ମେଡିକାଲ ନାମଲେଖା : ୨୪ରେ ଦ୍ବିତୀୟ ପର୍ଯ୍ୟାୟ ତାଲିକା

ଏମ୍‌ବିବିଏସ୍‌ରେ ୯୩୩, ବିଡିଏସ୍‌ରେ ୩୭ ସିଟ୍‌ ପୂରଣ

ଭୁବନେଶ୍ବର : ରାଜ୍ୟରେ ଥିବା ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଏମ୍‌ବିବିଏସ୍‌ରେ ୯୩୩ ଓ ବିଡିଏସ୍‌ରେ ୩୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ୭ଟି ସରକାରୀ ଓ ଗୋଟିଏ ଘରୋଇ ମେଡିକାଲ କଲେଜରେ ଖାଲିଥିବା ସିଟ୍‌ ଓ ଏଥିସହ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍‌କୁ ମିଶାଇ ଜୁଲାଇ ୨୪ରେ ତାଲିକା ପ୍ରକାଶ ପାଇବ। ୨୪ ତାରିଖ ପୂର୍ବାହ୍ନ ୧୦ଟାରୁ ୨୫ ତାରିଖ ପୂର୍ବାହ୍ନ ୧୧ଟା ୫୯ ମଧ୍ୟରେ ଚଏସ୍‌ ଲକିଂ ଓ ଫିଲିଂ ଅନୁଷ୍ଠିତ ହେବ। ୨୬ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଆଲଟ୍‌ମେଣ୍ଟ ସହ ଛାତ୍ରଛାତ୍ରୀ ନାମ‌ଲେଖା ଲେଟର ଡାଉନ୍‌ଲୋଡ୍‌ କରିପାରି‌ବେ। ଜୁଲାଇ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ପ୍ରୋଭିଜନାଲ ନାମଲେଖା ହେବ। ଛାତ୍ରଛାତ୍ରୀମାନେ ଅଗଷ୍ଟ ୩ରେ ଆଲଟ୍‌ ହୋଇଥିବା କଲେଜରେ ନାମ ଲେଖାଇବେ। ଏହାପରେ ଯଦି ସିଟ୍‌ ଖାଲି ରହିଥିବ ତେବେ ଅଗଷ୍ଟ ୪ରୁ ୮ ମଧ୍ୟରେ ସ୍ପଟ୍‌ କାଉନସେଲିଂ ଓ ନାମଲେଖା ଅନୁଷ୍ଠିତ ହେବ। ଆଲଟ୍‌ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମଲେଖାର ଶେଷ ତାରିଖ ଅଗଷ୍ଟ ୧୨ ରଖାଯାଇଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ କୋଟା ପାଇଁ ହେଉଥିବା ପ୍ରଥମ ପର୍ଯ୍ୟାୟ ନାମଲେଖାରେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ୧୭୩ ଏମ୍‌ବିବିଏସ୍‌ ସିଟ୍‌ ପୂରଣ ହୋଇଥିବା ବେଳେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜର ୧୯୮, ବୁର୍ଲାସ୍ଥିତ ଭିଏସ୍‌ଏସ୍‌ ମେଡିକାଲ କଲେଜର ୧୫୯, ବାରିପଦାସ୍ଥିତ ପିଆର୍‌ଏମ୍ ମେଡିକାଲ କଲେଜର ୧୦୦, କୋରାପୁଟ ମେଡିକାଲ କଲେଜର ୯୯, ବାଲେଶ୍ବରସ୍ଥିତ ଫକୀରମୋହନ ମେଡିକାଲ କଲେଜର ୮୨, ବଲାଙ୍ଗିର ମେଡିକାଲ କଲେଜର ୭୭ ସିଟ୍‌ ପୂରଣ ହୋଇଛି। ଏଥିସହ ହାଇଟେକ୍‌ ମେଡିକାଲ କଲେଜର ୪୫ଟି ଏମ୍‌ବିବିଏସ୍‌ ସିଟ୍‌ ପୂରଣ ହୋଇଛି। ସେହିପରି ବିଡିଏସ୍‌ ପାଠ୍ୟକ୍ରମରେ ଏସ୍‌ସିବି ମେଡିକାଲ କଲେଜର ୩୨, ଭୁବନେଶ୍ବର ହାଇଟେକ୍‌ ମେଡିକାଲ କଲେଜର ୫ଟି ସିଟ୍‌ରେ ନାମଲେଖା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର