କେନ୍ଦ୍ରାପଡ଼ାରେ ତୁରନ୍ତ ମେଡିକାଲ କଲେଜ ପ୍ରତିଷ୍ଠା ହେଉ

ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ସ୍ବତନ୍ତ୍ର ଆଲୋଚନା

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାରେ ଜନସଂଖ୍ୟା ପ୍ରାୟ ୧୫ ଲକ୍ଷ। ଜିଲ୍ଲାରେ କୌଣସି ଶିଳ୍ପ ସଂସ୍ଥା ନାହିଁ। ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ଜିଲ୍ଲାବାସୀଙ୍କ ଉପରେ ଦାଉ ସାଧୁଛି। ଜିଲ୍ଲାର ବହୁ ଲୋକ ସରକାରୀ ସ୍ବାସ୍ଥ୍ୟ ସେବା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଆବଶ୍ୟକ ସୁବିଧା ସୁଯୋଗ, ଭିତ୍ତିଭୂମିର ଘୋର ଅଭାବ ରହିଛି। ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଜିଲ୍ଲାରେ ତୁରନ୍ତ ମେଡିକାଲ କଲେଜ ପ୍ରତିଷ୍ଠା ହେଉ। ସରକାର ଆଉ ବିଳମ୍ବ ନ କରି ଏ ଦିଗରେ ପଦକ୍ଷେପ ନିଅନ୍ତୁ। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଆଲୋଚନାଚକ୍ରରେ ଜିଲ୍ଲାର ବୁଦ୍ଧିଜୀବୀ, ସ‌େଚତନ ନାଗରିକମାନେ ଏପରି ମତ ରଖିଛନ୍ତି।

ଲୋହିଆ ଏକାଡେମିରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପରିଷଦର ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ର ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ସଦସ୍ୟ ଡକ୍ଟର୍‌ ଅମୀୟ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲାର ଦୁର୍ବଳ ସ୍ବାସ୍ଥ୍ୟସେବାର ଭିତ୍ତିଭୂମିକୁ ନେଇ ଭୀଷଣ ଉଦ୍‌ବେଗ ପ୍ରକାଶ ପାଇଥିଲା। ବକ୍ତାମାନେ ମତ ଦେଇଥିଲେ ଯେ ନଦୀ, ନାଳ ଘେରା କେନ୍ଦ୍ରାପଡ଼ା ଜିଲ୍ଲାର ଏମିତି କିଛି ଦୁର୍ଗମ ଅଞ୍ଚଳ ଅଛି, ‌ଯେଉଁଠାରେ କି ସର୍ବନିମ୍ନ ସ୍ବାସ୍ଥ୍ୟ ସେବା ଏବେ ବି ଅପହଞ୍ଚ। ଜିଲ୍ଲାର ମୁଖ୍ୟାଳୟ ହସ୍ପିଟାଲ୍‌ରେ ବି ଆଧୁନିକ ଚିକିତ୍ସା ସେବା ଉପଲବ୍ଧ ନାହିଁ। ବାରମ୍ବାର ଦାବି ପରେ ବି ଏମ୍‌ଆର୍‌ଆଇ, ଆଇସିୟୁ, ଟ୍ରମା କେୟାର, ସିଟି ସ୍କାନ୍ ଓ ଏଣ୍ଡୋସ୍କୋପି ପରି ସୁବିଧା ମିଳିଲା ନାହିଁ। ଏପରିକି ଆବଶ୍ୟକ ସଂଖ୍ୟକ ଡାକ୍ତର ବି ନାହାନ୍ତି। ଉନ୍ନତ ତଥା ଜରୁରୀ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଯିବା ସମୟସା‌େପକ୍ଷ ଓ ବ୍ୟୟବହୁଳ। ତେଣୁ ଜିଲ୍ଲାରେ ଏକ ମେଡିକାଲ କଲେଜ ସହ ଉନ୍ନତମାନର ସ୍ବାସ୍ଥ୍ୟ ଭିତ୍ତିଭୂମିର ଅାବଶ୍ୟକତା ରହିଛି। ଜିଲ୍ଲା ଭିତରେ ବିଭିନ୍ନ ସଂଗଠନ ପକ୍ଷରୁ ଏ ନେଇ ଲଗାତର ଦାବି କରାଯାଉଛି। ତେଣୁ ସରକାର ଏହାକୁ ବିଚାରକୁ ନେଇ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ କରନ୍ତୁ।

ପରିଷଦର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ଶିକ୍ଷାବିତ୍‌ ପ୍ରଫେସର ସରୋଜ ମହାନ୍ତି ପ୍ରମୁଖ ମେଡିକାଲ କଲେଜ ଦାବି ସପକ୍ଷରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। କେବଳ ମେଡିକାଲ କଲେଜ ନୁହେଁ, ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା, କେନ୍ଦ୍ରାପଡ଼ା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଆଦି ପ୍ରସଙ୍ଗରେ ମଧ୍ୟ ବକ୍ତାମାନେ ମତ ଦେଇଥିଲେ। ଜିଲ୍ଲାର ବହୁ ସଚେତନ ନାଗରିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପରିଷଦ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଏ ଦିଗରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଅଧ୍ୟକ୍ଷ ଡାକ୍ତର ମିଶ୍ର ସୂଚନା ଦେଇଥିଲେ। ଅଧ୍ୟାପକ ବୀରବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର