ମେଡ଼ିକାଲ ନାମଲେଖା: ଆଜିଠୁ ଦ୍ବିତୀୟ ରାଉଣ୍ଡ ପଞ୍ଜୀକରଣ, ୮ରେ ଫେରିବ ସର୍ବଭାରତୀୟ କୋଟା ସିଟ୍‌

ଭୁବନେଶ୍ୱର : ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଚାଲିଥିବା କାଉନସେଲିଂ ପ୍ରକ୍ରିୟାରେ କିଛିଟା ପରିବର୍ତ୍ତନ ହୋଇଛି। ପ୍ରଥମ ରାଉଣ୍ଡ ନାମଲେଖା ଶେଷ ହୋଇଥିବା ବେଳେ ଏବେ ଖାଲିଥିବା ସିଟ୍‌ଗୁଡ଼ିକ ଲାଗି ଦ୍ବିତୀୟ ରାଉଣ୍ଡ ପ୍ରକ୍ରିୟା ଡିସେମ୍ବର ୪ ତଥା ଶୁକ୍ରବାରଠାରୁ ଆରମ୍ଭ ହେବ। ଡିସେମ୍ବର ୪ ପୂର୍ବାହ୍ନ ୧୧ଟାରୁ ୫ ତାରିଖ ରାତି ୧୧ଟା ୫୯ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଲାଗି ଦ୍ବିତୀୟ ରାଉଣ୍ଡ୍‌ ନାମ ପଞ୍ଜୀକରଣ ଓ ଅନ୍‌ଲାଇନ୍‌ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୮ତାରିଖ ଅପରାହ୍‌ଣ ୫ଟାରେ ରାଜ୍ୟ ମେରିଟ୍‌ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ ପାଇବ।

ତେବେ ଡିସେମ୍ବର ୨ରେ ଫେରିବାକୁ ଥିବା ସର୍ବଭାରତୀୟ କୋଟା(ଏଆଇକ୍ୟୁ) ସିଟ୍‌ ୮ ତାରିଖ‌ରେ ଫେରିବ। ରାଜ୍ୟସ୍ତରୀୟ କାଉନସେଲିଂ ପରେ ଖାଲିଥିବା ସିଟ୍‌ ଓ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍‌କୁ ମିଶାଇ ଡିସେମ୍ବର ୯ରେ ସିଟ୍‌ ତାଲିକା ପ୍ରକାଶ କରାଯିବ। ଏହି ସିଟ୍‌ଗୁଡ଼ିକ ଲାଗି ୯ ତାରିଖ ସନ୍ଧ୍ୟା ୭ଟାରୁ ୧୦ ତାରିଖ ରାତି ୧୧ଟା ୫୯ ମିନିଟ୍‌ ମଧ୍ୟରେ ନୂଆ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ଚଏସ୍‌ ଫିଲିଂ ଓ ଲକିଂ କରିପାରିବେ। ୧୨ ତାରିଖରେ ଦ୍ବିତୀୟ ରାଉଣ୍ଡ ଆଲଟ୍‌ମେଣ୍ଟ ପ୍ରକାଶ କରାଯିବା ସହ ଛାତ୍ରଛାତ୍ରୀ ଆଲଟ୍‌ମେଣ୍ଟ ଲେଟର ଡାଉନ୍‌ଲୋଡ୍‌ କରିପାରିବେ। ୧୩ ତାରିଖ ପୂର୍ବାହ୍ନ ୧୧ଟାରୁ ୧୫ ତାରିଖ ରାତି ୧୧ଟା ୫୯ ମଧ୍ୟରେ ସିଟ୍‌ ପାଇଥିବା ଛାତ୍ରଛାତ୍ରୀ ନାମଲେଖା ଫି’ ଦାଖଲ କରି ପ୍ରୋଭିଜନାଲ ଲେଟର୍‌ ଡାଉନ୍‌ଲୋଡ୍‌ କରିପାରିବେ। ଡିସେମ୍ବର ୨୦ରେ ସ୍ପଟ୍‌ ରାଉଣ୍ଡ୍‌ କାଉନସେଲିଂ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର