ଭୁବନେଶ୍ବର : କରୋନା ମୁକାବିଲା ପାଇଁ କେବଳ ସରକାରୀ ସ୍ତରରେ ନୁହେଁ ଘରୋଇ ଡାକ୍ତରଖାନା ସ୍ତରରେ ମଧ୍ୟ ବହୁ ବଳିଷ୍ଠ ପଦକ୍ଷେପମାନ ନିଆଯାଇଛି। କରୋନା ମୁକାବିଲାକାଳୀନ ଘଡ଼ିସନ୍ଧି ମୁହୂର୍ତରେ ସରକାରଙ୍କ ସହ ପାଦ ମିଳେଇ ଚାଲିବା ପାଇଁ ସମସ୍ତ କ୍ଲିନିକାଲ୍‌ ଏଷ୍ଟାବ୍ଲିସମେଣ୍ଟ୍ ତଥା ଘରୋଇ ହସ୍ପିଟାଲ୍‌ମାନେ ସମର୍ପିତ ଭାବନା ନେଇ କାର୍ଯ୍ୟ କରି ଚାଲିଛନ୍ତି। ଏହି ଅବସସରରେ ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ୍ ଏଷ୍ଟାବ୍ଲିସମେଣ୍ଟସ ଫୋରମ୍‌ ପକ୍ଷରୁ ସରକାରଙ୍କ ଉଦ୍ଦେଶ୍ୟରେ କିଛି ଦାବି ରଖାଯାଇଛି।

Advertisment

ଫୋରମର ସଭାପତି ଅଜୟ ମିଶ୍ର କହିଛନ୍ତି, ଆମ ଫୋରମର କେତେକ ହସ୍ପିଟାଲ୍‌ କରୋନା ପଜିଟଭ୍‌ ରୋଗୀ ଓ ସନ୍ଦିଗ୍ଧଙ୍କୁ ଚିକିତ୍ସା ପାଇଁ ଆଗେଇ ଆସିଛି। ତେଣୁ ସେମାନଙ୍କ ଉଦ୍ଦେଶ୍ୟରେ ଆବଶ୍ୟକ ସଂଖ୍ୟକ ପିପିଇ, ଏନ-୯୫ ମାସ୍କ, ପ୍ରୋଟେକ୍ଟିଭ ଗଗଲ୍‌ସ, ସାନିଟାଇଜେସନ ମ୍ୟାଟେରିଆଲ୍‌ ଯୋଗାଇ ଦିଆଯାଉ। ପ୍ରତ୍ୟେକ ରୋଗୀଙ୍କୁ ଚିକିତ୍ସା ଓ ପରୀକ୍ଷା ବେଳେ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହା ଆବଶ୍ୟକ ଥିବାରୁ ତୁରନ୍ତ ଏଗୁଡ଼ିକ ସରକାର ଯୋଗାଇ ଦିଅନ୍ତୁ। ବିଶେଷକରି କରୋନା ପଜିଟିଭ୍‌ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିକିତ୍ସା କ୍ଷେତ୍ରରେ ଏହା ନିତାନ୍ତ ଆବଶ୍ୟକ ଥିବାରୁ ଗୁରୁତ୍ବକୁ ଉପଲବ୍ଧି ପୂର୍ବକ ସରକାର ଏହା ଯୋଗାଇ ଦିଅନ୍ତୁ। ସଂପ୍ରତି ମେଡିକାଲ୍‌କୁ ଲୋକେ ପ୍ରାୟ ଆସୁନଥିବାରୁ, ମେଡିକାଲ୍‌ କର୍ମୀମାନଙ୍କୁ ଦରମା ଦେବାରେ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ବୈଧାନିକ ଦେୟ, ଉପଭୋକ୍ତା ଦେୟ ତଥା କର ଛାଡ଼ କରନ୍ତୁ ବୋଲି ଉପସଭାପତି ଡାକ୍ତର ସୁବ୍ରତ ଜେନା କହିଛନ୍ତି। ଡାକ୍ତର ଓ ମେଡିକାଲ୍‌ କର୍ମୀମାନେ ବ୍ୟବହାର କରୁଥିବା ଗାଡ଼ିଗୁଡ଼ିକ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଉ ବୋଲି ଉପସଭାପତି ଡାକ୍ତର ଜଗନ୍ନାଥ ମହାପାତ୍ର କହିଛନ୍ତି। ଲକ୍‌ଡାଉନ ଯୋଗୁଁ ଅନେକ ମେଡିକାଲ୍‌ କର୍ମୀ ଫସି ରହିଥିବାରୁ ସେମାନଙ୍କ ପାଇଁ ମଧ୍ୟ କିଛି ସହାୟତା ଯୋଗାଇ ଦିଆଯାଉ। ଏହି ସମ‌ୟରେ ବହୁ କ୍ଲିନିକାଲ୍‌ ଏଷ୍ଟାବ୍ଲିସମେଣ୍ଟ ତଥା ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଓ ଅନ୍ୟ କ୍ଷେତ୍ରଗୁଡ଼ିକ ବନ୍ଦ ରହିଛି। ତେଣୁ ସମସ୍ତେ ଘରେ ବସି ରହିଛନ୍ତି। ଏଣେ ବିଭିନ୍ନ ସରକାରୀ ଯୋଜନା ଏବଂ ଅନ୍ୟ ଏଜେନ୍ସି ଜରିଆରେ ବହୁ ପାଉଣା ପାଇବାକୁ ବାକି ରହିଛି। ବିଶେଷକରି ଏବେ ସ୍ଥିତି ଗମ୍ଭୀର ଥିବାରୁ ପୂର୍ବରୁ ବାକି ଥିବା ଟିପିଏ, କର୍ପୋରେଟ୍‌ସ, ଇଏସ୍‌ଆଇସି, ସିଜିଏଚ୍‌ଏସ୍‌, ଏନ୍‌ଏଚ୍‌ଏମ୍‌ ସୂତ୍ରରୁ ଥିବା ବକେୟା ପାଉଣା ସେଇ କ୍ଲିନିକାଲ୍‌ ଏଷ୍ଟାବ୍ଲିସମେଣ୍ଟମାନଙ୍କୁ ତୁରନ୍ତ ଦିଆଯାଉ ବୋଲି ଫୋରମର ସମ୍ପାଦକ ଡାକ୍ତର ଇନ୍ଦ୍ରମଣି ଜେନା କହିଛନ୍ତି। ଅନ୍ୟ ସ୍ବାସ୍ଥ୍ୟକର୍ମୀମାନଙ୍କ ପରିବାର ସଦସ୍ୟଙ୍କ ଉଦ୍ଦେଶ୍ୟରେ ମଧ୍ୟ କିଛି ଅର୍ଥ ଅଗ୍ରୀମ ପ୍ରଦାନ କରାଯାଉ ବୋଲି ନିବେଦନ କରାଯାଇଛି।