ରାୟଗଡ଼ା: ପୂରଣ ହେବ ରାୟଗଡ଼ା ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ। ପ୍ରତିଶ୍ରୁତିରେ ସୀମିତ ମେଡ଼ିକାଲ୍ କଲେଜକୁ ବାସ୍ତବତାର ରୂପ ଦେବ ଆଦାନି ଗ୍ରୁପ୍। ପିପିପି ମୋଡ଼ରେ ହେବାକୁ ଥିବା ମେଡ଼ିକାଲ୍ କଲେଜ ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ସର୍ଭେ ପ୍ରକ୍ରିୟା। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶାଲିନୀ ପଣ୍ଡିତଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଆଦାନି ଗ୍ରୁପ୍ ସିଇଓ ସୁବ୍ରତ ତ୍ରିପାଠୀ।

Advertisment

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବା ଲକ୍ଷ୍ୟରେ ଆଦାନି ଗ୍ରୁପ୍ ଏହି ନିଷ୍ପତ୍ତି ନେଇଛି। କମ୍ପାନିର ସାମାଜିକ ଦାୟିତ୍ବ‌ବୋଧ କାର୍ଯ୍ୟକ୍ରମ (ସିଏସଆର୍) ଅଧୀନରେ ମେଡ଼ିକାଲ୍ କଲେଜ ନିର୍ମାଣ ହେବ। ଯାହାର ସମସ୍ତ ଖର୍ଚ୍ଚ ବହନ କରିବ ଆଦାନି ଗ୍ରୁପ୍। ରାଜ୍ୟ ସରକାର କେବଳ ଜମି ଯୋଗାଇ ଦେବେ। ପ୍ରଥମ ପର୍ଯ୍ୟାୟରେ ଭଦ୍ରକରେ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ରାୟଗଡ଼ା ପାଇଁ କମ୍ପାନି ସମସ୍ତ ପ୍ରସ୍ତୁତି ଶେଷ କରିଛି। ଜିଲ୍ଲାର ସ୍ବାସ୍ଥ୍ୟସେବାରେ ଉନ୍ନତି,  ଗରିବ ସୀମାଖୋ ତଳେ ବାସ କରୁଥିବା ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପଛର ମୁଖ୍ୟ ଲକ୍ଷ୍ୟ ଥିବା ଆଦାନି ଗ୍ରୁପ୍ ସ୍ପଷ୍ଟ କରିଛି। ମେଡ଼ିକାଲ୍ କଲେଜ କାର୍ଯ୍ୟକ୍ଷମ ପରେ ଏମବିବିଏସ୍ ପାଠ୍ୟକ୍ରମ ଆରମ୍ଭ ସହ ରୋଗୀ ଶର୍ଯ୍ୟା ମଧ୍ୟ ବୃଦ୍ଧି ହେବ। ଆଦାନି ଗ୍ରୁପର ପ୍ରତିଶ୍ରୁତି ପରେ ରାୟଗଡ଼ା ଜିଲ୍ଲାବାସୀ ଖୁସି ପ୍ରକାଶ କରିଛନ୍ତି। ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଜିଲ୍ଲାବାସୀ ଏବେ ଆନ୍ଧ୍ର ସମେତ ବ୍ରହ୍ମପୁର, ଭୁବନେଶ୍ବର ଉପରେ ନିର୍ଭର କରୁଛନ୍ତି। ବହୁ ଗରିବ ରୋଗୀ ଟ୍ରେନ୍, ବସ୍ ଯୋଗେ ବାହାରକୁ ଯାଇ ଖର୍ଚ୍ଚାନ୍ତ ସହ ଠକାମିର ଶିକାର ହେଉଛନ୍ତି। ରାୟଗଡ଼‌ାରେ ପିପିପି ମୋଡ଼ରେ ମେଡ଼ିକାଲ୍ କଲେଜ ହେଲେ ଅସଜଡ଼ା ପଡିଥିବା ଜିଲ୍ଲାର ସ୍ବାସ୍ଥ୍ୟ ଭିତ୍ତିଭୂମିରେ ପରିବର୍ତ୍ତନ ଆସିବ ବୋଲି ଆଶା ପ୍ରକାଶ ପାଇଛି।

ଭାଏବିଲିଟି ଗ୍ୟାପ ଫଣ୍ଡିଙ୍ଗ ମାଧ୍ୟମରେ ରାୟଗଡ଼ାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ପୂର୍ବରୁ ସମ୍ମତି ପ୍ରକାଶ କରିଥିଲେ। ୨୦୧୪ ମସିହାରେ ୩୨୭.୪୦କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜ କରିବାକୁ ବିଧାନସଭାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଘୋଷଣା କରିଥିଲେ। ଘୋଷଣାକୁ ଇତି ମଧ୍ୟରେ ୮ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ଦିଗରେ କୌଣସି ଅଗ୍ରଗତି ହୋଇପାରିନି। ଏହା ମଧ୍ୟରେ ରାଜ୍ୟ ସରକାର କୋରାପୁଟ ଓ କନ୍ଧମାଳରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା କରି ସାରିଲେଣି। ୨୦୧୯ ନିର୍ବାଚନ ପୂର୍ବରୁ ଆକାଂକ୍ଷା ଜିଲ୍ଲା ଯୋଜନାରେ ରାୟଗଡ଼ା ସାମିଲ୍ ହେବା ପରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ଲାଗି ଡିପିଆର୍ ପଠାଇବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଥିଲେ। ରାଜ୍ୟ ସରକାର ଡିପିଆର୍ ଦାଖଲରେ ଅବହେଳା କରିବାରୁ ୧୨ ଜଣିଆ କମିଟି ୫-ଟି ସଚିବ ଓ ଉନ୍ନୟନ ସଚିବଙ୍କ ସହ ଭୁବନେଶ୍ବରରେ ଏ ସଂପର୍କରେ ଆଲୋଚନା କରିଥିଲେ। ମେଡ଼ିକାଲ୍ କଲେଜ ବଦଳରେ ରାୟଗଡ଼ାରେ ସୁପର୍ ସ୍ପେସାଲିଷ୍ଟ୍ ହସପିଟାଲ୍ ନିର୍ମାଣ କରିବା ସହ ରୋଗୀ ଶର୍ଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। ଯାହା କେବଳ ପ୍ରତିଶ୍ରୁତିରେ ହିଁ ସୀମିତ ରହିଛି। ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ସମେତ ୧୧ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୩୦ରୁ ଉର୍ଦ୍ଧ୍ବ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ସବୁଠି ଆବଶ୍ୟକ ଅନୁଯାୟୀ ଡାକ୍ତର ନଥିବାରୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି।

ସୂଚନାଯୋଗ୍ୟ, ରାୟଗଡ଼ାର କାଶୀପୁର ବ୍ଲକରେ ଆଦାନି ଗ୍ରୁପ୍ ୪୧,୬୫୩ କୋଟି ଟଙ୍କା ନିବେଶ କରି ବାର୍ଷିକ ୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନେରି, ୧୭୫ ମେଗାୱାଟ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ। ଏହି ପ୍ରକଳ୍ପ ଦ୍ବାରା ୭୭୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଣୁ ସିଏସଆର୍ ଅଧୀନରେ ପିପିପି ମୋଡ଼ରେ ମେଡ଼ିକାଲ୍ କଲେଜ ନିର୍ମାଣ କରିବାକୁ ପଦକ୍ଷେପ ନେଇଛି।