ଟିକା ପାଇଁ ଡାକ୍ତରୀ ସାର୍ଟିଫିକେଟ୍ ଅନାବଶ୍ୟକ

ଏପ୍ରିଲ ପହିଲାରୁ ୪୫ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ
ଦିନକରେ ଟିକା ନେଲେ ୭୩ହଜାରରୁ ଅଧିକ

ଭୁବନେଶ୍ବର : ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା ନେବା ପାଇଁ ଆଉ ଜଟିଳ ରୋଗ ବା କୋମର୍ବିଡ ସାର୍ଟିଫିକେଟ୍‌ର ଆବଶ୍ୟକତା ନାହିଁ। କେନ୍ଦ୍ର ସରକାର ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣରେ ସାମିଲ କରିବା ପରେ ଏହି ଡାକ୍ତରୀ ସାର୍ଟିଫିକେଟ୍ ଏବେ ଅନାବଶ୍ୟକ ହୋଇପଡ଼ିଛି। ତେଣୁ ଜିଲ୍ଲାସ୍ତରରେ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ, ନଗର ନିଗମକୁ ଚିଠି ଲେଖିଛନ୍ତି।

ପୂର୍ବରୁ ୪୫-୫୯ବର୍ଷର ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଏଥିପାଇଁ ଡାକ୍ତରୀ ସାର୍ଟିଫିକେଟ୍ ଜରୁରୀ ରହିଥିଲା। ହେଲେ ଏପ୍ରିଲ ପହିଲାରୁ ଏହାର ଜରୁରୀ ନ ଥିବା ସରକାର କହିଛନ୍ତି। ୧୯୭୭ ମସିହା ଜାନୁଆରି ୧ତାରିଖ କିମ୍ବା ଏହା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ଲୋକମାନେ ଏଣିକି ଟିକା ନେଇପାରିବେ। ଏଥିପାଇଁ କୋୱିନ୍ ପୋର୍ଟାଲରେ ଆବଶ୍ୟକ ପରିବର୍ତନ କରାଯାଇଛି। ପୂର୍ବରୁ ଟିକା ନେବା ପାଇଁ ଯେଉଁ ଡାକ୍ତରୀ ସାର୍ଟିଫିକେଟ୍‌ର ଆବଶ୍ୟକତା ରହିଥିଲା, ତାହା ଏବେ ଅନଲାଇନ୍ ରେଜିଷ୍ଟ୍ରେସନ୍ କିମ୍ବା ଟିକାକରଣ କେନ୍ଦ୍ରରେ ପଞ୍ଜୀକରଣ ସମୟରେ ଲାଗୁ ହେବ ନାହିଁ। ତେଣୁ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

ଅପରପକ୍ଷରେ ଆଜି ରାଜ୍ୟରେ ଗୋଟିଏ ଦିନରେ ୭୩ହଜାର ୧୮୦ଜଣ ଟିକା ନେଇଛନ୍ତି। ଏଥିରେ ୬୦ବର୍ଷରୁ ଅଧିକ ୬୧,୧୪୫ଜଣ ରହିଥିବା ବେଳେ ୫୭୩୬ଜଣ ଜଟିଳ ରୋଗ ଥିବା ୪୫-୫୯ବର୍ଷର ବ୍ୟକ୍ତି ରହିଛନ୍ତି। ଏହାସହ ୯୧୯ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍, ୧୭୯୦ଙ୍କୁ ଦ୍ବିତୀୟ ଡୋଜ୍, ୮୫୯ ଆଗଧାଡ଼ିର ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଓ ୨୭୩୧ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଆଜି ଜଣେ ବ୍ୟକ୍ତିଙ୍କଠାରେ ଟିକାର ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୦ ଲକ୍ଷ ୯୫ ହଜାର ୨୦୯ଜଣ ଟିକା ନେଇ ସାରିଲେଣି। ଏଥିରେ ୧୧ଲକ୍ଷ ୪୪ ହଜାର ୧୬୬ଜଣ ୬୦ବର୍ଷରୁ ଅଧିକ ରହିଥିବା ବେଳେ ୯୩ ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି।

ସମ୍ବନ୍ଧିତ ଖବର