ମେଡିକାଲ ନାମଲେଖା ମେଧା ତାଲିକା ଆଜି: ସିଟ୍‌ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ, ଅଭିଭାବକ

ସିଟ୍‌ ତଥ୍ୟ ଦେଉନି ଡିଏମ୍‌ଇଟି
୨୨ ହଜାର ପାସ୍‌, ୪୭୦୦ କଲେ ଆବେଦନ
ସରକାରୀ କଲେଜ ସିଟ୍‌ ବୃଦ୍ଧି କରିବାକୁ ଦାବି

ଭୁବନେଶ୍ବର : ରାଜ୍ୟର କେଉଁ ମେଡିକାଲ କଲେଜରେ ଏଥର ନାମଲେଖା ହେବ? କେତେସଂଖ୍ୟକ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ରେ ନାମଲେଖା କରାଯିବ? ଗତବର୍ଷ ତୁଳନାରେ ଏଥର ସଂଖ୍ୟା ବଢ଼ିବ ନା ଯାହା ଥିଲା ତାହା ରହିବ? ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ନାମଲେଖା ହେବ ତ? ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ସମେତ ଦୁଇଟି ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ରେ ନାମଲେଖା ପ୍ରକ୍ରିୟା ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ି ଚାଲିଛି। ସୋମବାର ସନ୍ଧ୍ୟାରେ ପ୍ରୋଭିଜନାଲ୍‌ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ଏପର୍ଯ୍ୟନ୍ତ ସିଟ୍‌ ସଂଖ୍ୟା ପ୍ରକାଶ କରାଯାଇନାହିଁ। ଏମିତିକି ଚଏସ୍‌ ଫିଲିଂ ଓ ଲକିଂ କେବେ କରାଯିବ, ତାହା ବି ସ୍ପଷ୍ଟ ହୋଇନାହିଁ।

ସେପଟେ ଓଡ଼ିଶାରୁ ୨୦ହଜାରରୁ ଅଧିକ ଛାତ୍ରଛାତ୍ରୀ ‌ନିଟ୍‌(ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ)ରେ କୃତକାର୍ଯ୍ୟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୪୭୦୦ ପିଲା ମେଡିକାଲ ନାମଲେଖା‌ ଲାଗି ନାମ ପଞ୍ଜୀକରଣ କରିଛନ୍ତି। ଗତ ୧୨ରୁ ୧୮ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପଞ୍ଜୀକରଣରେ ବହୁ ଛାତ୍ରଛାତ୍ରୀ ଭାଗ ନେଇ ନଥିବା ଜଣାପଡ଼ିଛି। ସିଟ୍‌ ସଂଖ୍ୟା ସ୍ଥିର ହୋଇ ନଥିଲେ ମଧ୍ୟ ଏଥର ପାଖାପାଖି ୧୫୬୩ ସିଟ୍‌ରେ ନାମଲେଖା ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ଏମ୍‌ବିବିଏସ୍‌ରେ ୧୪୦୦ ଓ ବିଡିଏସ୍‌ରେ ୧୬୩ ସିଟ୍‌ ରହିଛି। ୨୦୨୧-୨୨ ଶିକ୍ଷାବର୍ଷରେ ପୁରୀସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ନାମଲେଖା ହେବ। ଏଥିସହ ଏକ ଘରୋଇ ମେଡିକାଲ କଲେଜରେ ଆଉ ୫୦ ସିଟ୍‌ ବଢ଼ିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ମାତ୍ର ଡିଏମ୍‌ଇଟି କିମ୍ବା ଓ‌ଜେଇଇ ପକ୍ଷରୁ ଏପର୍ଯ୍ୟନ୍ତ ସିଟ୍‌ ସଂଖ୍ୟା ବୃଦ୍ଧି ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

କରୋନା ଭଳି ମହାମାରୀ ସମୟରେ ମେଡିକାଲଗୁଡ଼ିକରେ ଡାକ୍ତରଙ୍କ ଅଭାବ ପରିଲକ୍ଷିତ ହେଉଛି। ଆବଶ୍ୟକ ଡାକ୍ତର ନ ଥିବାରୁ ଚିକିତ୍ସା ସେବା ବି ପ୍ରଭାବିତ ହେଉଛି। ତେଣୁ ସିଟ୍‌ସଂଖ୍ୟା ଆହୁରି ବୃଦ୍ଧି କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ିଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ଆବଶ୍ୟକ ଡାକ୍ତର ନ ଥିବାରୁ ସବୁ ମେଡିକାଲରେ ରୋଗୀମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି ଅଧରେ ରୋଗୀ ଚିକିତ୍ସା ସେବା ପାଇପାରୁ ନାହାନ୍ତି। ଏମିତି ଅନେକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି ଯେଉଁଠାରେ ଫର୍ମାସିଷ୍ଟରେ କାମ ଚାଲୁଛି। ସେଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରାଯିବାର ଆବଶ୍ୟକତା ବହୁତ ରହିଛି। ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ମେଡିକାଲ କଲେଜର ଏମ୍‌ବିବିଏସ୍‌ ସିଟ୍‌ ବଢ଼ାଯାଇଛି। ପୁରାତନ ମେଡିକାଲ କଲେଜ ଏସ୍‌ସିବି, ଏମ୍‌କେସିଜି ଓ ଭିମସାର୍‌ ମେଡିକାଲ କଲେଜର ସିଟ୍‌ ବଢ଼ିଛି। ଏମିତିକି ମାତ୍ର କିଛି ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା କୋରାପୁଟ ଓ ବାରିପଦା ମେଡିକାଲ କଲେଜର ସିଟ୍‌ ସଂଖ୍ୟା ୧୨୫ରେ ପହଞ୍ଚିଛି। ତା’ପରେ ବି ଆବଶ୍ୟକତା ରହିଥିବାରୁ ବଲାଙ୍ଗୀର ଓ ବାଲେଶ୍ବର ମେଡିକାଲ କଲେଜର ଭିତ୍ତିଭୂମି ବିକାଶ ସହ ସିଟ୍‌ ବଢ଼ାଇବାର ଆବଶ୍ୟକତା ରହିଛି।

ମେଡିକାଲ ନାମଲେଖା ପାଇଁ ଗତ ସପ୍ତାହରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ୪୭୦୦ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିବା ସହ ଅନ୍‌ଲାଇନ୍‌ ଆବେଦନ, ଫି’ ଦାଖଲ, ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌ କରିଛନ୍ତି। ସୋମବାର ସନ୍ଧ୍ୟା ୫ଟାରେ ପ୍ରୋଭିଜନାଲ ମେଧା ତାଲିକା ପ୍ରକାଶ ପାଇବ। ତାଲିକାକୁ ନେଇ ପ୍ରାର୍ଥୀଙ୍କର ଯଦି କୌଣସି ଦ୍ବନ୍ଦ୍ବ ଥିବ, ତେବେ ସେମାନେ ୨୫ ଓ ୨୬ ତାରିଖରେ ପ୍ରଶ୍ନ କରିପାରିବେ। ୨୭ ତାରିଖରେ ପଞ୍ଜୀକୃତ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ କରାଯିବ। ଜାନୁଆରି ୨୯ କିମ୍ବା ୩୦ ତାରିଖରେ ଚଏସ୍‌ ଫିଲିଂ, ଆଲଟ୍‌ମେଣ୍ଟ ଅଫ୍‌ ସିଟ୍‌ ହୋଇପାରେ। ମାତ୍ର ଡିଏମ୍‌ଇଟି ଏପର୍ଯ୍ୟନ୍ତ ସିଟ୍‌ ତାଲିକା ଦେଇ ନ ଥିବାରୁ ଓଜେଇଇ କର୍ତୃପକ୍ଷ ବି ଦିଗ ଗଡ଼ାଇ ଚାଲିଛନ୍ତି। ଆଜି ପର୍ଯ୍ୟନ୍ତ ଚଏସ୍‌ ଫିଲିଂ ଓ ଲକିଂ ତାଲିକା ପ୍ରକାଶ କରିପାରିନାହିଁ।

ସମ୍ବନ୍ଧିତ ଖବର