ସରକାରୀ ହସ୍ପିଟାଲରେ ବନ୍ଦ ହେଉନି ଅଣସ୍ୱାସ୍ଥ୍ୟକର୍ମୀଙ୍କ ଚିକିତ୍ସା ସେବା

ସରକାରୀ ନିର୍ଦେଶନାମାକୁ ମାନୁ ନାହାନ୍ତି
ଡାକ୍ତର ନ ଥିବାରୁ ସ୍ଥିତି ସାଂଘାତିକ
ରୋଗୀଙ୍କ ଭରସା ଫାର୍ମାସିଷ୍ଟ

ଭୁବନେଶ୍ବର,(କ୍ଷିତୀଶ ରାୟ): ୨୦୨୧ ସେପ୍ଟେମ୍ବର ୯ତାରିଖରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କୁ ଇଞ୍ଜେକସନ୍ ଦେଉଥିବା ଭିଡିଓ ଭାଇରାଲ ହେଲା। ଜଣେ ଅଣ ସ୍ବାସ୍ଥ୍ୟକର୍ମୀ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଏଭଳି ଚିକିତ୍ସା କରିବାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଅପବାଦ ମୁଣ୍ଡାଇଲା। ପରବର୍ତୀ ସମୟରେ ସଂପୃକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ନିଜର ଚାକିରି ହରାଇବାକୁ ପଡ଼ିଲା।

ପାଞ୍ଚଦିନ ତଳେ ଠିକ୍ ସମାନ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ଏଠାରେ ଜଣେ ସୁଇପର ହାଡ଼ଭଙ୍ଗା ଚିକିତ୍ସା କରୁଥିବା ଫଟୋ ପଦାକୁ ଆସିଛି। ଏହା କେବଳ ଗୋଟିଏ ଦୁଇଟି ଘଟଣା ନୁହେଁ, ସରକାରୀ ଡାକ୍ତରଖାନା ଗୁଡ଼ିକରେ ଅନେକ ସମୟରେ ଅଣ ସ୍ବାସ୍ଥ୍ୟକର୍ମୀମାନେ ରୋଗୀଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି। ସ୍ଥାନୀୟ ସିଡିଏମ୍‌ଓ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଯଦିଓ ଅଣ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଚିକିତ୍ସାରେ ନିୟୋଜିତ ନ କରିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶନାମା ରହିଛି। ହେଲେ ଖୋଲାଖୋଲି ଭାବେ ଏହାର ଉଲ୍ଲଂଘନ ହେଉଛି।

ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଏଭଳି ଘଟଣା ଘଟିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାମାନଙ୍କୁ ଚିଠି ଜାରି ହୋଇଥିଲା। ଏଥିରେ କୌଣସି ପ୍ରକାର ଚିକିତ୍ସାରେ ଅଣ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ ନ କରିବାକୁ କଡ଼ା ନିର୍ଦେଶନାମା ଜାରି କରିଥିଲେ ସ୍ବାସ୍ଥ୍ୟ ବିଭାଗର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ତଥାପି କେଉଁଠି ନାଁ କେଉଁଠି ଅଣ ସ୍ବାସ୍ଥ୍ୟକର୍ମୀଙ୍କ ବିନା ଚିକିତ୍ସା କାର୍ଯ୍ୟ ଆଗେଇ ପାରୁନାହିଁ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଥିପାଇଁ ମୁଖ୍ୟତଃ ୨ଟି କାରଣକୁ ଦାୟୀ କରାଯାଇପାରେ। ଜିଲ୍ଲା ଓ ଗୋଷ୍ଠୀସ୍ତରରେ ସରକାରୀ ଡାକ୍ତରଖାନାରେ ବହୁତ ଡାକ୍ତରୀ ପଦବି ଖାଲି ପଡ଼ିଛି। ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତରରେ ଜିଲ୍ଲାସ୍ତରରେ ୪୨ ପ୍ରତିଶତ ଡାକ୍ତରୀ ପଦବି ଖାଲିଥିବା ସ୍ବୀକାର କରିଛନ୍ତି। ଏହାସହ ଅନେକ ସ୍ଥାନରେ ଡାକ୍ତର ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁ ନାହାନ୍ତି। ଡ୍ୟୁଟି ସମୟରେ ଅନ୍ୟ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ଯାହାଫଳରେ ଏଭଳି ପରିସ୍ଥିତି ଉପୁଜୁଛି। ୨୦୧୭ ମସିହାର ଏକ ରିପୋର୍ଟ ଅନୁସାରେ ଦେଶରେ ୧୯.୮ ପ୍ରତିଶତ ଲୋକ କ୍ବାକ୍‌ଙ୍କ ଚିକିତ୍ସାରେ ପ୍ରାଣ ହରାଉଛନ୍ତି। ମାତ୍ର ଓଡ଼ିଶାର ସ୍ଥିତି ଜାତୀୟ ହାରଠାରୁ ବେଶ୍‌ ଦୟନୀୟ ରହିଛି। ଏହି ସମୟରେ ଓଡ଼ିଶାରେ ୩୭.୨ ପ୍ରତିଶତ ଲୋକଙ୍କ କ୍ବାକ୍‌ଙ୍କ ଚିକିତ୍ସାରେ ପ୍ରାଣ ହରାଇଛନ୍ତି। ଗ୍ରାମାଞ୍ଚଳରେ ଏହି ହାର ଯଥେଷ୍ଟ ଅଧିକ ରହିଛି।

ଆହୁରି ମଧ୍ୟ ରାଜ୍ୟର ଅନେକ ଜଣିକିଆ ସରକାରୀ ଡାକ୍ତରଖାନା ରହିଛି। ଯାହାକୁ କେବଳ ଫାର୍ମାସିଷ୍ଟ ହିଁ ପରିଚାଳନା କରୁଛନ୍ତି। ଅନେକ ସମୟରେ ଏସବୁ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ନେଇ ବିବାଦ ଉପୁଜିଛି। ଫାର୍ମାସିଷ୍ଟ କେଉଁ ପ୍ରକାର ଔଷଧ ଦେଇପାରିବେ ଓ କାହାକୁ ଦେଇପାରିବେ ନାହିଁ ସେ ସମ୍ପର୍କରେ ଗତବର୍ଷ ସେପ୍ଟେମ୍ବର ମାସରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଥିଲା। ପୂର୍ବରୁ ଫାର୍ମାସିଷ୍ଟମାନଙ୍କୁ ଯେଉଁ ଔଷଧ ତାଲିକା ଦିଆଯାଇଥିଲା ତହିଁରେ କେତେକ ସଂଶୋଧନ କରାଯାଇଥିଲା।
ପୂର୍ବତନ ସ୍ବାସ୍ଥ୍ୟସେବା ନିର୍ଦେଶକ ଡାକ୍ତର ସେବା ମହାପାତ୍ର କହିଛନ୍ତି, ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲା, ପିଏଚ୍‌ସି/ସିଏଚ୍‌ସି ଗସ୍ତ କଲେ ଏଭଳି ସମସ୍ୟା ଅନେକ ମାତ୍ରାରେ ଦୂର ହୋଇପାରିବ। କେବଳ ବିଭିନ୍ନ ପଦବି ସୃଷ୍ଟି କରାଯାଇ ପଦୋନ୍ନତି ଦେଲେ ଏହାର ସମାଧାନ ହୋଇପାରିବନି। ଏହାସହ ଯେଉଁ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ଘଟୁଛି, ସଂପୃକ୍ତ ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ବା ଆରକେଏସ୍‌ରେ ଏ ସଂପର୍କରେ ଆଲୋଚନା କରାଯାଉ। କେଉଁ ପରିସ୍ଥିତିରେ ଅଣ ସ୍ବାସ୍ଥ୍ୟକର୍ମୀ ଜଣକ ରୋଗୀଙ୍କ ଚିକିତ୍ସା କଲେ ତାହାର ତର୍ଜମା ହେବା ଦରକାର। ସେହିପରି ଲୋକମାନେ ମଧ୍ୟ ଡାକ୍ତରଖାନାକୁ ଯିବା ସମୟରେ ତାଙ୍କୁ ଚିକିତ୍ସା କରୁଥିବା ବ୍ୟକ୍ତି ଜଣକ ଯଦି ଅଣ ସ୍ବାସ୍ଥ୍ୟକର୍ମୀ ବୋଲି ଜାଣୁଛନ୍ତି ତାହାଲେ ସେଠାରେ ଚିକିତ୍ସା କରିବା ଉଚିତ୍ ନୁହେଁ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ କହିବାନୁଯାୟୀ, ସରକାରୀ ଡାକ୍ତରଖାନାରେ ଅଣ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ ନ କରିବାକୁ ସରକାରୀ ନିର୍ଦେଶନାମା ରହିଛି। ଯେଉଁଠାରେ ଏହାର ଉଲ୍ଲଂଘନ ହେଉଛି ତାହାର ତଦନ୍ତ କରାଯାଇ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ଯେଉଁ ସ୍ଥାନରେ ଏଭଳି ଘଟଣା ନଜରକୁ ଆସିଛି ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେଣୁ ଚାନ୍ଦବାଲି ଘଟଣାରେ ସିଡିଏମ୍‌ଓଙ୍କ ତଦନ୍ତ ରିପୋର୍ଟ ଆସିବା ପରେ ହିଁ ସବୁକିଛି ସ୍ପଷ୍ଟ ହୋଇପାରିବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର