ମେଡିକାଲ ନାମଲେଖା ଠକେଇ ମାମଲା : ଠକଙ୍କ ଅଫିସରେ ଏସ୍‌ସିବି ଅଧୀକ୍ଷକଙ୍କ ଷ୍ଟାମ୍ପ୍‌ ଓ ପ୍ୟାଡ୍

ଜଗତପୁର, ମର୍କତନଗର ଅଫିସରୁ ହେଉଥିଲା ନିୟନ୍ତ୍ରଣ

କଟକ : ଡାକ୍ତରୀ ନାମ ଲେଖା ପାଇଁ ୧୦ କୋଟି ଟଙ୍କା ଠକେଇ ପଛରେ ମାଷ୍ଟରମାଇଣ୍ଡ ସୌମ୍ୟକାନ୍ତ ମହାନ୍ତିର ଘନିଷ୍ଠ ସହଯୋଗୀ ରଘୁନାଥ ବେହେରାର ଅଫିସରୁ ମିଳିଛି ଏସ୍‌ସିବି ମେଡିକାଲ୍‌ର ଅଧୀକ୍ଷକଙ୍କ ଷ୍ଟାମ୍ପ୍‌ ଏବ˚ ସରକାରୀ ପ୍ୟାଡ୍‌। ଜଗତପୁର ରେସ୍‌ମା ଇନ୍‌ଷ୍ଟିଚ୍ୟୁଟ୍‌ର ମାଲିକ ରଘୁନାଥ ନିଜକୁ ଏସ୍‌ସିବି ମେଡିକାଲ୍‌ର ମେଡିସିନ୍‌ ବିଭାଗର ଡାକ୍ତର ପରିଚୟ ଦେଇ ଠକେଇ କରି ଆସୁଥିବା ବେଳେ ଏସ୍‌ସିବିରେ ନାମ ଲେଖାଇ ଦେବାର ପ୍ରତିଶ୍ରୁତି ଦେଉଥିଲା। ଏବେ ଷ୍ଟାମ୍ପ ଓ ପ୍ୟାଡ୍‌ ମିଳିବା ଘଟଣା ଯୋଜନାବଦ୍ଧ ଭାବେ ଚାଲିଥିବା ଏହି ଠକ ରାକେଟର ଆଉ ଏକ ଦିଗକୁ ସାମନାକୁ ଆଣିଛି। ଜଗତପୁର ଓ ମର୍କତନଗରରେ ଦୁଇଟି ଅଫିସ ଖୋଲି ପୂରା ଦେଶରେ ଠକେଇ କାରବାର ନିୟନ୍ତ୍ରଣ କରାଯିବା ଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଘଟଣା ପଛର କାର୍ପଟଦାର କୁହାଯାଉଥିବା ଜିଲ୍ଲା ଜଜ୍‌ଙ୍କ ଜ୍ବାଇଁ ସୌମ୍ୟକାନ୍ତକୁ ୩ ଦିନିଆ ରିମାଣ୍ତରେ ଆଜି କ୍ରାଇମବ୍ରାଞ୍ଚ ଆଣି ପଚରାଉଚରା କରିବା ପରେ ପୂରା ଠକେଇ ନେଟ୍‌ଵାର୍କର ଗୁମର ଫିଟିବାରେ ଲାଗିଛି। କମିସନରେଟ୍‌ ପୁଲିସରେ ଏ ନେଇ ମୋଟ ୫ଟି ମାମଲା ରୁଜୁ ହୋଇଥିବାରୁ ଆସନ୍ତାକାଲି ଏକ ସ୍ବତନ୍ତ୍ର ଟିମ୍‌ କ୍ରାଇମ୍‌ବ୍ରାଞ୍ଚରେ ଜେରା କରିବାକୁ ଆସୁଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ାର ସୌମ୍ୟକାନ୍ତ ସମେତ ୭ ଜଣ ସଦସ୍ୟ ନିଜକୁ ରେସ୍‌ମା ଇନ୍‌ଷ୍ଟିଚ୍ୟୁଟର କର୍ମଚାରୀ ପରିଚୟ ଦେଉଥିଲେ। ଏହି ତାଲିକାରେ ମର୍କତନଗର ସେକ୍ଟର ୯ର ଏକାଠି ରହୁଥିବା ଶିବାଶିଷ ପତି, ଇଲିୟାଜ ଖାନ୍‌, ଆଶିଷ, ଅନିଲ କୁମାର, ଶୈଳେନ୍ଦ୍ର ଚକ୍ରବର୍ତ୍ତୀ, ଦୁଷ୍ମନ୍ତ ପଣ୍ତା, ମଳୟ ପଟ୍ଟନାୟକ ଥିବା ବେଳେ ତାଙ୍କ ସହିତ ଯୋଡ଼ି ହେଇଥିଲା ଜଗତପୁର ରେସ୍‌ମା ଇନ୍‌ଷ୍ଟିଚ୍ୟୁଟର ପ୍ରକୃତ ମାଲିକ ରଘୁନାଥ ବେହେରା। ଡାକ୍ତରୀ ପଢ଼ିବାକୁ କୋଚି˚ ସେଣ୍ଟର‌୍‌ ମାଧ୍ୟମରେ ପ୍ରସ୍ତୁତ ହେଉଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଇଲିୟାଜ ଫୋନ୍‌ କରି ଜଗତପୁରର ରଘୁନାଥର ରେସ୍‌ମା ଇନ୍‌ଷ୍ଟିଚ୍ୟୁଟ୍‌ ନିକଟରେ ଥିବା ଏକ ଅଫିସକୁ ଡାକୁଥିଲା। ରଘୁନାଥ ଅଭିଭାବକଙ୍କୁ କାଉନସେଲି˚ ବେଳେ ଡାକ୍ତର ବୋଲି ବିଶ୍ବାସ ଜନ୍ମାଇବା ପାଇଁ ଷ୍ଟେଥୋ ବ୍ୟବହାର କରୁଥିଲା। କାଉନସେଲି˚ ପରେ ସେଠାରୁ ସେମାନଙ୍କୁ ମର୍କତନଗର ଥାନା ସିଡିଏ ସେକ୍ଟର ୬ରେ ଥିବା ସୌମ୍ୟକାନ୍ତର ଅଫିସକୁ ନେଇ ଟଙ୍କା କାରବାର କରୁଥିଲା। ଛାତ୍ରଛାତ୍ରୀଙ୍କୁ କଟକ ବଡ଼ ମେଡିକାଲ୍‌ ସମେତ ବାଙ୍ଗାଲୁର ଓ ମହାରାଷ୍ଟ୍ରରେ ଥିବା ସରକାରୀ ଓ ଘରୋଇ ମେଡିକାଲ୍‌ କଲେଜରେ ନାମ ଲେଖାଇବାର ପ୍ରତିଶ୍ରୁତି ଦିଆଯାଉଥିଲା।

ବଡ଼ ମେଡିକାଲ୍‌ ମେଡିସିନ୍‌ ବିଭାଗର ଡାକ୍ତର ପରିଚୟ ଦେଇ ଯେଉଁ ପ୍ରକାର ଜାଲିଆତି ରଘୁନାଥ କରିଥିଲା, ତାହାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ୨୦୧୮ରେ ତା ବିରୋଧରେ ଏକ ମାମଲା(କେସ୍‌ ନ˚ ୩୨)ରୁଜୁ କରିଥିଲା। ପ୍ରକୃତରେ ସେ ଡାକ୍ତର କି ନୁହେଁ, ଜାଣିବା ପାଇଁ ଏସସିବି ମେଡିସିନ୍‌ ବିଭାଗର ମୁଖ୍ୟଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଲେଖାଯାଇଥିଲା। କିନ୍ତୁ ଡାକ୍ତର ରଘୁନାଥ ବେହେରା ନାଁରେ କୌଣସି ବ୍ୟକ୍ତି ନଥିବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯିବା ପରେ ସେପ୍ଟେମ୍ବର ୩୦ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ତାକୁ ଗିରଫ କରିଥିଲା। ଆସାମର ଡାକ୍ତର ସୁଜିତ ନାଥ ଚୌଧୁରୀଙ୍କ ନିକଟରୁ ୬୯ ଲକ୍ଷ ଟଙ୍କା ଠକେଇ ମାମଲା (କେସ୍‌ ନ˚ ୮) ରେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ତାକୁ ଯୋଡ଼ିଛି। ୨୦୧୯ ଜୁନ ୨୪ ତାରିଖରେ ଏହି ମାମଲା ରୁଜୁ ହୋଇଥିଲା।

ମିଳିଥିବା ତଥ୍ୟ ମୁତାବକ, କମିସନରେଟ୍‌ ପୁଲିସରେ ଏପ୍ରକାର ମୋଟ ୫ଟି ମାମଲା ପଞ୍ଜୀକୃତ ହୋଇଛି। ମଞ୍ଚେଶ୍ବର ଥାନାରେ ସୌମ୍ୟକାନ୍ତ ମହାନ୍ତି ଓ ୭ ଜଣ ସହଯୋଗୀଙ୍କ ବିରୋଧରେ ୨୦୧୭ରେ ୨୨ ଲକ୍ଷ ଟଙ୍କା ଠକେଇ ମାମଲା (କେସ୍‌ ନ˚ ୧୩୩) ରୁଜୁ ହୋଇଥିଲା। ଛତିଶଗଡ଼ ବାଲୋଦ ଜିଲ୍ଲାର ଦୀପକ କୁମାର ଜୈନଙ୍କ ପୁଅ ଓ ଝିଆରିଙ୍କୁ ନାମ ଲେଖାଇବାକୁ କହି ୨୦୧୮ ଜୁନ ୨୩ ତାରିଖରେ ଟଙ୍କା ଠକି ନେଇଥିଲା। ୨୦୧୮ ଅକ୍ଟୋବର ୧୨ ତାରିଖରେ ମର୍କତନଗର ଥାନାରେ ଦ୍ବିତୀୟ ମାମଲା (କେସ ନ˚ ୧୫୭) ରୁଜୁ ହୋଇଥିଲା। ଛତିଶଗଡ଼ ବାଲୋଦର ପ୍ରହଲ୍ଲାଦ କୁମାର ଜୈନଙ୍କ ଝିଅକୁ ଡାକ୍ତରୀ ପଢ଼ିବା ପାଇଁ କଲେଜ୍‌ରେ ସିଟ୍‌ ଦେବାକୁ କହି ୧୭ ଲକ୍ଷ ୨୨ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ୨୦୧୯ ମାର୍ଚ୍ଚ ୨୭ ତାରିଖରେ ମର୍କତନଗର ଥାନାରେ ତୃତୀୟ ମାମଲା(କେସ୍‌ ନ˚ ୫୦) ରୁଜୁ ହୋଇଥିଲା। ଆସାମ କୋକରାଝରର ତରୁଲତା ଡେକାଙ୍କ ନିକଟରୁ ୧୭ ଲକ୍ଷ ୨୦ ହଜାର ଟଙ୍କା ସେମାନେ ଠକି ନେଇଥିଲେ। ୨୦୧୯ରେ ଇନ୍‌ଫୋସିଟି ଥାନାରେ ୧୮ ଲକ୍ଷ ଟଙ୍କା ଠକେଇ ହୋଇଥିଲା। ପୁଲିସ ଏକ ମାମଲା(କେସ୍‌ ନ˚ ୧୮୩) ରୁଜୁ କରିଥିଲା। ଅନ୍ୟପଟେ କ୍ରାଇମ୍‌ବ୍ରାଞ୍ଚରେ ୨୦୧୯ ଜୁନ ୨୪ ତାରିଖରେ ଏହି ୭ ଜଣଙ୍କ ବିରୋଧରେ ୬୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ଆସାମର ପେଡିଆଟ୍ରିକ ବିଭାଗର ଡାକ୍ତର ସୁଜିତ ନାଥ ଚୌଧୁରୀଙ୍କୁ ସେମାନେ ଠକିଥିଲେ। ସେହିପରି ଝାରସୁଗୁଡ଼ାରେ ମଧ୍ୟ ଏଭଳି ଉପାୟରେ ୧୨ ଲକ୍ଷ ଟଙ୍କାର ଠକେଇ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପୁଲିସ କମିସନର ସୁଧା˚ଶୁ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ୫ ରାଜ୍ୟର ପୁଲିସ କମିସନରଙ୍କୁ ଚିଠି ଲେଖି ସୌମ୍ୟକାନ୍ତ ଓ ତାର ସହଯୋଗୀଙ୍କ ଗିରଫ ସମ୍ପର୍କରେ ଅବଗତ କରାଯାଇଛି। ସୌମ୍ୟକାନ୍ତର ୩ ଦିନିଆ ରିମାଣ୍ତ ଅବଧି ଶେଷ ହେଲା ପରେ ତାକୁ ଅନ୍ୟ ଥାନା ରିମାଣ୍ତରେ ନେବାକୁ ଯୋଜନା କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର