ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ଡାକ୍ତରଖାନା ଜୈବ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ୍ରେ ଇନ୍ସିନେରେଟର୍ ୧୫ ବର୍ଷ ପୁରୁଣା ହେଲାଣି। ଚିମ୍ନି ଉଚ୍ଚତା ମଧ୍ୟ କମ୍ ଥିବା ଯୋଗୁଁ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ ହେଉଛି। ବଡ଼ ଡାକ୍ତରଖାନା ଚାରିପାଖ କୋଠା ଗୁଡ଼ିକର ଉଚ୍ଚତା ଠାରୁ ଚିମ୍ନିର ଉଚ୍ଚତା କମ୍ ଥିବା ଯୋଗୁଁ ସମସ୍ୟା ଗୁରୁତର ହେବାରେ ଲାଗିଛି। ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ୭୦ଲକ୍ଷ ଟଙ୍କା ବ୍ୟୟରେ ନୂତନ ଅତ୍ୟାଧୁନିକ ଇନ୍ସିନେରେଟର୍ ସ୍ଥାପନ ଲାଗି ପଦକ୍ଷେପ ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ଇନ୍ସିନେରେଟର୍ ସ୍ଥାପନ ହେଲେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(ସିପିସିବି) ସିଧାସଳଖ ନିର୍ଗତ ଧୂଆଁର ପ୍ରଦୂଷଣ ମାତ୍ରାକୁ ତଦାରଖ କରିପାରିବେ। ଏହି ଅତ୍ୟାଧୁନିକ ଇନ୍ସିନିନେରେଟର୍ ରାଜ୍ୟରେ ପ୍ରଥମ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ସ୍ଥାପନ ହେବ। କଟକ ବଡ଼ ଡାକ୍ତରଖାନା ଜୈବ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ୍ର ଇନ୍ସିନେରେଟର୍ ଗତ କିଛି ମାସ ହେଲା ଅଚଳ ହୋଇପଡ଼ିଛି। ସେଠାରୁ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲାର ଶେରଗଡ଼ ଅଣାଯାଉଥିବା ଜଣାପଡ଼ିଛି। କଟକ ବଡ଼ ଡାକ୍ତରଖାନା ଜୈବ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ୍ ଚଳାଉଥିବା ସଂସ୍ଥାର ଏକ ପ୍ଲାଣ୍ଟ୍ ଶେରଗଡ଼ରେ ଥିବାରୁ ଉକ୍ତ ସଂସ୍ଥା ବିକଳ୍ପ ସ୍ବରୂପ କଟକରୁ ଜୈବ ବର୍ଜ୍ୟ ଏଠାକୁ ଆଣୁଥିବା ଜଣାପଡ଼ିଛି।
ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଉପରେ ଦକ୍ଷିଣଓଡ଼ିଶାର ଜନସାଧାରଣ ନିର୍ଭର କରୁଛନ୍ତି। ଏହି ଡାକ୍ତରଖାନାରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ିବା ସାଙ୍ଗକୁ ମେଡିକାଲ ଉପରେ ବୋଝ ବି ବଢ଼ୁଛି। ଏବେ ଡାକ୍ତରଖାନାରୁ ପ୍ରତ୍ୟହ ପ୍ରାୟ ୧କ୍ବିଣ୍ଟାଲ୍ ଜୈବ ବର୍ଜ୍ୟ ବାହାରୁଛି। ଏହା ପରିଚାଳନା ଲାଗି ୨୦୦୫ ମସିହାରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ମେଡିକାଲ ପରିସରରେ ପ୍ରତିଷ୍ଠା ହୋଇଛି ଜୈବ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ୍। ଏଠାରେ ଇନ୍ସିନେରେଟର୍, ମାଇକ୍ରୋୱେଭ୍ ଏବଂ ସେଡ଼ର୍ ଆଦି ରହିଛି। ଏହି କେନ୍ଦ୍ରକୁ ଲାଇଫ୍ଲାଇନ୍ ଫାର୍ମା ନାମକ ଏକ ସଂସ୍ଥା ପରିଚାଳନା କରୁଛି। ଡାକ୍ତରଖାନାରୁ ପ୍ରତ୍ୟହ ବାହାରୁଥିବା ଜୈବ ବର୍ଜ୍ୟ ମଧ୍ୟରୁ ପ୍ରାୟ ୫୦ରୁ ୬୦କିଲୋ ବର୍ଜ୍ୟବସ୍ତୁକୁ ଇନ୍ସିନେରେଟର୍ ଜରିଆରେ ଭସ୍ମୀଭୂତ କରାଯାଉଛି। ବାହାରୁଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଗୁଡ଼ିକୁ ମାଇକ୍ରୋୱେଭ୍ରେ ବିଶୋଧିତ କରି ତାହାକୁ ବିକ୍ରି କରାଯାଉଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜୈବ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ଲଗାଯାଇଥିବା ଇନ୍ସିନେରେଟର୍ର କାର୍ଯ୍ୟକ୍ଷମତା ୧୦ବର୍ଷ ରହିଥିବା ବେଳେ ତାହାକୁ ଇତିମଧ୍ୟରେ ୧୫ବର୍ଷ ବିତିଲାଣି। ବହୁତ ପୁରୁଣା ହୋଇ ଯାଇଥିବାରୁ ତାହା ବାରମ୍ବାର ଅଚଳ ବି ହେଉଛି। ଏହି ଇନ୍ସିନେରେଟର୍ରେ ଜୈବ ବର୍ଜ୍ୟବସ୍ତୁ ଦହନ ବେଳେ ସେଥିରୁ ଅଧିକ ପରିମାଣର କଳାଧୂଆଁ ବାହାରୁଛି। ଜୈବ ବର୍ଜ୍ୟବସ୍ତୁ ପରିଚାଳନା ଆଇନ ୨୦୧୬ ଅନୁଯାୟୀ ଇନ୍ସିନେରେଟର୍ ଗୁଡ଼ିକୁ ୨ ବର୍ଷ ମଧ୍ୟରେ ନବୀକରଣ କରିବା ଲାଗି ନିର୍ଦ୍ଦେଶ ରହିଛି। ତାହା ଏଯାବତ୍ କାର୍ଯ୍ୟକାରୀ ହୋଇନାହିଁ। ଇନ୍ସିନେରେଟର୍ର ଚିମ୍ନି ଉଚ୍ଚତା ଅନ୍ୟୁନ ୩୦ମିଟର ରହିବା ଦରକାର। ବ୍ରହ୍ମପୁର ବଡ଼ ଡାକ୍ତରଖାନା ଜୈବ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଚିମ୍ନି ଗତ ଅକ୍ଟୋବର ମାସରେ ଭାଙ୍ଗିଯାଇଥିଲା। ଫଳରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ବନ୍ଦ ଥିଲା। ୩୦ମିଟର ଉଚ୍ଚତାର ନୂତନ ଚିମ୍ନି ଲଗାଯିବା ପରେ ପୁଣି ଗତ ଡିସେମ୍ବରରୁ କାର୍ଯ୍ୟକ୍ଷମ ହୋଇଛି। ଏହି ପରିଚାଳନା କେନ୍ଦ୍ର ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରେ ଥିବା ବେଳେ ଚତୁଃପାର୍ଶ୍ବରେ ଜନବସତି ଗଢ଼ି ଉଠିଛି। ଏହାଛଡ଼ା ମେଡିକାଲର ନୂଆ ସୁଉଚ୍ଚ କୋଠା ନିର୍ମାଣ ହୋଇଛି। ଫଳରେ ଚିମ୍ନି ଉଚ୍ଚତା ଛୋଟ ହୋଇଯାଇଛି। କୋଠା ଗୁଡ଼ିକ ଠାରୁ ଚିମ୍ନିର ଉଚ୍ଚତା କମ୍ ରହିଥିବାରୁ ନିର୍ଗତ ଧୂଆଁ ପ୍ରଦୂଷଣ ବଢ଼ାଉଛି। ଚିମ୍ନିକୁ ଆହୁରି ଉଚ୍ଚ କରିବାକୁ ଦାବି ହେଉଛି।
ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଡା.କିରଣ କୁମାର ପଟ୍ଟନାୟକ କହିଛନ୍ତି, ଜୈବ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ନୂତନ ଇନ୍ସିନେରେଟର୍ ସ୍ଥାପନ ଲାଗି ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଛି। ଏଥିଲାଗି ଦୁଇଥର ଟେଣ୍ଡର୍ କରାଗଲାଣି। କିନ୍ତୁ ଜଣେ ଲେଖାଏଁ ଟେଣ୍ଡର୍ ପକାଉଥିବାରୁ ଚୂଡ଼ାନ୍ତ ହୋଇପାରୁ ନାହିଁ।