ଭଦ୍ରକ: ଭଦ୍ରକରେ ଖୁବ୍ଶୀଘ୍ର ସରକାରୀ ବିଶ୍ବବିଦ୍ୟାଳୟ ଓ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ ପ୍ରତିଷ୍ଠା ହେବ। ଏଥିସହିତ ଧାମନଗର ଛକରେ ଆଇଓସିଏଲ୍ ପକ୍ଷରୁ ବୈଷୟିକ ବୟନ ଶିଳ୍ପ କମ୍ପ୍ଲେକ୍ସ,ଏମ୍ପିସିଆଇ ପକ୍ଷରୁ ପଲିଷ୍ଟର ଉତ୍ପାଦନ କମ୍ପାନି ପ୍ରତିଷ୍ଠା କରାଯିବ। ଭଦ୍ରକ ବ୍ଲକ୍ ରମ୍ଭିଳା ପଞ୍ଚାୟତ ଆରଡ଼ିପଦାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପରି ଘୋଷଣା କରିଛନ୍ତି। ଯାହା ଭଦ୍ରକବାସୀଙ୍କ ମନରେ ଉତ୍ସାହ ଭରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୭୪ କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭଦ୍ରକ ମାଟିର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣି ଓ ଆରାଧ୍ୟା ଦେବୀ ମା’ ଭଦ୍ରକାଳୀଙ୍କ ସହ ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ନାମ ସ୍ମରଣ କରିଥିଲେ। ସ୍ବାଧୀନତା ସଂଗ୍ରାମର ସ୍ବାକ୍ଷର ବହନ କରୁଥିବା ଇରମ ଓ ସହିଦନଗରର ଲୁଣିଆ ମାଟିକୁ ମନେପକାଇ କହିଥିଲେ, ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା ପାଇଁ ଆମ ସରକାର ଯୋଜନା ପ୍ରଣୟନ କରୁଛନ୍ତି। ଶିକ୍ଷାର ଉନ୍ନତି ପାଇଁ ସ୍କୁଲ୍ରେ ଶିକ୍ଷକ ନିଯୁକ୍ତ କରାଯାଇଛି। ସ୍ବାସ୍ଥ୍ୟସେବା ପାଇଁ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି।
ଧାମନଗରରେ ହେବ ୬ ହଜାର କୋଟିର ବୟନ ଶିଳ୍ପ
ଚାଷୀମାନଙ୍କ ପାଇଁ ଆମର ବଡ଼ ଅବଦାନ ହେଉଛି; ଧାନର ସହାୟକ ମୂଲ୍ୟ ୩୧ ଶହ ଟଙ୍କା କରିବା। ମହିଳା ସଶକ୍ତୀକରଣ କ୍ଷେତ୍ରରେ ମାଆମାନଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରିଛୁ। ଲକ୍ଷପତି ଦିଦି ସୃଷ୍ଟିରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇପାରିଛି। ସେହିପରି ଭଦ୍ରକ ଜିଲ୍ଲାରେ ମଧ୍ୟ ବିକାଶଧାରା ତ୍ବରାନ୍ବିତ ହେବ। ସଂଗ୍ରାମ ପୀଠରେ ବିକାଶମୂଳକ କାର୍ଯ୍ୟ କରାଯିବ। ବହୁ ପ୍ରତୀକ୍ଷିତ ଧାମନଗର ଛକରେ ଆଇଓସିଏଲ୍ ପକ୍ଷରୁ ବୟନ ଶିଳ୍ପ ପ୍ରତିଷ୍ଠା ହେବ। ଏନେଇ ୬ ହଜାର ୬ ଶହ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଛି। ଫଳରେ ୫ ହଜାରରୁ ଊର୍ଦ୍ଧ୍ବ ଯୁବକଯୁବତୀ ନିଯୁକ୍ତି ପାଇବେ। ଜିଲ୍ଲାବାସୀଙ୍କୁ ଉଚ୍ଚଶିକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଖୁବ୍ଶୀଘ୍ର ଏଠାରେ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ ସହ ସରକାରୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରାଯିବ।
ସମ୍ମାନିତ ଅତିଥି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ, ନିର୍ବାଚନ ସମୟରେ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ। ଆଗକୁ ମଧ୍ୟ ଦେଉଥିବା ପ୍ରତିଶ୍ରୁତି ପୂରା କରିବୁ। ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ବିଜେପି ସରକାର ଭଦ୍ରକ ଜିଲ୍ଲାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ ଓ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ରାଣୀତାଲ ରାସ୍ତାରେ ରେଳ ଓଭର୍ବ୍ରିଜ୍ ନିର୍ମାଣ ପାଇଁ ଦାବି କରିଥିଲେ। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ସ୍ବାଗତ ଭାଷଣ ଏବଂ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/03/AR6VkdesB7uNPUIg7Cg5.jpg)