ରାଜ୍ୟରେ ଖୋଲିବ ସମସ୍ତ ମେଡ଼ିକାଲ କଲେଜ, ଡିଏମ୍‌ଇଟିଙ୍କୁ ଚିଠି ଲେଖିଲେ ଏସ୍‌ସିଏସ୍‌

ଭୁବନେଶ୍ୱର: ରାଜ୍ୟର ସମସ୍ତ ମେଡ଼ିକାଲ କଲେଜ ଗୁଡ଼ିକ ଖୁବଶୀଘ୍ର ଖୋଲିବାକୁ ଯାଉଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଡିଏମ୍‌ଇଟି ସିବିକେ ମହାନ୍ତିଙ୍କୁ ଚିଠି ଲେଖିଥିବା ଜଣାଯାଇଛି । ମେଡ଼ିକାଲ କଲେଜ ଗୁଡ଼ିକ ସହିତ ନର୍ସିଂ, ଫାର୍ମାସୀ ଓ ପାରାମେଡ଼ିକାଲ କଲେଜ ଖୋଲିବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।

ମେଡ଼ିକାଲ କଲେଜ ଗୁଡ଼ିକ ଖୋଲିଲେ ବି ଥିଓରି କ୍ଲାସ ପୂର୍ବ ଭଳି ଅନ୍‌ଲାଇନ୍‌ରେ ଜାରି ରହିବ । ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ପ୍ରାକ୍ଟିକାଲ କ୍ଲାସ ଓ ପରୀକ୍ଷା ଅନୁଷ୍ଠିତ ହେବ । ସାମାଜିକ ଦୂରତା ରକ୍ଷା କରି ତଥା ୫୦ ପ୍ରତିଶତ କ୍ଷମତାରେ କ୍ଲାସ ହେବ । ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ଠାରୁ ଲିଖିତ ଅନୁମତି ଆଣି କଲେଜରେ ଦାଖଲ କରିବେ ।

ମେଡ଼ିକାଲ କଲେଜ ଖୋଲିବା ପୂର୍ବରୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଟିକାକରଣ ହେବ । ପିଲାମାନଙ୍କର ପ୍ରାକ୍ଟିକାଲ କ୍ଲାସରେ କୋଭିଡ ଗାଇଡଲାଇନ ଉପରେ ଗୁରୁତ୍ୱ ଦିଆଯିବ । ପିଲାମାନେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ, ହାତ ଧୋଇବେ, ସାନିଟାଇଜ କରିବେ, ସାମାଜିକ ଦୂରତା ରକ୍ଷା କରିବା ସହିତ ଭିଡ଼ କରିପାରିବେ ନାହିଁ । ଟିକା ନେଇ ନଥିବା ଛାତ୍ରଛାତ୍ରୀମାନେ ଯଦି ହଷ୍ଟେଲରେ ରହିବେ, ତଥାପି ସେମାନେ ପ୍ରାକ୍ଟିକାଲ କକ୍ଷକୁ ପ୍ରବେଶ କରିପାରିବେ ନାହିଁ । କଲେଜ କର୍ତ୍ତୃପକ୍ଷ ନିୟମିତ ଭାବରେ ହଷ୍ଟେଲରେ ସ୍କ୍ରିନିଂ କରିବେ । ଯେଉଁମାନେ କୋଭିଡ ଲକ୍ଷଣ ଦେଖାଗଲେ ସଂଗରୋଧ ଓ ଆଇସୋଲେସନରେ ରହିବେ । କଲେଜ ପରିସରରେ ସାମାଜିକ, ଧାର୍ମିକ ଓ କ୍ରୀଡ଼ା ସମାବେଶ ହୋଇପାରିବ ନାହିଁ । ସରକାରୀ କାର୍ଯ୍ୟ ଦିବସରେ ଅଫିସ ଏବଂ ପ୍ରଶାସନିକ କାର୍ଯ୍ୟାଳୟ ଖୋଲା ରହିବ ।

ସମ୍ବନ୍ଧିତ ଖବର