ମୃତକଙ୍କ ଡାକ୍ତରୀ ପ୍ରମାଣପତ୍ରରେ ଓଡ଼ିଶା ପଛୁଆ

ସମୁଦାୟ ମୃତ୍ୟୁର ପ୍ରମାଣପତ୍ର ହେଉଛି ମାତ୍ର ୧୧ ପ୍ରତିଶତ
ତଥ୍ୟ ଦେବାରେ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟାନୁଷ୍ଠାନ ବିଫଳ

ଭୁବନେଶ୍ୱର : ରାଜ୍ୟରେ ପ୍ରତିବର୍ଷ ଯେତିକି ସଂଖ୍ୟକ ମୃତ୍ୟୁ ହେଉଛି, ତାହାର ମାତ୍ର ୧୧ ପ୍ରତିଶତ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ବା ଏମ୍‌ସିସିଡି ସମ୍ଭବ ହୋଇପାରୁଛି। ଏଥିରେ ଉଭୟ ସ୍ବାସ୍ଥ୍ୟାନୁଷ୍ଠାନ ଓ ଘରେ ହୋଇଥିବା ମୃତ୍ୟୁ ସାମିଲ ରହିଛି। ଏପରିକି ସ୍ବାସ୍ଥ୍ୟାନୁଷ୍ଠାନରେ ହେଉଥିବା ମୃତ୍ୟୁର ମଧ୍ୟ ସମୁଦାୟ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚି ପାରୁନାହିଁ। ତଥ୍ୟ ପ୍ରଦାନରେ ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକର ବିଳମ୍ବ ସହିତ ତୃଣମୂଳସ୍ତରରେ ସଚେତନତାର ଅଭାବ ରହିଛି। ଏପରିକି ତଥ୍ୟ ସଂଗ୍ରହ କରିବା ଲାଗି ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେଣୁ ବର୍ଷ ବର୍ଷ ଧରି ଏମ୍‌ସିସିଡି କ୍ଷେତ୍ରରେ ଓଡ଼ିଶା ପଛରେ ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ କୋଭିଡ୍‌ରେ ହୋଇଥିବା ମୃତ୍ୟୁର ଉପଯୁକ୍ତ ଡାକ୍ତରୀ ପ୍ରମାଣପତ୍ର ପଞ୍ଜୀକୃତ ହୋଇପାରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଅପରପକ୍ଷରେ ଗତବର୍ଷ ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ହୋଇଥିବା ମୃତ୍ୟୁର ପ୍ରମାଣପତ୍ର ତୁରନ୍ତ ବିଭାଗକୁ ପ୍ରଦାନ କରିବା ଲାଗି ସବୁ ଜିଲ୍ଲାର ସିଡିଏମ୍‌ଓମାନଙ୍କୁ ଚିଠି ଦିଆଯାଇଥିବା ସୂଚନା ମିଳିଛି। ସରକାରୀ ତଥ୍ୟ ଅନୁଯାୟୀ ଶତ ପ୍ରତିଶତ ଡାକ୍ତରୀ ପ୍ରମାଣପତ୍ର ହାସଲ କରିବାରେ ଗୋଆ ୧ନଂ ସ୍ଥାନରେ ରହିଛି। ମାତ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତାଲିକାରେ ଓଡ଼ିଶା ୩୨ ନମ୍ବର ସ୍ଥାନ ହାସଲ କରିଛି। ଗତ ୩ବର୍ଷ ଧରି ରାଜ୍ୟରେ ଡାକ୍ତରୀ ପ୍ରମାଣପତ୍ର ପ୍ରତିଶତ ଖସି ଖସି ଚାଲିଛି। ପରିସ୍ଥିତି ଏପରି ହୋଇଛି ଯେ, ୨୦୧୯ରେ ଯେତିକି ମୃତ୍ୟୁ ହୋଇଛି ତାହାର ସମସ୍ତ ପ୍ରମାଣପତ୍ର ୨୦୨୦ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମଧ୍ୟ ବିଭାଗ ପାଖରେ ପହଞ୍ଚି ନାହିଁ। ରାଜ୍ୟର ଆଗଧାଡ଼ିର ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକ ଏ ପର୍ଯ୍ୟନ୍ତ ନିଜର ଡାକ୍ତରୀ ପ୍ରମାଣପତ୍ର ଦେବାରେ ବିଫଳ ହୋଇଛନ୍ତି। ବାରମ୍ବାର ଚିଠି ଦିଆଗଲେ ମଧ୍ୟ ସେମାନେ ଏହାକୁ ଧ୍ୟାନ ଦେଉ ନାହାନ୍ତି।

୨୦୧୬-୧୮ ମସିହାରେ ରାଜ୍ୟର ମୃତ୍ୟୁ ତଥ୍ୟକୁ ଅନୁଶୀଳନ କଲେ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନରେ ହେଉଥିବା ଅବହେଳା ସ୍ପଷ୍ଟ ହୋଇପାରିବ। ୨୦୧୬ ମସିହାରେ ରାଜ୍ୟରେ ସମୁଦାୟ ୩ଲକ୍ଷ ୪୫ହଜାର ୫୨୭ ମୃତ୍ୟୁ ପଞ୍ଜୀକୃତ ହୋଇଛି। ସ୍ବାସ୍ଥ୍ୟାନୁଷ୍ଠାନରେ ୫୯,୭୫୩ରେ ମୃତ୍ୟୁ ହୋଇଥିବା ବେଳେ ତହିଁରୁ ୪୬,୫୭୬ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ‌ହୋଇପାରିଛି। ଯାହାକି ସମୁଦାୟ ମୃତ୍ୟୁର ୧୩.୪୭ ପ୍ରତିଶତ। ୨୦୧୭ ମସିହାରେ ରାଜ୍ୟରେ ୩ଲକ୍ଷ ୨୨ହଜାର ୬୬୦ ମୃତ୍ୟୁ ମଧ୍ୟରୁ ୬୨,୮୮୧ ସ୍ବାସ୍ଥ୍ୟାନୁଷ୍ଠାନରେ ହୋଇଛି। ତହିଁର ୩୯,୦୭୨ ଡାକ୍ତରୀ ପ୍ରମାଣପତ୍ର ସରକାରଙ୍କ ହସ୍ତଗତ ହୋଇଛି। ଯାହାକି ସମୁଦାୟ ମୃତ୍ୟୁର ୧୨.୧୦ ପ୍ରତିଶତ। ସେହିପରି ୨୦୧୮ ମସିହାରେ ୩ଲକ୍ଷ ୨୮ହଜାର ୭୯୯ ମୃତ୍ୟୁ ମଧ୍ୟରୁ ୬୮,୪୭୦ ସ୍ବାସ୍ଥ୍ୟାନୁଷ୍ଠାନରେ ହୋଇଛି। ସ୍ବାସ୍ଥ୍ୟାନୁଷ୍ଠାନରେ ହୋଇଥିବା ମୃତ୍ୟୁର ୩୭,୫୧୬ ଡାକ୍ତରୀ ପ୍ରମାଣପତ୍ର ମିଳିପାରିଛି। ଯାହାଫଳରେ ଏମ୍‌ସିସିଡି ୧୧.୪୧ ପ୍ରତିଶତକୁ ଖସି ଆସିଛି। ସେହିପରି ଏହି ୩ବର୍ଷରେ ପଞ୍ଜୀକୃତ ମୃତ୍ୟୁ ମଧ୍ୟରୁ ସହରାଞ୍ଚଳରେ ହୋଇଥିବା ମୃତ୍ୟୁ ତାଲିକାରେ ବୃଦ୍ଧି ହୋଇଛି। ୨୦୧୬ରେ ୮୧୯୭୯, ୨୦୧୭ରେ ୮୧୪୯୯ ଓ ୨୦୧୮ ମସିହାରେ ୮୬୧୨୦ ଜଣ ସହରାଞ୍ଚଳରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ୩ବର୍ଷର ତଥ୍ୟକୁ ଅନୁଶୀଳନ କଲେ ଜଣାପଡ଼ିବ ଯେ, ରାଜ୍ୟରେ ସର୍ବାଧିକ ମୃତ୍ୟୁ ହୃଦ୍‌ରୋଗ ଜନିତ। ଏଥିରେ ୨୨.୩ ପ୍ରତିଶତ ଲୋକ ପ୍ରାଣ ହରାଉଛନ୍ତି। ଏହାସହ ନିଶ୍ବାସ ପ୍ରଶ୍ବାସ ଜନିତ ରୋଗ ଯଥା, ଆଜ୍‌ମା, ସିଓପିଡି, ଫୁସଫୁସ କର୍କଟ ଭଳି ରୋଗରେ ମଧ୍ୟ ୭.୫ ପ୍ରତିଶତ ଓ ୧୦ ପ୍ରତିଶତ ଲୋକ ଅନ୍ୟାନ୍ୟ ପାରାସାଇଟ୍‌ ସଂକ୍ରମଣର ଶିକାର ହେଉଛନ୍ତି।

ଅପରପକ୍ଷରେ କେବଳ ସହରାଞ୍ଚଳରେ ଜନ୍ମ/ମୃତ୍ୟୁ ଅନଲାଇନ୍‌ରେ ପଞ୍ଜୀକରଣ କରାଯାଉଛି। କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀର ଅଭାବ ମଧ୍ୟ ଏହାର ଏକ ପ୍ରମୁଖ କାରଣ। ରାଜ୍ୟରେ ଏଥିପାଇଁ ସମୁଦାୟ ୩୯୪ ପଦବି ରହିଥିବା ବେଳେ ମାତ୍ର ୬୪ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଆଗକୁ କିଛି କର୍ମଚାରୀ ଅବସର ଗ୍ରହଣ କରିବେ। ଏଭଳି ପରିସ୍ଥିତିରେ ଆଗକୁ ଜନ୍ମ/ମୃତ୍ୟୁ ସାର୍ଟିଫିକେଟ୍‌ ନେଇ ସମସ୍ୟା ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟାନୁଷ୍ଠାନ ହେଉଥିବା ମୃତ୍ୟୁରେ ସଂପୃକ୍ତ ବ୍ୟକ୍ତି କେଉଁଥିରେ ପ୍ରାଣ ହରାଉଛନ୍ତି ଡାକ୍ତରମାନେ ତାହାର ସାର୍ଟିଫିକେସନ୍ କରିଥାନ୍ତି। ମାତ୍ର ଘରେ ହେଉଥିବା ପ୍ରାୟ ମୃତ୍ୟୁର ସାର୍ଟିଫିକେସନ୍ ହୋଇପାରୁନାହିଁ। ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀ ଓ ପିଏଚ୍‌ସି/ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟାନୁଷ୍ଠାନରେ କାର୍ଯ୍ୟରତ ଡାକ୍ତର ଯଦି ସଂପୃକ୍ତ ମୃତ ବ୍ୟକ୍ତିଙ୍କ ଭର୍ବାଲି ଅଟୋପ୍‌ସି କରିପାରନ୍ତେ ତା’ହେ‌ଲେ ତୃଣମୂଳସ୍ତରରେ ଏମ୍‌ସିସିଡିର ଗୁଣବତ୍ତା ଆସିପାରନ୍ତା। ରାଜ୍ୟର ଅଧିକାଂଶ ସ୍ବାସ୍ଥ୍ୟାନୁଷ୍ଠାନ ତଥ୍ୟ ପ୍ରଦାନରେ ଯଥେଷ୍ଟ ବିଳମ୍ବ କରୁଛନ୍ତି। ଏମିତିକି ବର୍ଷ ବର୍ଷ ଧରି ତଥ୍ୟ ଦେଉ ନାହାନ୍ତି। ବାରମ୍ବାର ଚିଠି ଦିଆଗଲେ ମଧ୍ୟ ଜିଲ୍ଲାସ୍ତରରୁ ତଥ୍ୟ ଆସୁନାହିଁ। ଯାହାଫଳରେ ଓଡ଼ିଶା ଏମ୍‌ସିସିଡିରେ ପଛରେ ରହିଛି। ଅନଲାଇନ୍‌ରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥା ହେଲେ ଏଥିରେ ପାରଦର୍ଶିତା ଆସିପାରିବ। ମିଛ ସାର୍ଟିଫିକେଟ୍‌କୁ ନିୟନ୍ତ୍ରଣ କରାଯିବା ସହିତ ତଥ୍ୟର ଡକ୍ୟୁମେଣ୍ଟେସନ୍ ହୋଇପାରିବ। ଆଜିର ସମୟରେ ରେକର୍ଡର ଡିଜିଟାଇଜେସନ୍‌ ହେବା ଅତ୍ୟନ୍ତ ଜରୁରୀ ବୋଲି ଅଧିକାରୀ ଜଣକ କହିଛନ୍ତି।

୩୧୫ ସିଏଚ୍‌ସିରେ ଅନଲାଇନ୍‌ରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ ରାଜ୍ୟର ୩୧୫ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ଅନଲାଇନ୍‌ରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କରାଯିବ। ଆସନ୍ତା ୧ମାସ ଭିତରେ ଏହି କାର୍ଯ୍ୟ ଆରମ୍ଭ ହେବ। ଏବେ କେବଳ ୟୁଏଲ୍‌ବିରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ତୃଣମୂଳସ୍ତରରେ ଅନଲାଇନ୍‌ରେ ପଞ୍ଜୀକରଣ କରାଗଲେ ସ୍ବଚ୍ଛତା ଆସିପାରିବ। ଅପରପକ୍ଷରେ କରୋନାରେ ହେଉଥିବା ମୃତ୍ୟୁର ଅଡିଟ୍‌ ପାଇଁ ସ୍ବାସ୍ଥ୍ୟ ବିଭାଗରେ ଏକ ୩ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ବ୍ୟକ୍ତି ଜଣକ କେଉଁ ରୋଗରେ ପ୍ରାଣ ହରାଉଛନ୍ତି ତାହା ଅଡିଟରୁ ସ୍ପଷ୍ଟ ହୋଇପାରୁଛି। ତେଣୁ କୋଭିଡ୍‌ ମୃତ୍ୟୁର ଏମ୍‌ସିସିଡି ନେଇ କୌଣସି ସମସ୍ୟା ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର