ଭଦ୍ରକ: ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଭଦ୍ରକ ଜିଲ୍ଲା ମେଡ଼ିକାଲ କଲେଜର ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଜିଳାପାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅତୀତରେ ଏହି କମିଟି ପକ୍ଷରୁ ବହୁବାର ଭଦ୍ରକର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମାତ୍ର ରାଜ୍ୟ ସରକାର ଭଦ୍ରକବାସୀଙ୍କର ଏହି ପ୍ରମୁଖ ଦାବି ପ୍ରତି ଦୃଷ୍ଟି ଦେଇ ନାହାନ୍ତି। କେନ୍ଦ୍ର ସରକାର ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଇଛୁକ ରଖିଥିବା ବେଳେ ରାଜ୍ୟ ସରକାର କାହିଁକି ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଇଚ୍ଛା ପ୍ରକାଶ କରି ନାହାନ୍ତି ତାହାକୁ ନେଇ ବୁଦ୍ଧିଜୀବିମାନେ ପ୍ରଶ୍ନ ଉଠାଇଛନ୍ତି।
ଭଦ୍ରକର ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ହଜାର ହଜାର ଛାତ୍ରଛାତ୍ରୀ ଭଦ୍ରକରେ ମେଡ଼ିକାଲ କଲେଜ ଦାବି କରୁଛନ୍ତି। ଭଦ୍ରକର ମେଡ଼ିକାଲ କଲେଜ୍ ଦାବି ଆଜିର ନୁହେଁ। ଦୀର୍ଘ ୧୫ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଜିଲ୍ଲାବାସୀ ଏଇ ଦାବିକରି ଆସୁଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ଭଦ୍ରକବାସୀଙ୍କ ଦାବି ଠିକ ଭାବରେ ଉପସ୍ଥାପନ କରାଯାଉନଥିବା ବୋଲି ଅଭିଯୋଗ କରିଛନ୍ତି ଭଦ୍ରକର ବୁଦ୍ଧିଜୀବୀ।
ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯେଉଁ ଦାବିପତ୍ର ପ୍ରଦାନ କରାଯାଇଛି ସେହି ଦାବିପତ୍ର ପ୍ରଦାନ ବେଳେ କମିଟିର ଆବାହକ ଡାକ୍ତର ହରେକୃଷ୍ଣ ନାୟକ, ଡାକ୍ତର ପ୍ରଦୀପ ନାୟକ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମାଜସେବୀ ସୁଧାକର ରାଉତ, ଡ୍ ରାଧାରାଣୀ ମହାପାତ୍ର, ଗିତାରଣୀ ଆଇଚ, ଆଇନଜୀବୀ ସନ୍ତୋଷ ଦାସ, ଅମର ପାଣିଗ୍ରାହୀ, ଜଗନ୍ନାଥ ରାଉତ, ବିପ୍ଳବ ହୋତା, ବାଇଲୋଚନ ବେହୂରିଆ, ଗୌରାଙ୍ଗ ବାରିକଙ୍କ ସମେତ ଭଦ୍ରକର ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ରାଜ୍ୟ ସରକାର ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନକଲେ ଆଗାମୀ ଦିନରେ ଜିଲ୍ଲା ବ୍ୟାପି ଆନ୍ଦୋଳନ ଜୋରଦାର କରାଯିବ ବୋଲି କମିଟି ତରଫରୁ ଚେତାବନୀ ଦିଆଯାଇଛି।