ସୁନ୍ଦରଗଡ଼: ସୁନ୍ଦରଗଡ଼ ମେଡିକାଲ କଲେଜ ଚାକିରି ଠକେଇ ମାମଲାରେ ଫେରାର ଅନ୍ୟତମ ଅଭିଯୁକ୍ତ ରଣାବାବୁ ପୁଲିସ ହାତରେ। ଠକେଇ ଘଟଣା ସାମ୍ନାକୁ ଆସିବା ପରଠାରୁ ଫେରାର ରଣାବାବୁଙ୍କ ଉପରେ ସମସ୍ତଙ୍କ ନଜର ଅଟକି ରହିଥିଲା। କିଏ ଏହି ରଣାବାବୁ ବୋଲି ଜିଲ୍ଲାରେ ଚର୍ଚ୍ଚା ଉଠିଥିଲା। କିନ୍ତୁ ଏବେ ବି ତାଙ୍କ ପୂରା ନାମ ବା ପରିଚୟ ପୁଲିସ ଦେଇ ନାହିଁ। ମାମଲାରେ ପୂର୍ବରୁ ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ରବିବାର ଜଣେ ଶିକ୍ଷକଙ୍କୁ ଉଠାଇ ଆଣିଥିବା ପୁଲିସ ମଙ୍ଗଳବାର ରଣାବାବୁଙ୍କୁ ଧରିବାରେ ସକ୍ଷମ ହୋଇଛି। ଠକେଇ ଚେର ବହୁଦୂର ଲମ୍ବିଥିବାରୁ ଏସପି ପ୍ରତ୍ୟୁଷ ଦିବାକରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୁଲିସ ଅଧିକ ତନାଘନା ଚଲାଇଛି। ପୁଲିସ ହାତରେ ରାକେଟର ଆହୁରି ଅନେକ ସଦସ୍ୟଙ୍କ ନାମ ଲାଗିଥିବାବେଳେ ସେମାନଙ୍କ ଧରିବାକୁ ଏକ ସ୍ବତନ୍ତ୍ର ଟିମ୍ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।
ତେବେ ମାମଲାକୁ ୫ ଦିନ ବିତିଯିବା ଓ ବିଧାୟିକା କୁସୁମ ଟେଟେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିବା ପରେ ମଧ୍ୟ ମେଡିକାଲ କଲେଜ କର୍ତ୍ତୃପକ୍ଷ ନିରବ ରହିଛନ୍ତି। କଲେଜ ଓ ଡିନଙ୍କ ନାଁକୁ ବ୍ୟବହାର କରି ଏତେ ବଡ଼ ଠକେଇ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଏ ନିରବତା ସମସ୍ତଙ୍କୁ ବିସ୍ମିତ କରିଛି। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଯୋଗ୍ୟତା ଅନୁସାରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଏକ ବଡ଼ ରାକେଟ୍ ଗାଁ ଅଞ୍ଚଳରେ କାର୍ଯ୍ୟରତ କିଛି ଶିକ୍ଷକ ଓ ଡାକ ବିଭାଗ କର୍ମଚାରୀମାନଙ୍କ ଜରିଆରେ ଆଶାୟୀମାନଙ୍କୁ ପ୍ରବର୍ତ୍ତାଇ ଚୂନ ଲଗାଇଥିବା ଅଭିଯୋଗ ରହିଛି।
ସୁନିୟୋଜିତ ଭାବେ କାହାକୁ ମେଡିକାଲ ସହାୟକ ପଦ ତ କାହାକୁ ପରିଦର୍ଶକ, ପୁଣି କାହାକୁ ସୁରକ୍ଷାକର୍ମୀ, ଅଭ୍ୟର୍ଥନାକାରୀ ପଦରେ ନିଯୁକ୍ତି ଦେବା ନାଁରେ ଓଡ଼ିଶା ସରକାରଙ୍କ ଲଗୋ, ମେଡିକାଲ କଲେଜର ନାଁ ସହ ଡିନ ପ୍ରାଧ୍ୟାପକ ଡ. ଦୈତାରୀ ରାଉତରାୟଙ୍କ ଜାଲ୍ ଦସ୍ତଖତ ଏବଂ ସିଲ୍ ମୋହରରେ ଆଶାୟୀମାନଙ୍କୁ ନିଯୁକ୍ତି ଓ ଯୋଗଦାନପତ୍ର ସହ ଅଫିସ ନିଯୁକ୍ତି ଆଦେଶନାମା ଓ ପରିଚୟପତ୍ର ପ୍ରଦାନ କରି ବେରୋଜଗାର ଯୁବକଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନିଆଯାଇଛି।