ଯାଜପୁର ମେଡିକାଲ କଲେଜକୁ କେନ୍ଦ୍ରୀୟ ମୋହର
ଯାଜପୁର/ସଦର : ଯାଜପୁର ସହରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ। କେନ୍ଦ୍ର ସରକାର ଏହା ଉପରେ ମୋହର ମାରିଛନ୍ତି। ଏହି କେନ୍ଦ୍ରୀୟ ଅନୁମୋଦନ ପରେ ‘ଯାଜପୁର ନା ପାଣିକୋଇଲି’ -ମେଡିକାଲ ସ୍ଥାନ ନିରୂପଣକୁ ନେଇ ଯେଉଁ ବିବାଦ ଲାଗି ରହିଥିଲା,ତାହାର ଅବସାନ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲା। ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି ଯେ, ନିର୍ଦ୍ଦେଶାନାମାର ଲିଖିତ ନିଷ୍ପତ୍ତି ଖୁବ୍ଶୀଘ୍ର ହସ୍ତଗତ ହେବ। ମେଡିକାଲ କଲେଜର ପ୍ରସ୍ତାବିତ ସ୍ଥାନ ଠାରେ ଆଉ ୮ ଏକର ଜମି ଅଧିଗ୍ରହଣ କରାଯାଇଛି। ଯେଉଁଠାରେ କ୍ୟାନସର ଓ କିଡନୀ ରୋଗର ଆଡଭାନସ୍ ରିସର୍ଚ କରାଯିବକୁ ପ୍ରସ୍ତାବ ରହିଛି। ସୁକିନ୍ଦା, ଦାନଗଦି ଓ ଧର୍ମଶାଳା ଅଞ୍ଚଳରେ ପୀଡିତ ଶତାଧିକ କୀଡନୀ ରୋଗୀଙ୍କ ପାଇଁ ସହାୟକ ହୋଇପାରିବ। ବିଶିଷ୍ଟ କିଡନୀ ସ୍ପେଶାଲିଷ୍ଟ ତଥା ଯାଜପୁରର ସନ୍ତାନ ଡା. ରମାକାନ୍ତ ପଣ୍ଡାଙ୍କ ପରାମର୍ଶରେ ଏହା ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ମତ ଦେଇଛନ୍ତି।ପ୍ରକାଶଥାଉକି, ମେଡିକାଲ ପୂର୍ଣ୍ଣାଙ୍ଗ ହେଲେ ଏଠାରୁ ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ରୋଗୀ ଉପକୃତ ହୋଇପାରିବେ।