ବିହାରରେ ମେଡିକାଲ କଲେଜ ହେଲା, ଓଡ଼ିଶାରେ କାହିଁକି ନୁହେଁ ?

ସ୍ବପ୍ନରେ ରହିଲା ଇଏସ୍‌ଆଇ ମେଡିକାଲ କଲେଜ
ଅନୁମୋଦନ ଅପେକ୍ଷାରେ ଇଏସ୍‌ଆଇ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲର ସଂଶୋଧିନ ବିଲ୍ଠିଂ ପ୍ଲାନ୍‌

ଭୁବନେଶ୍ବର : ଓଡ଼ିଶାରେ କର୍ମଚାରୀ ରାଜ୍ୟ ବୀମା ନିଗମ ବା ଇଏସ୍‌ଆଇର ମେଡିକାଲ କଲେଜ ଖୋଲିବା ଘୋଷଣା ସ୍ବପ୍ନରେ ରହିବା ପରେ ଏବେ ସୁପର ସ୍ପେଶାଲିଟି ହସ୍ପିଟାଲ ଉପରେ ନଜର। ନିକଟରେ ଏହି ହସ୍ପିଟାଲର ସଂଶୋଧିତ ବିଲ୍ଡିଂ ପ୍ଲାନ୍‌ କେନ୍ଦ୍ରକୁ ପଠାଯାଇଛି। ଏହି ପ୍ଲାନ୍‌କୁ ମଞ୍ଜୁରି ମିଳିବା ପରେ ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହେବ। ତେବେ ପୂର୍ବ ଘୋଷଣା ଅନୁଯାୟୀ ବିହାରରେ ଇଏସ୍‌ଆଇ ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରିଲା। ତାହାଲେ ଓଡ଼ିଶାରେ ଏହା କାହିଁକି ପ୍ରତିଷ୍ଠା ହେବନାହିଁ ବୋଲି ଅନେକ ପ୍ରଶ୍ନ କରିଛନ୍ତି।

୨୦୦୮ ମସିହାରେ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟରେ ଇଏସ୍‌ଆଇର ଏକ ମେଡିକାଲ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ଭିତ୍ତିରେ ରାଜଧାନୀ ଉପକଣ୍ଠ ଜଗନ୍ନାଥପ୍ରସାଦରେ ରାଜ୍ୟ ସରକାର ୨୫ ଏକର ଜାଗା ଚିହ୍ନଟ କରିଥିଲେ। ହେଲେ ଏହାକୁ ରାଜଧାନୀରେ ପ୍ରତିଷ୍ଠା କରାଯିବ ନା ରାଉରକେଲାରେ, ଏହାକୁ ନେଇ ରାଜନେତାଙ୍କ ଭିତରେ ଟଣାଓଟରା ଚାଲିବା ପରେ ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହୋଇଥିଲା। ଏପରିକି କେନ୍ଦ୍ର ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ଉଭୟ ଭୁବନେଶ୍ବର ଓ ରାଉରକେଲା ଗସ୍ତ କରିଥିଲେ। ଶେଷରେ ଭୁବନେଶ୍ବରରେ ହିଁ ଏହାକୁ ମୋହର ମାରିଥିଲେ। ତେବେ ୨୦୧୯ ମସିହାରେ କେନ୍ଦ୍ର ସରକାର ରାଜ୍ୟରେ ଇଏସ୍‌ଆଇ ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି କହିଥିଲେ। ସୁପ୍ରିମକୋର୍ଟ ଏଥିରେ ଅଙ୍କୁଶ ଲଗାଇଥିବା ସୂଚନା ଦେଇଥିଲେ ତତ୍କାଳୀନ କେନ୍ଦ୍ର ଶ୍ରମ ରାଜ୍ୟମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଥିଲେ। ଯାହାକୁ ନେଇ ଓଡ଼ିଶାରେ ନିରାଶା ଦେଖା ଦେଇଥିଲା। ବିହାର ପରିପ୍ରେକ୍ଷୀରେ ଏହା ସମ୍ଭବ ହୋଇଥିବା ବେଳେ ଓଡ଼ିଶାରେ କିନ୍ତୁ ଏହା କାହିଁକି ନୁହେଁ ବୋଲି ଏବେ ପ୍ରଶ୍ନ ଉଠିଲାଣି। ତେଣୁ ରାଜ୍ୟରେ ଏକ ଇଏସ୍‌ଆଇ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବା ଲାଗି ଦାବି ଉଠିଲାଣି।

ଅପରପକ୍ଷରେ ମେଡିକାଲ କଲେଜ ନିର୍ମାଣ ସ୍ବପ୍ନ ମଉଳି ଯିବା ପରେ ଏଠାରେ ଇଏସ୍‌ଆଇର ୧୫୦ ଶଯ୍ୟା ବିଶିଷ୍ଟ ଏକ ସୁପର‌ ସ୍ପେଶାଲିଟି ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହି ଘୋଷଣା ହେବାକୁ କିଛିବର୍ଷ ବିତିଲାଣି। ଏ ପର୍ଯ୍ୟନ୍ତ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆଗେଇ ପାରିନାହିଁ। ଏବେ ବିଲ୍ଡିଂର ସଂଶୋଧିତ ପ୍ଲାନ୍ ଅନୁମୋଦନ ଅପେକ୍ଷାରେ ରହିଛି। ଇଏସ୍‌ଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମେଡିକାଲ କଲେଜ ପାଇଁ ଜଗନ୍ନାଥ ପ୍ରସାଦରେ ଚିହ୍ନଟ ହୋଇଥିବା ୨୫ଏକର ଜାଗାରୁ ୧୦ ଏକର ଜାଗାରେ ଏହି ସୁପର ସ୍ପେଶାଲିଟି ହସ୍ପିଟାଲ ଠିଆ ହେବ। ହସ୍ପିଟାଲରେ ସମସ୍ତ ପ୍ରକାର ସୁପର ସ୍ପେଶାଲିଟି ଚିକିତ୍ସା ଓ ପରୀକ୍ଷା ସୁବିଧା ହସ୍ପିଟାଲରେ ଉପଲବ୍ଧ ହେବ। ଏହା ରାଜ୍ୟର ପ୍ରଥମ ସୁପର ସ୍ପେଶାଲିଟି ହସ୍ପିଟାଲ ହେବ। ପୂର୍ବରୁ ଏହି ହସ୍ପିଟାଲ ପାଇଁ ଜି+୧ ବା ଦୁଇ ମହଲା ବିଲ୍ଡିଂ ନିର୍ମାଣ ପାଇଁ ନିଷ୍ପତ୍ତି କରାଯାଇଥିଲା। ମାତ୍ର ଏବେ ଏହା ସୁପର ସ୍ପେଶାଲିଟି ହସ୍ପିଟାଲ ଘୋଷଣା ହୋଇଥିବାରୁ ଏବେ ଜି+୫ ମହଲା ବିଲ୍ଡିଂ ନିର୍ମାଣ କରାଯିବ। ଏହାର ଏକ ସଂଶୋଧିତ ପ୍ରସ୍ତାବ କେନ୍ଦ୍ରକୁ ପଠାଯାଇଛି। ଆସନ୍ତା ୨୪ତାରିଖରେ ଏ ସଂକ୍ରାନ୍ତୀୟ ଏକ ବୈଠକ ବସିବ। ଏହାସହ ଜୁନ୍ ୧ତାରିଖରେ ଇଏସ୍‌ଆଇସିର ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହେବ। ତେଣୁ ଏହି ବୈଠକରେ ରାଜଧାନୀର ସୁପର ସ୍ପେଶାଲିଟି ହସ୍ପିଟାଲର ସଂଶୋଧିତ ବିଲ୍ଡିଂ ପ୍ଲାନ୍‌କୁ ଅନୁମୋଦନ ମିଳିପାରେ ବୋଲି ଆଶା କରାଯାଉଛି।

ରାଜ୍ୟ ଇଏସ୍‌ଆଇର ଆଞ୍ଚଳିକ ନିର୍ଦେଶକ ପାର୍ଥସାରଥୀ ପଣ୍ଡା କହିଛନ୍ତି, ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ସଂଶୋଧିତ ବିଲ୍ଡିଂ ପ୍ଲାନ୍ ପଠାଯାଇଛି। ନିକଟରେ ଷ୍ଟାଣ୍ଡିଂ କମିଟିର ବୈଠକରେ ଏହା ସଂପର୍କରେ ଆଲୋଚନା ହେବ। ଅନୁମୋଦନ ମିଳିବା ପରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆଗେଇବ। ତେବେ ୧୦ଏକର ଜାଗାରେ ଏହାକୁ ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ହୋଇଛି। ବଳକା ୧୫ଏକର ଜାଗାରେ କେଉଁ କାର୍ଯ୍ୟରେ ବ୍ୟବହାର କରାଯିବ ତାହାର କୌଣସି ନିଷ୍ପତ୍ତି ହୋଇନାହିଁ। ସେ ଆହୁରିମଧ୍ୟ କହିଛନ୍ତି ଯେ ଭୁବନେଶ୍ବରରେ ଥିବା ଇଏସ୍‌ଆଇ ହସ୍ପିଟାଲର ଭିତ୍ତିଭୂମି ସୁଦୃଢ଼ କରାଯିବ। ଏଥିପାଇଁ ପିପିପି ମୋଡରେ ସିଟି-ସ୍କାନ୍, ଡାଏଲିସିସ୍ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏସବୁ ଅତ୍ୟାଧୁନିକ ଚିକିତ୍ସା ଆରମ୍ଭ ହେବା ପରେ ରୋଗୀମାନଙ୍କ ଅନ୍ୟ ହସ୍ପିଟାଲ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଏହାସହ ରାଜ୍ୟରେ ଇଏସ୍‌ଆଇର ଆଉ ୧୨ଟି ଡିସ୍‌ପେନସାରି ପ୍ରତିଷ୍ଠା କରାଯାଉଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର