ବିଳମ୍ବ ହେବ ମେଡିକାଲ ପାଠପଢ଼ା : ୮ରେ ଫେରିବ ସର୍ବଭାରତୀୟ କୋଟାର ଖାଲି ସିଟ୍, ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ବିଜ୍ଞପ୍ତି
ଭୁବନେଶ୍ୱର : ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକରେ ପାଠପଢ଼ା ବିଳମ୍ବ ହେବ। ଅଗଷ୍ଟ ୧ ସୁଦ୍ଧା ସମସ୍ତ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କେବଳ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଛି। ଆହୁରି ଦୁଇଟି ପର୍ଯ୍ୟାୟ ନାମଲେଖା ବାକି ଥିବାରୁ ଚଳିତବର୍ଷ ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ପାଠପଢ଼ା ଏକ ମାସ ବିଳମ୍ବ ହେବ ବୋଲି ଓଜେଇଇ ସଚିବ ରଞ୍ଜନ କୁମାର ଜେନା କହିଛନ୍ତି।
ନିୟମ ଅନୁଯାୟୀ ରାଜ୍ୟ କୋଟା ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଖାଲିଥିବା ସିଟ୍ ସମେତ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍କୁ ମିଶାଇ ଓଜେଇଇ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ କରାଯିବ। ହେଲେ ଏପର୍ଯ୍ୟନ୍ତ ସର୍ବଭାରତୀୟ କୋଟାରୁ ସିଟ୍ ଫେରି ନ ଥିବାରୁ ଓଜେଇଇ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ କରାଯାଇପାରୁ ନାହିଁ।
ଓଜେଇଇ ସଚିବ ଶ୍ରୀ ଜେନା କହିଛନ୍ତି ଯେ ସର୍ବଭାରତୀୟ କୋଟାରେ ନାମଲେଖା ନେଇ ଯେଉଁ ପ୍ରତିବନ୍ଧକ ରହିଥିଲା ତାହା ଦୂର ହୋଇଛି। ଅଗଷ୍ଟ ୮ରେ ସର୍ବଭାରତୀୟ କୋଟାରୁ ସିଟ୍ ଫେରିବ। ଯେତିକି ସିଟ୍ ଫେରିବ ତାହାକୁ ରାଜ୍ୟ କୋଟାରେ ବଳକା ଥିବା ସିଟ୍ ସହ ମିଶାଇ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ କରାଯିବ। ଏନେଇ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ସମସ୍ତ ପ୍ରକ୍ରିୟା ଶେଷ ହେଲା ବେଳକୁ ପ୍ରାୟ ୧୫ ଦିନ ସମୟ ଲାଗିପାରେ। ପୂର୍ବରୁ ଅଗଷ୍ଟ ୧ରୁ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ତାହା ହୋଇପାରି ନାହିଁ। ତେଣୁ ଅଗଷ୍ଟ ମାସ ମଧ୍ୟରେ ନାମଲେଖା ପ୍ରକ୍ରିୟା ଶେଷ କରି ସେପ୍ଟେମ୍ବର ପ୍ରଥମରୁ ଏମ୍ବିବିଏସ୍ ଓ ବିଡିଏସ୍ ପାଠପଢ଼ା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଅନ୍ୟପକ୍ଷରେ ପାଠପଢ଼ା ବିଳମ୍ବ ହେବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଗୁଜବ କରାଯାଉଛି ଯେ କେତେକ ମେଡିକାଲ କଲେଜରେ ପାଠପଢ଼ା ହେବନି। ଅଭିଭାବକମାନେ ମଧ୍ୟ ଏହାକୁ ନେଇ ଭୟଭୀତ ନ ହେବାକୁ ଓଜେଇଇ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଓଜେଇଇ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜର ୨୦୩, ବ୍ରହ୍ମପୁରସ୍ଥିତ ଏମ୍କେସିଜିର ୨୦୧, ସମ୍ବଲପୁରସ୍ଥିତ ବୁର୍ଲା ମେଡିକାଲର ୧୨୦, ବାରିପଦା ମେଡିକାଲ କଲେଜର ୭୮, କୋରାପୁଟ ମେଡିକାଲ କଲେଜର ୮୦, ବାଲେଶ୍ୱର ମେଡିକାଲ କଲେଜର ୮୧, ବଲାଙ୍ଗୀର ମେଡିକାଲ କଲେଜର ୮୦ଟି ଏମ୍ବିବିଏସ୍ ସିଟ୍ ପୂରଣ ହୋଇଛି। ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜର ୪୩ଟି ଏମ୍ବିବିଏସ୍ ସିଟ୍, କଟକସ୍ଥିତ ଏସ୍ସିବି ଡେଣ୍ଟାଲ କଲେଜର ୩୨ ଓ ହାଇଟେକ୍ ଡେଣ୍ଟାଲ କଲେଜର ୪ଟି ସିଟ୍ ପୂରଣ ହୋଇଛି।