ମଉଳିଗଲା ରାୟଗଡ଼ାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ଆଶା; ରାଜ୍ୟ ଦେଇନି ଡିପିଆର୍, ଅବଗତ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଅବିଭକ୍ତ କୋରାପୁଟର ବିକାଶ ପାଇଁ ଲଢ଼େଇ ଜାରି ରହିବ: ସପ୍ତଗିରି

ରାୟଗଡ଼ା: ଆକାଂକ୍ଷା ଜିଲ୍ଲା‌ରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ତାଲିକାରୁ ବାଦ୍ ପଡିଛି ରାୟଗଡ଼ା। ରାଜ୍ୟ ସରକାର ଡିପିଆର ପଠାଇବାରେ ବିଳମ୍ବ କରିବା ଯୋଗୁ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ଆଶା ମଉଳି ଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କୁ ଚିଠି ଲେଖି ସୂଚନା ଦେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ। ଜିଲ୍ଲାବାସୀଙ୍କ ଦାବିକୁ ରାଜ୍ୟ ସରକାର ଜାଣିଶୁଣି ଉପେକ୍ଷା କରିଥିବାରୁ ଅବଭିକ୍ତ କୋରାପୁଟର ବିକାଶ ପାଇଁ ସଂସଦରେ ଲଢ଼େଇ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ସାଂସଦ ଶ୍ରୀ ଉଲାକା।

ସଂସଦର ବଜେଟ୍ ଅଧିବେଶନ ଶୂନ୍ୟକାଳରେ ସାଂସଦ ଶ୍ରୀ ଉଲାକା ରାୟଗଡ଼ା ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ସଂପର୍କରେ ପ୍ରଶ୍ନ ଉଠାଇଥିଲେ। ଯାହାର ଉତ୍ତର ଚିଠି ମାଧ୍ୟମରେ ଜଣାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। କେବଳ କଳାହାଣ୍ଡି ଜିଲ୍ଲାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଡିପିଆର ସବମିଟ୍ କରିଛନ୍ତି। ରାୟଗଡ଼ାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସମୟ ସୀମା ମଧ୍ୟରେ କୌଣସି ଡିପିଆର ଆସିନଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କେନ୍ଦ୍ର ସରକାରଙ୍କ ନୂଆ ଯୋଜନାରେ ପଡୋଶୀ ରାଜ୍ୟର ସରକାର ନିଜ ରାଜ୍ୟରେ ୫/୬ଟି ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଡିପିଆର ସବମିଟ୍ କରିଥିବା ବେଳେ ଓଡ଼ିଶା ସରକାର ଜାଣିଶୁଣି ଅବିଭକ୍ତ କୋରାପୁଟକୁ ଉପେକ୍ଷା କରିଛନ୍ତି ବୋଲି ସାଂସଦ ଶ୍ରୀ ଉଲାକା ଅଭିଯୋଗ କରିଛନ୍ତି। ଶ୍ରୀ ଉଲାକା କହିଛନ୍ତି ରାୟଗଡ଼ାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ମେଡ଼ିକାଲ୍ କଲେଜ ଫୋରମ୍, ବିଭିନ୍ନ ସଂଗଠନ, କଂଗ୍ରେସ ପାର୍ଟି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସାଧାରଣ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଦାବି ହୋଇଥିଲା। ତୁରନ୍ତ ଡିପିଆର ପଠାଇବାକୁ ରାଜ୍ୟ ସରକାରଙ୍କୁ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଏଥି ସହିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏ ସଂପର୍କରେ ଅବଗତ କରିଛନ୍ତି। ଏହା ସତ୍ତ୍ବେ ଓଡ଼ିଶା ସରକାର ଡିପିଆର ନ ପଠାଇବା ଯୋଗୁ ମେଡ଼ିକାଲ୍ କଲେଜ ଆଶା ମଉଳି ଗଲା ବୋଲି ସାଂସଦ କହିଛନ୍ତି।

ସୂଚନାଯୋଗ୍ୟ, ଭାଏବିଲିଟି ଗ୍ୟାପ ଫଣ୍ଡିଙ୍ଗ ମାଧ୍ୟମରେ ରାୟଗଡ଼ାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ସମ୍ମତି ପ୍ରକାଶ କରିବା ପରେ ୨୦୧୪ ମସିହାରେ ୩୨୭.୪୦କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜ ପାଇଁ ବିଧାନସଭାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଘୋଷଣା କରିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ରାୟଗଡ଼‌ାରେ ମେଡ଼ିକାଲ୍ କଲେଜ ବାସ୍ତବ ରୂପ ନେବା ନେଇ ଅନିଶ୍ଚିତତା ଦେଖା ଦେଇଛି। ପଡୋଶୀ ଜିଲ୍ଲା ଫୁଲବାଣୀରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଘୋଷଣା କରିବା ପରେ ରାୟଗଡ଼ାବାସୀଙ୍କ ପକ୍ଷରୁ ଜୋରଦାର୍ ଦାବି ଉପସ୍ଥାପନ କରାଯିବା ସହ ୧୨ ଜଣିଆ କମିଟି ୫-ଟି ସଚିବ ଓ ଉନ୍ନୟନ ସଚିବଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ହେଲେ କୌଣସି ସୁଫଳ ମିଳିପାରିନି। ସୁପର ସ୍ପେଶିଆଲିଷ୍ଟ୍ ହସପିଟାଲ୍ ସୁବିଧା ଯୋଗାଇବାରେ ମଧ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି। ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡିଥିବା ଡାକ୍ତରୀ ପଦବି ପୂରଣ ହୋଇପାରୁନଥିବାରୁ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ପାଇଁ ରୋଗୀଙ୍କୁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି।

 

ସମ୍ବନ୍ଧିତ ଖବର