ମେଡିକାଲ ନାମଲେଖା: ସର୍ବଭାରତୀୟ କୋଟାରୁ ଫେରିଲା ୭୯ ସିଟ୍‌

ଦ୍ବିତୀୟ ପର୍ଯ୍ୟାୟରେ ୩୪୪ ସିଟ୍‌ରେ ହେବ ନାମଲେଖା

ଭୁବ‌ନେଶ୍ବର: ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ ପାଇଥିବା ବେଳେ ଆଜି ସିଟ୍‌ ତାଲିକା ବାହାରିଛି। ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପରେ ସର୍ବଭାରତୀୟ କୋଟା(ଏଆଇକ୍ୟୁ)ରୁ ବଳକା ସିଟ୍‌ ଫେରିଛି। ୧୧ଟି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମର ଏଆଇକ୍ୟୁରେ ମୋଟ ୭୯ଟି ସିଟ୍‌ ବଳକା ରହିଛି। ଏସ୍‌ସିବି ମେଡିକାଲ କଲେଜରେ କେବଳ ସାଧାରଣ ବର୍ଗରେ ଦୁଇଟି ସିଟ୍‌ ଖାଲି ରହିଛି। ସେହିପରି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜର ୧୬, ଭିଏସ୍‌ଏସ୍‌ ବୁର୍ଲାର ୧୭, ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ୧୨, କୋରାପୁଟସ୍ଥିତ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜର ୧୨, ବାଲେଶ୍ବର ସରକାରୀ ମେଡିକାଲ କଲେଜର ୭, ବଲାଙ୍ଗୀର ମେଡିକାଲ କଲେଜର ୭, ଏସ୍‌ସିବି ଡେଣ୍ଟାଲ କଲେଜର ୭ଟି ସିଟ୍‌ରେ ନାମଲେଖା ହୋଇପାରି ନାହିଁ। ସର୍ବଭାରତୀୟ କୋଟାର ୧୫% ସିଟ୍‌ରୁ ଫେରିଥିବା ଉକ୍ତ ୭୯ଟି ସିଟ୍‌ରେ ନାମଲେଖା ଲାଗି ଓଜେଇଇ କାଉନସେଲିଂ କରିବ ବୋଲି ସୂଚନା ଦିଆଯାଇଛି।

ରାଜ୍ୟ କୋଟାରେ ନାମଲେଖା ହେଉଥିବା ୮୫% ସିଟ୍‌ ମଧ୍ୟରୁ ଆଉ ୨୭୬ ସିଟ୍‌ ଖାଲି ରହିଛି। ଏସ୍‌ସିବି ମେଡିକାଲ କଲେଜରେ ୧୪ଟି ସିଟ୍‌ ଖାଲି ଥିବା ବେଳେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିରେ ୧୫, ଭିଏସ୍‌ଏସ୍‌ ବୁର୍ଲାରେ ୧୨, ବାରିପଦାସ୍ଥିତ ପଣ୍ଡିତ ଆରଏମ୍‌ ମେଡିକାଲ କଲେଜରେ ୩, କୋରାପୁଟସ୍ଥିତ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜରେ ୭, ବାଲେଶ୍ବର ସରକାରୀ ମେଡିକାଲ କଲେଜରେ ୨, ବଲାଙ୍ଗୀର ସରକାରୀ ମେଡିକାଲ କଲେଜରେ ୫, ଏସ୍‌ସିବି ଡେଣ୍ଟାଲ କଲେଜରେ ୧୪, ହାଇଟେକ୍‌ ମେଡିକାଲ କଲେଜ ଭୁବନେଶ୍ବରରେ ୫୩ ଏମ୍‌ବିବିଏସ୍‌, ହାଇଟେକ୍‌ ମେଡିକାଲ କଲେଜ ରାଉରକେଲାରେ ୫୭ ଏମ୍‌ବିବିଏସ୍‌ ଓ ହାଇଟେକ୍‌ ଡେଣ୍ଟାଲ କଲେଜ ଭୁବନେଶ୍ବରରେ ୯୪ଟି ସିଟ୍‌ ଖାଲି ରହିଛି।

ଓଜେଇଇର ଦ୍ବିତୀୟ ପର୍ଯ୍ୟାୟ କାଉନସେଲିଂରେ ମୋଟ ୩୫୫ଟି ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ରେ ନାମଲେଖା ହେବ। ସେଥିମଧ୍ୟରୁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୨୧୦ ସିଟ୍‌ ଥିବା ବେଳେ ସାଧାରଣ ବର୍ଗର ଦିବ୍ୟାଙ୍ଗଙ୍କ ଲାଗି ୧୯, ଏସ୍‌ସି ବର୍ଗଙ୍କ ଲାଗି ୩୧, ଏସ୍‌ସି ବର୍ଗର ଦିବ୍ୟାଙ୍ଗଙ୍କ ପାଇଁ ୩, ଏସ୍‌ଟି ବର୍ଗଙ୍କ ପାଇଁ ୩୨, ଏସ୍‌ଟି ଦିବ୍ୟାଙ୍ଗଙ୍କ ପାଇଁ ୯, ଜିସି ବର୍ଗଙ୍କ ଲାଗି ୭, ଇଏସ୍‌ଙ୍କ ଲାଗି ୯, ଏନ୍‌ଆରଆଇଙ୍କ ପାଇଁ ୨୬, ଇଡବ୍ଲୁ ବର୍ଗଙ୍କ ଲାଗି ୬, ଇଡବ୍ଲୁ ଦିବ୍ୟାଙ୍ଗ ବର୍ଗରେ ୩ଟି ସିଟ୍‌ ଖାଲି ରହିଛି। ଏହି ସିଟ୍‌ଗୁଡ଼ିକ ଲାଗି ଆଜି ସନ୍ଧ୍ୟା ୭ଟାରୁ ୧୦ ତାରିଖ ରାତି ୧୧ଟା ୫୯ ମିନିଟ୍‌ ମଧ୍ୟରେ ନୂଆ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ଚଏସ୍‌ ଫିଲିଂ ଓ ଲକିଂ କରିପାରିବେ। ୧୨ ତାରିଖରେ ଦ୍ବିତୀୟ ରାଉଣ୍ଡ ଆଲଟ୍‌ମେଣ୍ଟ ପ୍ରକାଶ କରାଯିବା ସହ ଛାତ୍ରଛାତ୍ରୀ ଆଲଟ୍‌ମେଣ୍ଟ ଲେଟର ଡାଉନ୍‌ଲୋଡ୍‌ କରିପାରିବେ। ୧୩ ତାରିଖ ପୂର୍ବାହ୍ନ ୧୧ଟାରୁ ୧୫ ତାରିଖ ରାତି ୧୧ଟା ୫୯ ମଧ୍ୟରେ ସିଟ୍‌ ପାଇଥିବା ଛାତ୍ରଛାତ୍ରୀ ନାମଲେଖା ଫି’ ଦାଖଲ କରି ପ୍ରୋଭିଜନାଲ ଲେଟର୍‌ ଡାଉନ୍‌ଲୋଡ୍‌ କରିପାରିବେ। ଡିସେମ୍ବର ୨୦ରେ ସ୍ପଟ୍‌ ରାଉଣ୍ଡ୍‌ କାଉନସେଲିଂ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର