କୋଭିଡ୍‌ ହସ୍ପିଟାଲ ଗସ୍ତ କରିବେ ମେଡିକାଲ କଲେଜର ଅଧ୍ୟକ୍ଷ

ଭୁବନେଶ୍ୱର : ରାଜ୍ୟର ମେଡିକାଲ କଲେଜର ଡିନ୍/ଅଧ୍ୟକ୍ଷ ସପ୍ତାହରେ ଅତିକମ୍‌ରେ ଥରେ କୋଭିଡ୍‌ ହସ୍ପିଟାଲକୁ ପରିଦର୍ଶନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ସରକାର କୋଭିଡ୍‌ ଜନିତ ମୃତ୍ୟୁକୁ କମାଇବା ପାଇଁ ଗୁରୁତ୍ବ ଦେଉଥିବା ବେଳେ ମେଡିକାଲ କଲେଜର ଅଧ୍ୟକ୍ଷ/ଡିନ୍‌ଙ୍କ କୋଭିଡ୍‌ ହସ୍ପିଟାଲ/ସେଣ୍ଟରକୁ ଗସ୍ତ ବେଶ ଗୁରୁତ୍ବ ରଖୁଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଜାରି ନିର୍ଦେଶନାମାରେ କୁହାଯାଇଛି ଯେ, ପୂର୍ବରୁ ୭ଟି ମେଡିକାଲ କଲେଜରେ ୩୦ଟି ଜିଲ୍ଲାରେ କୋଭିଡ୍‌ ସହାୟତା ନେଇ ଏକ ବୈଷୟିକ କମିଟି ଗଠନ କରାଯାଇଛି। ତେଣୁ ଏହି ବୈଷୟିକ କମିଟି ବିଭିନ୍ନ ଜିଲ୍ଲା ଗସ୍ତ କରିବା ପୂର୍ବରୁ ଏ ସଂପର୍କରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏ ନେଇ ସୂଚନା ପ୍ରଦାନ କରିବେ। କମିଟିର ଗସ୍ତ ସମୟରେ ସ୍ବୀକୃତିପ୍ରାପ୍ତ ମେଡିକାଲ ଅଧିକାରୀ ବା ଏଏମ୍ଓ ଉପସ୍ଥିତ ରହିବେ। ଗସ୍ତ ବାବଦ ଖର୍ଚକୁ କମିଟି ଜନସ୍ବାସ୍ଥ୍ୟ ରେସପନ୍ସ ପାଣ୍ଠିରୁ ଭରଣ କରିପାରିବେ। କମିଟି କୋଭିଡ୍‌ ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ସଂକ୍ରମଣ ଓ ନିରାକରଣ ନିୟନ୍ତ୍ରଣ ବା ଆଇପିସି ସହିତ ପରିମଳ, ଖାଦ୍ୟ ଓ ମୃତଦେହକୁ କିଭଳି ଢଙ୍ଗରେ ନିଷ୍କ୍ରିୟ କରାଯିବ ତାହାର ସମୀକ୍ଷା କରିବା ପାଇଁ କୁହାଯାଇଛି। ହସ୍ପିଟାଲରେ ରୋଗୀଙ୍କୁ କେଉଁଭଳି ଚିକିତ୍ସା ପ୍ରଦାନ କରାଯାଉଛି ସେ ସଂପର୍କରେ ରୋଗୀଙ୍କଠାରୁ ସିଧାସଳଖ ମତାମତ ନେଇପାରିବେ। ଏହି ସମୟରେ ଚିକିତ୍ସାରେ ଯଦି କେଉଁଠାରେ ଅବହେଳା ହେଉଥିବା ନଜରକୁ ଆସିବ ଏଥିରେ ସୁଧାର ପାଇଁ ପ୍ରସ୍ତାବ ଦେବା ସହିତ ଗସ୍ତ ସମ୍ବନ୍ଧିତ ସବିଶେଷ ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି। ଏହାସହ କରୋନା ଜନିତ ମୃତ୍ୟୁକୁ କମାଇବା ଲାଗି ନୂତନ ଔଷଧର ବ୍ୟବହାର ଓ ପ୍ଲାଜ୍‌ମା ଚିକିତ୍ସା ନେଇ ଗୁରୁତ୍ବ ଦେବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର