲି ରହିଛି। ସେହିପରି ପ୍ରାର୍ଥୀଙ୍କ ପ୍ରଥମ ପସନ୍ଦ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ରହିଛି। ସିଟ୍‌ ଆଲଟ୍‌ ହେବା କ୍ଷଣି ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଯେଉଁମାନଙ୍କୁ ବିଡିଏସ୍‌ ସିଟ୍‌ ଆଲଟ୍‌ ହୋଇଥିଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ନାମ ଲେଖାଇ ନାହାନ୍ତି। ଏପରିକି ଏସ୍‌ସିବି ମେଡିକାଲ କଲେଜର ୫୪ ବିଡିଏସ୍‌ ସିଟ୍‌ରୁ ୩୦ଟି ବଳକା ରହିଛି। ମୋଟ ୧୬୩୫ ସିଟ୍‌ ପାଇଁ କାଉନସେଲିଂ ହେଉଥିବା ବେଳେ ସେଥିମଧ୍ୟରୁ ୧୨୯୬ଟି ପୂରଣ ହୋଇଛି। ଖାଲିଥିବା ସିଟ୍‌ଗୁଡ଼ିକ ଲାଗି ପୁଣିଥରେ କାଉନସେଲିଂ କରାଯିବ।

The Sunday Guardian

ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦ କହିଛନ୍ତି ଯେ ଖାଲି ସିଟ୍‌ ପୂରଣ ଲାଗି ଏହି ପର୍ଯ୍ୟାୟରେ ନାମଲେଖା ହେବ। ନିଟ୍‌(ୟୁଜି)ରେ ଯୋଗ୍ୟତା ଅର୍ଜନ କରି ପ୍ରଥମ ରାଉଣ୍ଡ୍‌ ପଞ୍ଜୀକରଣ ସମୟରେ ଭାଗ ନେଇ ନ ଥିବା ପ୍ରାର୍ଥୀ ଏହି ପର୍ଯ୍ୟାୟ କାଉନସେଲିଂରେ ଭାଗ ନେଇପାରିବେ। ପ୍ରଥମ ରାଉଣ୍ଡ୍‌ରେ ଆଲଟ୍‌ ହୋଇ ନ ଥିବା ପ୍ରାର୍ଥୀ ଓ ଯେଉଁମାନଙ୍କୁ ପ୍ରଥମ ରାଉଣ୍ଡ୍‌ରେ ସିଟ୍‌ ମିଳିଲା, କିନ୍ତୁ ସେମାନେ ରିପୋର୍ଟ କରି ନ ଥିଲେ ସେମାନେ ମଧ୍ୟ ନିର୍ଦ୍ଧାରିତ ସମୟ ସୁଦ୍ଧା ଚଏସ୍‌ ଫିଲିଂ ଓ ଲକିଂ କରି ଏହି ରାଉଣ୍ଡ୍‌ରେ ଅଂଶଗ୍ରହଣ କରିପାରିବେ। ପୂର୍ବ ରାଉଣ୍ଡ୍‌ରେ ଯେଉଁ ପ୍ରାର୍ଥୀମାନେ ଚଏସ୍‌ ଫିଲିଂ କରିଥିଲେ ତାହା ବାତିଲ୍‌ ହୋଇଛି। ଯଦି ଉକ୍ତ ପ୍ରାର୍ଥୀମାନେ ବର୍ତମାନ ହେବାକୁ ଥିବା ଦ୍ବିତୀୟ ରାଉଣ୍ଡ୍‌ରେ ନୂତନ ଭାବେ ଚଏସ୍‌ ଫିଲିଂ କିମ୍ବା ଲକିଂ ନ କରନ୍ତି ତେବେ ସେମାନେ ଏହି ପ୍ରକ୍ରିୟାରେ ଭାଗ ନେବାକୁ ଚାହୁନାହାନ୍ତି ବୋଲି ଆମେ ବିଚାର କରି‌ବୁ। ତେଣୁ ଓଜେଇଇ ୱେବସାଇଟ୍‌ରେ ଜାରି ହୋଇଥିବା ନିୟମକୁ ଭଲ ଭାବେ ପଢ଼ନ୍ତୁ।

ନଭେମ୍ବର ୭ରୁ ୧୦ ତାରିଖ ମଧ୍ୟରେ ଦ୍ବିତୀୟ ରାଉଣ୍ଡ ପଞ୍ଜୀକରଣ କରାଯିବ। ୧୨ରେ ରାଜ୍ୟ ମେଧା ତାଲିକା ପ୍ରକାଶ ସହ ୧୨ରୁ ୧୪ ତାରିଖ ମଧ୍ୟରେ ନୂତନ ଭାବେ ପଞ୍ଜୀକୃତ ହୋଇଥିବା ପିଲାମାନେ ଚଲସ୍‌ ଲକିଂ ଓ ଫିଲିଂ କରିପାରିବେ। ନଭେମ୍ବର ୧୬ରେ ଦ୍ବିତୀୟ ରାଉଣ୍ଡ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ ହେବ। ୧୮ ତାରିଖରେ ଦ୍ବିତୀୟ ରାଉଣ୍ଡ ଆଲଟ୍‌ମେଣ୍ଟ ଲେଟର ପ୍ରକାଶ ଏବଂ ୧୯ରୁ ୨୧ ଯାଏ ନାମଲେଖା କରାଯିବ। ୨୧ରୁ ଡିସେମ୍ବର ୩ ମଧ୍ୟରେ ପ୍ରାର୍ଥୀ ନାମଲେଖା ପ୍ରକ୍ରିୟାରୁ ଓହରି ପାରିବେ। ଡିସେମ୍ବର ୬ରେ ସ୍ପଟ୍‌ ରାଉଣ୍ଡ କାଉନସେଲିଂ କରାଯିବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଚଳିତବର୍ଷ ରାଜ୍ୟର ୧୦ଟି ସରକାରୀ ଓ ଦୁଇଟି ଘରୋଇ ମେଡିକାଲ କଲେଜର ୧୬୩୫ ଏମ୍‌ବିବିଏସ୍ ଓ ବିଡିଏସ୍ ସିଟ୍‌ରେ ନାମଲେଖା ଲାଗି ଓଜେଇଇ କାଉନସେଲିଂ କରୁଛି।

ସମ୍ବନ୍ଧିତ ଖବର